ସରକାର ଗଢିବାକୁ ଚେଷ୍ଟା କରିଥିଲୁ କିନ୍ତୁ ତାହା ହୋଇପାରିଲାନି । ଯାହା ଭୁଲଭଟକା ହୋଇଛି ତାହା ମୋ ମୁଣ୍ଡକୁ ନେଉଛି : ପିସିସି ସଭାପତି ଶରତ ପଟ୍ଟନାୟକ ।

783

କନକ ବ୍ୟୁରୋ : ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଫଳାଫଳ ଆସିବା ପରେ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ । ପ୍ରେସମିଟରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, କଂଗ୍ରେସର ୧୪ ଜଣ ବିଧାୟକ ଓ ଜଣେ ସାଂସଦ ଜିତାଇଥିବାରୁ ଓଡ଼ିଶାବାସୀ ଓ କଂଗ୍ରେସ କର୍ମୀଙ୍କୁ ଧନ୍ୟବାଦ । ଓଡ଼ିଶାରେ ସରକାର ଗଢିବାକୁ ଯେଉଁ ସ୍ୱପ୍ନ ନେଇ ଯାଇଥିଲୁ ତାହା ହୋଇପାରିଲାନି । ଯାହା ଭୁଲଭଟକା ହୋଇଛି ତାହାକୁ ନୈତିକତା ଦୃଷ୍ଟିରୁ ମୋ ମୁଣ୍ଡକୁ ନେଇଛି । ଆଗାମୀ ଦିନରେ ଯେଉଁ ପ୍ରସଙ୍ଗରେ ଦଳ ଲଢୁଥିଲା ତାହାକୁ ପୁଣିଥରେ ଆଗକୁ ନେବୁ ।

ଶରତ କହିଛନ୍ତି, ସରକାର ଗଢିବାକୁ ଚେଷ୍ଟା କରିଥିଲୁ । କିନ୍ତୁ ତାହା ସଫଳ ହେଲାନି । ତେବେ ଚେଷ୍ଟା ଜାରି ରହିବ ଏବଂ ଲଢେଇ କଂଗ୍ରେସ ଦଳ କରିବ ବୋଲି କହିଛନ୍ତି ଶରତ । ସମସ୍ତ ଭୁଲଭଟକା ପାଇଁ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ମାଗିଛନ୍ତି ଶରତ । ଏହାସହ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ପ୍ରଂଶସା କରିଛନ୍ତି ଶରତ । ଅନେକ ଚ୍ୟାଲେଞ୍ଜ ସତ୍ତେ୍ୱ ମଧ୍ୟ ଦଳ ଏଠାରେ ଲଢିଛି । ସମସ୍ତ କର୍ମୀ ଏକ ହୋଇ ଲଢିଛନ୍ତି । ତେବେ ଯାହା ଚେଷ୍ଟା କରିଥିଲୁ ତାହା ହୋଇପାରିଲାନି । କଣ ସମସ୍ୟା ରହିଥିଲା ତାହାକୁ ତର୍ଜମା କରିବୁ ଏବଂ ଆଗକୁ ବଢିବୁ ।