ରାହୁଲଙ୍କ ହାତରେ ଶ୍ରୀକାନ୍ତଙ୍କ ଭାଗ୍ୟ ! କଂଗ୍ରେସ ଶିବିରରେ ସରିଯିବ କି ଶ୍ରୀକାନ୍ତଙ୍କ ସମୟ ?

185

କନକ ବ୍ୟୁରୋ : ଶ୍ରୀକାନ୍ତଙ୍କୁ ନେଇ କଂଗ୍ରେସ ଶିବିରରେ ଜୋରଦାର ଆଲୋଚନା । ଶ୍ରୀକାନ୍ତ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆଇସିସିକୁ ସୁପାରିସ କରିଛନ୍ତି ରାଜ୍ୟ କଂଗ୍ରେସ ଶୃଙ୍ଖଳା କମିଟି । ଆଜି ରାଜ୍ୟ କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି ଶୃଙ୍ଖଳା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ଶେଷ ହେବା ପରେ ଗଣମାଧ୍ୟମ ଆଗରେ ପ୍ରତ୍ରିକ୍ରିୟା ରଖିଛନ୍ତି କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ । ସେ କହିଛନ୍ତି, ଶ୍ରୀକାନ୍ତ ଜେନାଙ୍କ ବାବଦରେ ଏଆଇସିସି ନିଷ୍ପତ୍ତି ନେବ ।

ଶ୍ରୀକାନ୍ତ ଜେନାଙ୍କ ଆଚରଣ ସମ୍ପର୍କିତ ତଥ୍ୟ ଏଆଇସିସିକୁ ଦିଆଯାଇଥିବା ସୂଚନା ମିଳିଛି । ଗଣମାଧ୍ୟମ ତଥ୍ୟ ଓ ସମାନ୍ତରାଳ ସଂଗଠନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆଇସିସିକୁ ସୁପାରିସ କରାଯାଇଛି । ରାଜ୍ୟ ଶୃଙ୍ଖଳା କମିଟି ପକ୍ଷରୁ ଶ୍ରୀକାନ୍ତ ଜେନା ଦେଇଥିବା ବିବୃତି ଏଆଇସିସିକୁ ଅବଗତ କରାଯାଇଛି । ସୁପାରିସ ପରେ ଏଆଇସିସି କାର୍ଯ୍ୟାନୁଷ୍ଠାନ ନେବ ବୋଲି କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ କହିଛନ୍ତି ।

ସୂଚନା ଅନୁଯାୟୀ, ଶ୍ରୀକାନ୍ତ ଜେନାଙ୍କ ଆଚରଣ ନେଇ ଆଜି ରାଜ୍ୟ କଂଗ୍ରେସ ଭବନରେ ଶୃଙ୍ଖଳା କମିଟି ବୈଠକ ବସିଥିଲା । ଏହି ବୈଠକରେ ପିସିସି ଶୃଙ୍ଖଳା କମିଟିର ୮ ଜଣ ସଦସ୍ୟ ଉପସ୍ଥିତ ଥିଲେ । ବର୍ତ୍ତମାନ ଏଆଇସିସିର ସଦସ୍ୟ ଅଛନ୍ତି ଶ୍ରୀକାନ୍ତ ଜେନା । ତେବେ ରାଜ୍ୟ ପିସିସି ଶୃଙ୍ଖଳା କମିିଟିର ସୁପାରିସ ପରେ ଏଆଇସିସି କଣ କାର୍ଯ୍ୟାନୁଷ୍ଠାନ ନେଉଛି ଏବେ ତା ଉପରେ ରହିଛି ସମସ୍ତଙ୍କ ନଜର ।