କନକ ବ୍ୟୁରୋ: ୨୦୨୪ ନିର୍ବାଚନର ପରାଜୟର ଦୁଃଖ ବାରି ହୋଇପଡୁଛି କଂଗ୍ରେସ ଭବନକୁ ଦେଖିଲେ। ଶୂନଶାନ୍, ଖାଁ ଖାଁ ପରିବେଶ। ପିସିସି ସଭାପତି କି ବଡ଼ ନେତାଙ୍କ ପାଦ ବି ପଡୁନି। କାଁ ଭାଁ କିଏ କିଏ ରାଜ୍ୟ କଂଗ୍ରେସର ମୁଖ୍ୟାଳୟକୁ ଆସୁଥିବା ଦେଖିବାକୁ ମିଳୁଛି। ତେବେ ରାହୁଲଙ୍କ ନେତୃତ୍ବରେ ଇଣ୍ଡି ମେଣ୍ଟ ଏଥର ଭଲ ପ୍ରଦର୍ଶନ କରିଛି, କିନ୍ତୁ ଓଡ଼ିଶାରେ ଫେଲ ମାରିଛି କଂଗ୍ରେସ।

Advertisment
  • ୨୪ ବର୍ଷରେ ବଦଳିଲେ ୬ ନେତା
  • ତଥାପି ବଦଳିଲାନି ଦଳର ଭାଗ୍ୟ

୨୦୦୦ରୁ ୨୦୨୪ ମଧ୍ୟରେ ୬ ଜଣ ପିସିସି ସଭାପତି ହୋଇଛନ୍ତି। ସଭାପତି ବଦଳୁଛନ୍ତି ସତ, ହେଲେ ବଦଳି ପାରୁନି କଂଗ୍ରେସର ଭାଗ୍ୟ। ଏବେ ବି କ୍ଷମତାକୁ ଫେରିବା ପାଇଁ ସଂଘର୍ଷ କରୁଛି ଦଳ। କ୍ଷମତାକୁ ଫେରିବା ତ ଦୂରରେ ଥାଉ, ଭୋଟ ପ୍ରତିଶତ ମଧ୍ୟ ହ୍ରାସ ପାଇବାରେ ଲାଗିଛି।

୨୪ ବର୍ଷ ମଧ୍ୟରେ ୯ ଥର ବଦଳିଛି ପିସିସି। ୬ ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେଇ ଦଳ ଏକ୍ସପେରିମେଣ୍ଟ କରିଛି। ୨୦୦୦ ମସିହାରେ ବର୍ଷକ ପାଇଁ ଜାନକୀ ପଟ୍ଟନାୟକ ଦଳର ସଭାପତି ଥିଲେ। ଏହାପରେ ଶରତ ପଟ୍ଟନାୟକଙ୍କୁ ମିଳିଥିଲା ଦାୟିତ୍ବ। ଜୟଦେବ ଜେନା, କେପି ସିଂହଦେଓ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ଆଦି ନେତା ପିସିସି ସଭାପତି ହୋଇଛନ୍ତି। ପ୍ରତି ୨-୩ ବର୍ଷ ମଧ୍ୟରେ ପିସିସି ପରିବର୍ତ୍ତନ ହୋଇଛି କିନ୍ତୁ ଫଳ ଶୂନ।publive-image

୨୦୨୪ରେ ବିଜେଡି ହାରିଲା ସତ, କିନ୍ତୁ ସରକାର ବିରୋଧୀ ହାୱାର ପୂରା ଫାଇଦା ମିଳିଛି ବିଜେପିକୁ। ଦଳୀୟ କନ୍ଦଳ, ସଠିକ୍ ରଣନୀତି ଅଭାବରୁ ବ୍ୟାକଫୁଟରେ ରହିଗଲା କଂଗ୍ରେସ। ତେବେ ନିର୍ବାଚନରେ ପରାଜୟ ପରେ ପିସିସି ସଭାପତି ପରିବର୍ତ୍ତନ ପାଇଁ ଦାବି ଜୋରଦାର ହେଉଛି। ଏପଟେ କଂଗ୍ରେସ ବିଧାୟକ ଦଳର ନେତା ନେଇ ମଧ୍ୟ ସହମତି ହୋଇପାରୁନି। ୧୪ ଜଣ ବିଧାୟକ ଜିତିଥିବା ବେଳେ ବିଧାୟକ ଦଳର ନେତା ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଛି। ଏପଟେ ନିଷ୍ପତ୍ତି ଝୁଲାଇ ରଖିଛି ଏଆଇସିସି। ୧୬ ତାରିଖରେ ଏଆଇସିସି ଟିମ୍ ଓଡ଼ିଶା ଆସି ପରାଜୟର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି।