ପୁନର୍ଗଠନ ହେବ ପିସିସି କମିଟି । ତଳୁ ଉପର ପର୍ଯ୍ୟନ୍ତ ସମସ୍ତ କମିଟିର ହେବ ପୁନର୍ଗଠନ, ଜୋନ କମିଟି ବଦଳରେ ରହିବ ବ୍ଲକ କମିଟି ।

409

କନକ ବ୍ୟୁରୋ : ପୁନର୍ଗଠିତ ହେବ ପିସିସି କମିଟି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ । ଏଆଇସିସିର ନିର୍ଦ୍ଦେଶ କ୍ରମେ ପିସିସି କମିଟି ପୁନର୍ଗଠନ କରାଯିବ ବୋଲି କହିଛନ୍ତି ନିରଞ୍ଜନ । କମିଟି ଗଠନ ନେଇ ଚଳିତ ମାସରୁ କାମ ଆରମ୍ଭ କରାଯିବ । ଏହି ସମୟ ମଧ୍ୟରେ କଂଗ୍ରେସକୁ ପୁଣିଥରେ ସୁସଙ୍ଗଠିତ କରିବା ପାଇଁ ସଭ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଆରମ୍ଭ କରାଯିବ ।

ତଳୁ ଉପର ପର୍ଯ୍ୟନ୍ତ ସମସ୍ତ କମିଟି ପୁନର୍ଗଠନ କରାଯିବ । ଯେଉଁମାନେ ଗତ ସାଧାରଣ ନିର୍ବାଚନରେ ଦଳ ପାଇଁ କାମ କରିଛନ୍ତି ସେମାନଙ୍କୁ ନେଇ ଛୋଟ କମିଟି ଗଠନ କରାଯିବ । ଖାସକରି ଆଉ ପୂର୍ବଭଳି ଜୋନ କମିଟି ରହିବନି ବରଂ ବ୍ଲକ କମିଟି ଗଠନ କରାଯିବ ।

ଏହାଛଡା ବିଜେପୁର ବାଜି ଜିତିବା ପାଇଁ କଂଗ୍ରେସ ଦେଢ ମାସ ଆଗରୁ ରଣନୀତି ପ୍ରସ୍ତୁତ କରିଛି ବୋଲି କହିଛନ୍ତି ନିରଞ୍ଜନ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । ଆଉ ଏହି କମିଟି ଯାହା ନିଷ୍ପତି ନେବ ସେହି ଅନୁସାରେ କାର୍ଯ୍ୟ ହେବ ବୋଲି କହିଛନ୍ତି ନିରଞ୍ଜନ । ବିଜେପୁର ଉପନିର୍ବାଚନ ପାଇଁ ଯେକୌଣସି ମୁହୂର୍ତ୍ତରେ ତାରିଖ ଘୋଷଣା ହେବାକୁ ଥିବା ବେଳେ କଂଗ୍ରେସ ଏବେ ଆକ୍ଟିଭ ମୋଡକୁ ଆସିଛି । ପୁରୁଣା ଗଡରେ ପୁଣିଥରେ ହାତ ଟେକିବାକୁ ଏବେ ନୂଆ ରଣନୀତି ଆପଣାଇଛି କଂଗ୍ରେସ ।