କନକ ବ୍ୟୁରୋ : ଏସିଆ କପର ସୁପର-୪ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ବାଂଲାଦେଶକୁ ମାତ୍ ଦେଇ ସୁପର-୪ ପର୍ଯ୍ୟାୟରେ ଖାତା ଖୋଲିଛି ପାକିସ୍ତାନ । ଚଳିତ ବର୍ଷ ଏସିଆ କପ୍ ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କାରେ ଆୟୋଜିତ ହେଉଛି । ବିଭିନ୍ନ କାରଣରୁ ପାକିସ୍ତାନରେ ଖେଳିବାକୁ ଭାରତ ମନା କରିବା ପରେ ଟିମ୍ ଇଣ୍ଡିଆର ମ୍ୟାଚ୍ ସବୁ ଶ୍ରୀଲଙ୍କାରେ ହେବାକୁ ସ୍ଥିର ହୋଇଥିଲା । ତେବେ ଶ୍ରୀଲଙ୍କାରେ କିଛି ମ୍ୟାଚ୍ ହେବାରୁ ପାକିସ୍ତାନକୁ କ୍ଷତି ସହିବାକୁ ପଡିଛି । ତେଣୁ ଏହାର ଭରଣା କରିବାକୁ ଏବେ ଏସିଆନ କ୍ରିକେଟ କାଉନସିଲ ବା ଏସିସିକୁ କହିଛି ପିସିବି । ତେବେ ପିସିବି ପକ୍ଷରୁ ଏନେଇ କୌଣସି ଅଧିକାରିକ ଘୋଷଣା କରାଯାଇନାହିଁ ।

Advertisment

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ପିସିବି ଅଧ୍ୟକ୍ଷ ଏସିସି ମୁଖ୍ୟ ଜୟ ଶାହାଙ୍କୁ ଚିଠି ଲେଖି କ୍ଷତିପୂରଣ ଭରଣା କରିବାକୁ ଦାବି କରିଛନ୍ତି । ସେହିଭଳି ଶ୍ରୀଲଙ୍କାରେ ହେଉଥିବା ମ୍ୟାଚର କାର୍ଯ୍ୟସୂଚୀକୁ ନେଇ ଏସିସି ଉପରେ ବିରକ୍ତିଭାବ ପ୍ରକାଶ କରିଛି ପିସିବି । ପୂର୍ବରୁ ହୋଇଥିବା ବୈଠକରେ ଦୁଇ ଆୟୋଜକ ଦେଶ ଓ ଏସିସି ସଦ୍ୟସ ନିଷ୍ପତ୍ତି ନେଇଥିଲେ ଯେ, ମ୍ୟାଚର ଆୟୋଜନ ହମ୍ବନଟୋଟାରେ ହେବ । ଏଥିପାଇଁ ଶ୍ରୀଲଙ୍କାର ମୁଖ୍ୟ ପିଚ୍ କ୍ୟୁରେଟର ମଧ୍ୟ ସେଠାକୁ ଯାଇଥିଲେ । ଏପରିକି ପ୍ରସାରଣ ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ ସେଠାରେ ଆରମ୍ଭ ହୋଇଥିଲା । ଏନେଇ ଏସିସି ପକ୍ଷରୁ ଏକ ମେଲ୍ ମଧ୍ୟ ପିସିବି ନିକଟକୁ ଆସିଥିଲା । କିନ୍ତୁ କିଛି ସମୟ ପରେ ଏହି ମେଲକୁ ବିଚାର ନ କରିବାକୁ ଏସିସି ପକ୍ଷରୁ କୁହାଯାଇଥିଲା । ପରେ ଏସିସି ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କ୍ୟାଣ୍ଡି ଓ କଲମ୍ବୋରେ ହିଁ ମ୍ୟାଚ୍ ହେବ । ଯାହାକୁ ନେଇ ଏବେ ଆପତ୍ତି ଉଠାଇଛି ପିସିବି ।