ଅପପୁଷ୍ଟି ରୋକିବାକୁ ସରକାରଙ୍କ ନିଆରା ପ୍ରୟାସ । ଏଣିକି ପିଡିଏସରେ ମିଳିବ ପୁଷ୍ଟିକର ଚାଉଳ, ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାକୁ ବାଛିଛନ୍ତି ସରକାର ।

159

କନକ ବ୍ୟୁରୋ: ଅପପୁଷ୍ଟି ରୋକିବାକୁ ସରକାରଙ୍କ ନିଆରା ପ୍ରୟାସ । ଏଣିକି ପିଡିଏସରେ ମିଳିବ ପୁଷ୍ଟିକର ଚାଉଳ । ପ୍ରଥମ ପର୍ଯ୍ୟାୟରେ ଦେଶର ୧୫ଟି ଜିଲ୍ଲାରେ ଫର୍ଟିପାଏଡ ରାଇସ ବା ପୁଷ୍ଟିକର ଚାଉଳ ଯୋଗାଇବାକୁ ନୀତି ଆୟୋଗ ପକ୍ଷରୁ ସ୍ଥିର ହୋଇଛି । ଓଡିଶାରେ ମାଲକାନଗିରି ଜିଲ୍ଲାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଇଛି । ଆଗାମୀ ଫେବୃଆରୀରୁ ଏହି ବ୍ୟବସ୍ଥା ଆରମ୍ଭ ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରୁଛି ଯୋଗାଣ ବିଭାଗ ।

ଚଳିତ ଖରିଫ ଚାଉଳକୁ ପ୍ରକ୍ରୀୟାକରଣ କରି ପୁଷ୍ଟିକର ଚାଉଳ ଉତ୍ପାଦନ ଲାଗି ପ୍ରସ୍ତୁତି କରୁଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲାର ୨୩ଟି ରାଇସ ମିଲରେ ବ୍ଲେଣ୍ଡିଙ୍ଗ ମେଶିନ ସ୍ଥାପନ କାମକୁ ଯୋରସୋରରେ ଆଗେଇ ନେଉଛି ଯୋଗାଣ ବିଭାଗ । ୧୦୦ କିଲୋଗ୍ରାମ ପିଡିଏସ୍ ଚାଉଳରେ ୧ କିଲୋଗ୍ରାମ ପୁଷ୍ଟିକର ଚାଉଳ ମିଶ୍ରଣ କରାଯିବ । ଆଉ ମିଲରମାନଙ୍କୁ ପୁଷ୍ଟିକର ଚାଉଳ ଯୋଗାଇ ଦେବ ଯୋଗାଣ ବିଭାଗ । ଏହି ପୁଷ୍ଟିକର ଚାଉଳରେ ଭିଟାମିନ-ଏ, ପି, ସି, ଜିଙ୍କ, ଆଇରନ୍ ପରି ଜରୁରୀ ମିନେରାଲ୍ସ ରହିଛି । ଅପପୁଷ୍ଟର ଶିକାର ଶିଶୁ, ରକ୍ତହୀନ ଗର୍ଭବତୀ ମହିଳା ଓ ମାଆମାନଙ୍କ ପାଇଁ ପୁଷ୍ଟିକର ଚାଉଳ ବେଶ ହିତକାରକ ହେବ । ତେଣୁ ଚଳିତ ଖରିଫ ମଣ୍ଡିରୁ ଧାନ ସଂଗ୍ରହ କରି ଆସନ୍ତା ଫେବୃଆରୀରୁ ପୁଷ୍ଟିକର ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି ଯୋଗାଣ ବିଭାଗ ।

୨୦୧୩ ଫେବୃଆରିରେ ମାଲକାନଗିରି ଜିଲ୍ଲାରୁ ଆରମ୍ଭ ହୋଇଥିଲ ରାଜ୍ୟ ସରକାରଙ୍କ ଟଙ୍କିକିଆ ଚାଉଳ ଯୋଜନା । ଆଉ ୨୦୨୧ ଫେବୃଆରୀ ମାସରୁ ସେହି ମାଲକାନଗିରିରୁ ପୁଷ୍ଟିକର ଚାଉଳ ବଂଟନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । କାରଣ ୨୦୧୬ରେ ମାଲକାନଗିରିରେ ଜାପାନୀ ଏନ୍ସେଫାଲାଇଟିସ୍ ସାଙ୍ଗକୁ ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ ଘଟଣା ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲା । ଦେଶ ଓ ରାଜ୍ୟ ତୁଳନାରେ ଏବେ ବି ମାଲକାନଗିରି ଜିଲ୍ଲାରେ ଶିଶୁ ଓ ମାତୃମୃତ୍ୟୁ ହାର ଚିନ୍ତା ଜନକ ସ୍ଥିତିରେ ରହିଛି । ୨୦୧୬-୧୮ରେ ଦେଶରେ ମାତୃ ମୃତ୍ୟୁହାର ପ୍ରତି ଏକ ଲକ୍ଷରେ ୧୫୦ ରହିଥିବା ବେଳେ ଓଡିଶାରେ ମାତୃ ମୃତ୍ୟୁ ହାର ୨୨୨ ରହିଛି । ମାଲକାନଗିରି ଜିଲ୍ଲାରେ ଗତ ୨୦୨୦ ସୁଧା ମାତୃମୃତ୍ୟୁ ହାର ୧୪୮ ଥିବା ଜଣାପଡିଛି । ସେହିପରି ୨୦୦୦ ମସିହା ଶେଷ ସୁଧା ଜାତୀୟ ଶିଶୁ ମୃତ୍ୟୁହାର ୬୮ ଥିବା ବେଳେ ଓଡିଶାରେ ୬୮ ଆଉ ମାଲକାନଗିରିରେ ଥିଲା ୫୬ । ଏଥିସହ ଜିଲ୍ଲାରେ ୧ ରୁ ୫ ବର୍ଷ ବୟସର ୧୪.୧୬% ଶିଶୁ କମ ଓଜନର ଥିଲେ ବୋଲି ରିପୋର୍ଟ କହୁଛି । ତେଣୁ ଜିଲ୍ଲାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ମଧ୍ୟାନ୍ନ ଭୋଜନ, ଅଙ୍ଗନୱାଡି ଆଦି ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଏହି ପୁଷ୍ଟିକର ଚାଉଳ ବଂଟନ ଲାଗି ସ୍ଥିର ହୋଇଛି ।

ନିତି ଆୟୋଗର ପରାମର୍ଶ କ୍ରମେ ପ୍ରଥମ ପର୍ଯ୍ୟାୟରେ ୧୫ଟି ରାଜ୍ୟର ୧୫ଟି ଜିଲ୍ଲାରେ ପୁଷ୍ଟିକର ଚାଉଳ ଯୋଗାଣ କାର୍ଯ୍ୟକ୍ରମରେ ପାଇଲଟ ପ୍ରୋଜେକ୍ଟ ଭାବେ ଗ୍ରାହଣ କରାଯାଇଛି । ଆଗକୁ ଦେଶର ସମସ୍ତ ୧୧୨ଟି ଆକାଂକ୍ଷା ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ ।