କନକ ବ୍ୟୁରୋ: ଅନେକ ସମୟରେ ଖୋଲୁନାହିଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ପୋର୍ଟାଲ । ଫଳରେ ରାସନକାର୍ଡ ପାଇଁ ଆବେଦନ କରିପାରୁନାହାନ୍ତି ପ୍ରକୃତ ହିତାଧିକାରୀ । ଏଭଳି ସ୍ଥିତିରେ ଅସହାୟ ପରିବାରକୁ ସହାୟତାର ହାତ ବଢାଇଛନ୍ତି ଜଣେ ଯୁବ ସରପଞ୍ଚ । କେନ୍ଦ୍ରାପଡା ମାର୍ଶାଘାଇରୁ ଆସିଲା ସାଂଘାତିକ ଘଟଣା ।

Advertisment

କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ଅନ୍ତେଇ ପଞ୍ଚାୟତ ପାଇଲୋ ଗାଁର ମିନତୀ ସେଠୀ ଓ ତାଙ୍କ ପରିବାର । ପରିବାର କହିଲେ ମୀନତି, ସ୍ୱାମୀ ଓ ଦୁଇଟି ପିଲା । ନିଜର ଆଦୌ ଜମିବାଡି ନାହିଁ । ଅତି କଷ୍ଟରେ ପରିବାର ଚଳାଇଥାନ୍ତି ମିନତୀ । ଦେଢ ବର୍ଷ ହେବ ରାସନକାର୍ଡ ତାଲିକାରୁ ମୀନତିଙ୍କ ପରିବାରକୁ କାଟି ଦିଆଯାଇଛି । ସେଇଦିନରୁ ମିନତି ବ୍ଳକ କାର୍ୟ୍ୟାଳୟକୁ ଦୌଡି ଦୌଡ ନୟାନ୍ତ ହେଲେଣି ହେଲେ ପୋର୍ଟାଲ ଖୋଲୁ ନଥିବାରୁ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ରାସନକାର୍ଡ ପଞ୍ଜିକରଣ କିମ୍ବା ସଂଯୋଗ ହୋଇ ପାରୁନାହିଁ । ଏକଥା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳର ଯୁବ ସରପଞ୍ଚ ସହାୟତାର ହାତ ବଢାଇଛନ୍ତି ।

ଅନ୍ତେଇ ପଞ୍ଚାୟତର ସରପଞ୍ଚ ସଞ୍ଜୟ ସେଠୀ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ରାସନ ସାମଗ୍ରୀ କଣି ମିନତୀଙ୍କୁ ଦେଇଛନ୍ତି । ଆଉ ନିଜର ଅସହାୟତା ପ୍ରକାଶ କରି ସରପଞ୍ଚ କହିଛନ୍ତି ପଂଚାୟତବାସୀ ସେମାନଙ୍କର ସୁଖ ଦୁଃଖର ସାଥି କରିବା ପାଇଁ ନିର୍ବାଚିତ କରିଛନ୍ତି। ହେଲେ କୌଣସି କାର୍ୟ୍ୟ କରିପାରୁନାହଁ ନିଜକୁ ଅସହାୟ ମନେକରୁଛି । ପୋର୍ଟାଲ ଖୋଲୁନଥିବାରୁ ସାଧାରଣ ରାସନକାର୍ଡ ଖଣ୍ଡିଏ ମଧ୍ୟ କରି ହେଉନାହିଁ । ସରକାର ଯଥାଶୀଘ୍ର ପୋର୍ଟାଲ ଖୋଲି ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସରପଞ୍ଚ ଦାବି କରିଛନ୍ତି ।