ଭାରତ-ପାକିସ୍ତାନ ଦ୍ୱି-ପାକ୍ଷିକ ସିରିଜ୍ ଏବେ ଅସମ୍ଭବ । ପଢନ୍ତୁ, କିଏ ଓ କାହିଁକି କହିଲେ ଏପରି କଥା…

217

କନକ ବ୍ୟୁରୋ: କ୍ରିକେଟ୍ ପଡିଆରେ ଦର୍ଶକମାନେ ସବୁବେଳେ ଭାରତ-ପାକିସ୍ତାନ ମ୍ୟାଚକୁ ଚାତକ ଭଳି ଚାହିଁ ରହିଥାନ୍ତି । କାହିଁକି ନା, ଏହି ଦୁଇ ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବାରୁ, କ୍ରିକେଟ୍ ପଡିଆରେ ଏହାର ଝଲକ ଦେଖିବାକୁ ମିଳେ । ହେଲେ ଗତ କିଛି ବର୍ଷ ଧରି ଏହି ଦୁଇ ଦେଶ ମଧ୍ୟରେ ଦ୍ୱି-ପାକ୍ଷିକ ସିରିଜ୍ ଆୟୋଜିତ ହୋଇନାହିଁ । ତେବେ ଏବେ ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ନବ ନିଯୁକ୍ତ ଅଧ୍ୟକ୍ଷ ରମିଜ ରାଜା ।

ସୋମବାର ରମିଜ ରାଜା କହିଛନ୍ତି, ଭାରତ-ପାକିସ୍ତାନ ଭିତରେ ଏବେ ଦ୍ୱି-ପାକ୍ଷିକ ସିରିଜ୍ ଆୟୋଜନ କରିବା ଅସମ୍ଭବ । ଏବେ ସେ କେବଳ ଦେଶର ଘରୋଇ କ୍ରିକେଟ୍ ଉପରେ ନିଜର ଧାନ କେନ୍ଦ୍ରିତ କରିଛନ୍ତି । ତେବେ ୫୯ ବର୍ଷୀୟ ଏହି ପାକିସ୍ତାନ କ୍ରିକେଟରଙ୍କୁ ସର୍ବସମ୍ମତି କ୍ରମେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ଚୟନ କରାଯାଇଛି । ସୋମବାର ଔପଚାରିକ ଭାବେ ସେ କାର୍ଯ୍ୟଭାର ଗ୍ରହଣ କରିଥିବାବେଳେ ତାଙ୍କର ଏହି ବୟାନ ଏବେ ଚର୍ଚ୍ଚା ସୃଷ୍ଟି କରିଛି ।

ତା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜନୀତିର ପ୍ରଭାବ କ୍ରିକେଟ ଉପରେ ପଡିଛି । ତେବେ ଏହି ଘଟଣାକୁ ନେଇ ସେ ଚିନ୍ତିତ ନୁହଁନ୍ତି । ଭାରତ-ପାକ୍ ଭିତରେ ଏବେ କ୍ରିକେଟ୍ ସିରିଜ୍ ହେବା ଅସମ୍ଭବ । ଏବେ ସେ ପାକିସ୍ତାନର ଘରୋଇ କ୍ରିକେଟ୍ ଉପରେ ନିଜର ଧ୍ୟାନ ଦେଇଛନ୍ତି ବୋଲି କହିଛନ୍ତି ।

୨୦୦୮ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ କ୍ରିକେଟ ଦଳ ଆଉ ପାକିସ୍ତାନ ଗସ୍ତରେ ଯାଇନାହିଁ । ୨୦୧୩ ପରଠାରୁ ଦୁଇ ଦେଶ ମଧ୍ୟରେ କୌଣସି ବି ଦ୍ୱି-ପାକ୍ଷିକ ସିରିଜ୍ ଖେଳାଯାଇନାହିଁ । ସେହିପରି ୨୦୦୭-୦୮ ପରଠାରୁ ଦୁଇ ଦେଶ ମଧ୍ୟରେ ଟେଷ୍ଟ ମ୍ୟାଚଟିଏ ମଧ୍ୟ ଖେଳାଯାଇନାହିଁ । କେବଳ ଆଇସିସି ଟୁର୍ଣ୍ଣାମେଣ୍ଟ ଓ ଏସିଆ କପରେ ଦୁଇ ଦଳ ପରସ୍ପରର ମୁକାବିଲା କରିଥାନ୍ତି ।