ସରିବ ମାଆଙ୍କ ଯୁଗ, ଆରମ୍ଭ ହେଲାଣି ପୁଅ ପାଇଁ ସଜବାଜ : ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାକୁ ସଂକଳ୍ପ ପାରିତ କଲା ଓଡିଶା କଂଗ୍ରେସ

51

କନକ ବ୍ୟୁରୋ : ଗୋଷ୍ଠୀ କନ୍ଦଳ ଭିତରେ ରାଜ୍ୟ କଂଗ୍ରେସର ସବୁ ବରିଷ୍ଠ ନେତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା କଂଗ୍ରେସ ଭବନରେ । ସମସ୍ତେ ଏକାଠି ହୋଇ ରାହୁଲ ଗାନ୍ଧୀଙ୍କୁ ଜାତୀୟ କଂଗ୍ରେସର ଅଧ୍ୟକ୍ଷ କରିବାକୁ ରିଜୋଲୁସନ କରିଛନ୍ତି । ସେହିପରି ପିସିସି ସଭାପତି ଓ ଏଆଇସିସି ସଦସ୍ୟ ମନୋନୟନ ପାଇଁ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ସମସ୍ତ କ୍ଷମତା ଦିଆଯାଇଛି । ତେବେ ପିସିସି ସଦସ୍ୟ ମନୋନୟନ ନେଇ ପ୍ରସାଦ ହରିଚନ୍ଦନଙ୍କ ମନମୁଖୀ ନିଷ୍ପତ୍ତି ବିରୋଧରେ ବର୍ଷିଛନ୍ତି ବରିଷ୍ଠ ନେତା ।

ତୀବ୍ର ଦଳୀୟ କନ୍ଦଳ ଓ ସଭାପତି ପରିବର୍ତ୍ତନ ନେଇ ଦାବି ଭିତରେ ଆଜି କଂଗ୍ରେସ ଭବନରେ ଏକାଠି ହୋଇଛନ୍ତି ସବୁ ଆଗଧାଡିର ନେତା । ଭିନ୍ନ ଭିନ୍ନ ଗୋଷ୍ଠୀ ଏକାଠି ହୋଇ ନଥାନ୍ତେ ବା କିପରି, କାରଣ ଅବସର ଥିଲା ରାହୁଲଙ୍କୁ ଦଳର ଅଧ୍ୟକ୍ଷ କରାଯିବା ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଂକଳ୍ପ । ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ କରାଯିବା ନେଇ ଏକ ସଂକଳ୍ପ ପାରିତ କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । କଂଗ୍ରେସ ଭବନରେ ଅନୁଷ୍ଠିତ ବୈଠକରେ ରାହୁଲ ଗାନ୍ଧୀ ଦଳର ମଙ୍ଗ ଧରନ୍ତୁ ବୋଲି ଏକ ସ୍ୱରରେ କହିଛନ୍ତି ରାଜ୍ୟର କଂଗ୍ରେସ ନେତା । ସେହିପରି ପ୍ରଦେଶ କଂଗ୍ରେସ ସଭାପତି ଏବଂ ଏଆଇସିସି ସଦସ୍ୟ ମନୋନୟନ କରିବାକୁ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ସଂପୂର୍ଣ୍ଣ କ୍ଷମତା ଦିଆଯାଇଛି ।

ସେପଟେ ସାଂଗଠନିକ ନିର୍ବାଚନକୁ ନେଇ ବାରି ହୋଇପଡିଛି ଗୋଷ୍ଠୀ କନ୍ଦଳ । ଅନେକ ବରିଷ୍ଠ ନେତା ଅଭିଯୋଗ କରିଛନ୍ତି, ପ୍ରସାଦ ହରିଚନ୍ଦନ ମନଇଚ୍ଛା ନିଜ ଲୋକଙ୍କୁ ନୂଆ ସଦସ୍ୟ ମନୋନୟନ କରିଛନ୍ତି । ରାହୁଲଙ୍କୁ ଅଧ୍ୟକ୍ଷ କରାଯିବା ନେଇ ସବୁ କଂଗ୍ରେସ ନେତା ଏକାଠି ହୋଇଛନ୍ତି, ହେଲେ ପିସିସି ସଭାପତି ପରିବର୍ତ୍ତନ ନେଇ ଦଳ ଭିତରେ ଛକାପଂଝା ତୀବ୍ର ହେବାରେ ଲାଗିଛି ।