ମନଇଚ୍ଛା କାଟିପାରିବେନି ତାଳଗଛ । ବିନା ଅନୁମତିରେ ତାଳଗଛ କାଟିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । 

312

କନକ ବ୍ୟୁରୋ : ଦିନକୁ ଦିନ ବଢିଚାଲିଛି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟ । ବଜ୍ରପାତ କାରଣରୁ ଅନେକ ଜୀବନହାନି ହେଉଛି । ପୂର୍ବରୁ ତାଳଗଛ ପାଇଁ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା କମ ରହୁଥିଲା । କିନ୍ତୁ ଏବେ ରାଜ୍ୟରେ ତାଳଗଛ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି । ଯାହାକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି ପିସିସିଏଫ୍ ।

ପିସିସିଏଫ ଦେବିଦତ୍ତ ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏଣିକି ମନ ଇଚ୍ଛା କାଟି ପାରିବେନି ତାଳଗଛ । ନିଜ ଜାଗାରେ ଥିବା ତାଳ ଗଛ କାଟିବାକୁ ମଧ୍ୟ ବନବିଭାଗ ଠାରୁ ଅନୁମତି ନେବାକୁ ପଡିବ ।  ରାଜ୍ୟରେ ବଢୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ନେଇ ଏଭଳି ନିୟମ କଡାକଡ଼ି କରାଯାଇଛି  । ବିନା ଅନୁମତିରେ ତାଳ ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ  ।

କେବଳ ଏତିକି ନୁହେଁ ରାଜ୍ୟରେ କିଭଳି ତାଳଗଛ ସଂଖ୍ୟା ବୃଦ୍ଧି କରାଯିବ ସେନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ରାଜ୍ୟରେ ୧୯ ଲକ୍ଷ ତାଳ ଗଛ ଲଗାଯିବାକୁ ନିଷ୍ପତି ନେଇଛି ବନ ବିଭାଗ  । ପ୍ରତି ଫରେଷ୍ଟ ବ୍ଲକର ଚାରି ପଟେ ଚାରୋଟି ଲେଖାଏଁ ତାଳ ଗଛ ଲଗାଯିବ  । ଏଥିପାଇଁ ସାଢେ ୭ କୋଟି ଟଙ୍କା ଖର୍ଚ୍ଚ ହେବ  । ବଜ୍ରପାତ କମାଇବାକୁ ଏଭଳି ନିଷ୍ପତି ନିଆଯାଇଥିବା ବେଳେ କୃଷି ବିଭାଗକୁ ମଧ୍ୟ ତାଳ ଗଛ ରୋପଣ ପାଇଁ ଏସଆରସି ନିର୍ଦେଶ ଦେଇଥିବା ସୂଚନା ମିଳିଛି ।