ପିସିସି ସଭାପତିରୁ ଇସ୍ତଫା ନେଇ ମୁହଁ ଖୋଲିଲେ ନିରଞ୍ଜନ : କହିଲେ, ପଦରେ ରହିବି ନା ନାହିଁ ଦଳର ଆଭ୍ୟନ୍ତରୀଣ ବ୍ୟାପାର

ପଦ ସମ୍ଭାଳିବାକୁ ପଦର ଅନେକ ଯୋଗ୍ୟ ବ୍ୟକ୍ତି ଅଛନ୍ତି

191

କନକ ବ୍ୟୁରୋ : ପିସିସି ସଭାପତି ପଦରୁ ଇସ୍ତଫା ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି. ପିସିସି ସଭାପତି ପଦ ଚିରସ୍ଥାୟୀ ନୁହେଁ । ପଦରେ ରହିବି ନା ନାହିଁ ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ପିପିଲି ଉପନିର୍ବାଚନ ପୂର୍ବରୁ ସେ ଚିଠି ଲେଖିଛନ୍ତି । ଏଆଇସିସି ନିଷ୍ପତ୍ତି ନ ନେଲା ଯାଏଁ ସେ ପଦରେ ଅଛନ୍ତି ବୋଲି ନିରଞ୍ଜନ କହିଛନ୍ତି । ବହୁତ ଦିନ ହେଲା ସେ ସଭାପତି ପଦରେ ରହିଲେଣି । ତାଙ୍କ ପରେ ମଧ୍ୟ ଦଳର ସଭାପତି ପଦ ସମ୍ଭାଳିବା ପାଇଁ ଅନେକ ଲୋକ ଅଛନ୍ତି । ଏ ନେଇ ଏଆଇସିସି ପଚାରିଲେ ସେ ଉତର ଦେବେ । ସଭାପତି ଥିଲା ଯାଏଁ ସେ କଂଗ୍ରେସ ଦୁର୍ବଳ ହେବାକୁ ଦେବେ ନାହିଁ ।

ତେବେ ଏ ନେଇ ଖୁବଶୀଘ୍ର ସ୍ଥିତି ସ୍ପଷ୍ଟ କରିବାକୁ ଦାବି କରିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ । ଯଦି ନିରଞ୍ଜନ ଇସ୍ତଫା ଦେଇଛନ୍ତି ତେବେ ସ୍ପଷ୍ଟ କରନ୍ତୁ । ଲୁଚକାଳି ଖେଳ ବନ୍ଦ କରନ୍ତୁ ନିରଞ୍ଜନ । ଯଦି ରାହୁଲ ଓ ସୋନିଆ ଗାନ୍ଧୀ ନିରଞ୍ଜନଙ୍କୁ ସଭାପତି ପଦରେ ରଖିବା କଥା ରଖିବେ, ଯଦି କାଢିବା କଥା କାଢିବେ । କ’ଣ ପଦକ୍ଷେପ ନେବେ ସ୍ପଷ୍ଟ କରନ୍ତୁ । ଏମିତି ହେଲେ ଦଳର ଛବି ଖରାପ ହେଉଛି ।

ସେହିଭଳି କଂଗ୍ରେସ ନେତା ଶରତ ରାଉତଙ୍କ ପ୍ରତିକ୍ରିୟା । ମିଡିଆରେ ତ ଚର୍ଚ୍ଚା ହେଉଛି ହେଲେ ଇସ୍ତଫା ଦେଇଛନ୍ତି କି ନାହିଁ । ସେ କଥା କେବଳ ନିରଞ୍ଜନ ହିଁ କହି ପାରିବେ । ଦେବେ ନଦେବେ ସ୍ପଷ୍ଟ କରିବା ଦରକାର । ଏ ନାଟକ ବନ୍ଦ କରନ୍ତୁ । ଲୁଚଖେଳ ଖେଳିବା ଉଚିତ ନୁହେଁ କାହିଁକି ନା ଏହାର ଏକ ନେଗେଟିଭ୍ ପ୍ରଭାବ ପଡ଼ିବ କର୍ମୀଙ୍କ ଉପରେ, ଦଳର କ୍ଷତି ହେବ । ସଭାପତି ନହେଲେ ତାଙ୍କ ମିଡ଼ିଆ ଟିମ କିମ୍ଭା ମୁଖପାତ୍ର ସ୍ପଷ୍ଟ କରନ୍ତୁ । କର୍ମୀଙ୍କ ମନରେ ଅନିଶ୍ଚିତତା ଦଳର କ୍ଷତି କରୁଛି ।