ଦିଲ୍ଲୀରୁ ଫେରିଲେ ମୁଖିଆ ! ବଡ ରାଲିରେ ଦମ ଦେଖାଇଲେ ପିସିସି ସଭାପତି

28

କନକ ବ୍ୟୁରୋ : ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ନବ ନିଯୁକ୍ତ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଦିଲ୍ଲୀରୁ ପୂରା ଟିମ୍ ସହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ନିରଞ୍ଜନ ପଟ୍ଟନାୟକ । ବିମାନବନ୍ଦରରେ ପହଞ୍ଚିବା ପରେ ଏକ ବିରାଟ ପଟୁଆରରେ ସ୍ୱାଗତ କରିଛନ୍ତି ହଜାର ହଜାର କଂଗ୍ରେସ କର୍ମୀ ଓ ନେତା । କଂଗ୍ରେସର ବରିଷ୍ଠ ନେତାଙ୍କୁ ମଧ୍ୟ ବିମାନବନ୍ଦରରେ ଦେଖିବାକୁ ମିଳିଛି । ଏକ ବିଶାଳ ରୋଡ ସୋ ପରେ ନିରଞ୍ଜନ ଯିବେ କଂଗ୍ରେସ ଭବନ । କଂଗ୍ରେସ ଭବନରେ ମଧ୍ୟ ନିରଞ୍ଜନଙ୍କୁ ଦିଆଯିବ ବିପୁଳ ସମ୍ବର୍ଦ୍ଧନା ।ଆଉ ଏଥିପାଇଁ କଂଗ୍ରେସ ଭବନରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।

ଦିଲ୍ଲୀରୁ ନବ ନିଯୁକ୍ତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଆସିଛନ୍ତି ଏଆଇସିସି ପ୍ରଭାରୀ ଜିତେନ୍ଦ୍ର ସିଂ, ଏଆଇସିସି ସଂପାଦକ ରୁଦ୍ର ରାଜୁ, ଅନୀଲ ଚୌଧୁରୀ, ସେକ ମସ୍ତାନ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା ଓ ନବନିଯୁକ୍ତ ତିନି ଜଣ କାର୍ଯ୍ୟକାରୀ ସଭାପତି । ଏହି ଟିମ କଂଗ୍ରେସର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ସହିତ ନିଷ୍ଠାର ସହ କାମ କରିବାକୁ ଆହ୍ୱାନ ଦେଇଛନ୍ତି । ଏହାସହ ଆସନ୍ତାକାଲି ହେବାକୁ ଯାଉଛି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ ଦଳର ସଭାପତି, ବିଧାୟକ, ତୁଙ୍ଗ ନେତା ଓ ଛାମୁଆ ସଂଗଠନର ପ୍ରତିନିଧିଙ୍କୁ ସାକ୍ଷାତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଦଳର ଆଗାମୀ ରଣନୀତି ମଧ୍ୟ ପ୍ରସ୍ତୁତ ହେବ ।