କନକ ବ୍ୟୁରୋ : ୨୦୨୩ରେ ହେବାକୁ ଥିବା ଏସିଆ କପକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଲାଣି । ପାକିସ୍ତାନରେ ଏହି ଏସିଆ କପ୍ ଖେଳାଯିବାକୁ ଥିବା ବେଳେ ଭାରତ ବଡ ଝଟକା ଦେଇଛି । ଏସିଆ କପ୍ ଖେଳିବାକୁ ଭାରତ ପାକିସ୍ତାନ ଯିବ ନାହିଁ । ଏସିଆ କପ୍ ଅନ୍ୟ କୌଣସି ଭେନ୍ୟୁରେ କରାଯାଉ ବୋଲି ବିସିସିଆଇ ଦାବି କରୁଛି । ଆଉ ବିସିସିଆଇର ଏଭଳି ଆଭିମୁଖ୍ୟ ଦେଖି ଏବେ ରକ୍ତ ଚାଉଳ ଚୋବାଇବା ଆରମ୍ଭ କରିଛି ପାକିସ୍ତାନ । ଏପରିକି ଆସନ୍ତା ବର୍ଷ ଭାରତରେ ହେବାକୁ ଥିବ ବିଶ୍ୱକପରୁ ଓହରି ଯିବାକୁ ଧମକ ଦେଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏସବୁ ଭିତରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ବଦଳରେ ଏସିଆ କପ ଏକ ନିରପେକ୍ଷ ଭେନ୍ୟୁରେ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଆଉ ଏଭଳି ଚର୍ଚ୍ଚା ଭିତରେ ପାକିସ୍ତାନ ବୋର୍ଡର ଅଧ୍ୟକ୍ଷ ରମିଜ ରାଜା ଭାରତକୁ ପୁଣଥରେ ଧମକ ଦେବା ଆରମ୍ଭ କରିଛନ୍ତି । ରମିଜ୍ କହିଛନ୍ତି, ଯଦି ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଆସିବାକୁ ଚାହୁଁନି ତାହା ହେଲେ ଠିକ୍ ଅଛି । କିନ୍ତୁ ଏସିଆ କପ୍ ଯଦି ଅନ୍ୟ କୌଣସି ସ୍ଥାନକୁ ସିଫ୍ଟ କରାଯାଏ ତେବେ ପାକିସ୍ତାନ ନିଜ ନାଁ ଏହି ଟୁର୍ଣ୍ଣାମେଣ୍ଟରୁ ଫେରାଇନେବ । ଯାହା ଦର୍ଶାଉଛି ପାକିସ୍ତାନ ଏସିଆ କପ୍ ଆୟୋଜନକୁ ଏବେ ସବୁଠୁ ଅଧିକ ଗୁରୁତ୍ୱ ଦେଉଛି । କାରଣ ଏହି ବହୁ ଦେଶୀ ଟୁର୍ଣ୍ଣାମେଣ୍ଟ ହେଲେ ପାକିସ୍ତାନ କ୍ରିକେଟ ବୋର୍ଡର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ତେଣୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ଯେକୌଣସି ପରିସ୍ଥିତିରେ କରିବାକୁ ଚାହୁଁଛି ପାକିସ୍ତାନ ।
ରମିଜ କହିଛନ୍ତି, ଏମିତି ନୁହେଁ ଯେ ଆମ ପାଖରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନର ଅଧିକାର ନାହିଁ ଏବଂ ଏଥିପାଇଁ ଆମେ ଅପିଲ କରୁଛୁ । ଆମେ ଏସିଆ କପ୍ ଆୟୋଜନ ପାଇଁ ସମସ୍ତ ଅଧିକାର ପାଇଛୁ । ଯଦି ପାକିସ୍ତାନ ଆସିବାକୁ ଭାରତ ଚାହୁଁନି ତେବେ ନଆସୁ କିନ୍ତୁ ଏସିଆ କପ୍ ଆୟୋଜନ ଅଧିକାର ପାକିସ୍ତାନ ଠାରୁ ଯଦି ଛଡାଇ ନିଆଯାଏ ତେବେ ପାକିସ୍ତାନ ଟିମ୍ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ନିଜ ନାଁ ଫେରାଇନେବ । ଯଦି ଟିମ୍ ଇଣ୍ଡିଆ ଏସିଆ କପ ଖେଳିବାକୁ ଆସିବ ତେବେ ପାକିସ୍ତାନ ବିଶ୍ୱକପ୍ ଖେଳିବାକୁ ଯିବ । କିନ୍ତୁ ଯଦି ଟିମ୍ ଇଣ୍ଡିଆ ଏସିଆ କପ୍ ଖେଳିବାକୁ ନଆସେ ତେବେ ବିଶ୍ୱକପରେ ପାକିସ୍ତାନ ବିନା ଖେଳିବାକୁ ପଡିବ । ଏହାସହ ରମିଜ କହିଛନ୍ତି, ଯଦି ଆସନ୍ତାବର୍ଷ ଭାରତରେ ହେବାକୁ ଥିବା ବିଶ୍ୱକପ ପାକିସ୍ତାନ ଖେଳିବାକୁ ନଯାଏ ତେବେ ଏହାକୁ କିଏ ଦେଖିବ । ପାକିସ୍ତାନ ଟିମ୍ ଏବେ ଭଲ ପ୍ରଦର୍ଶନ କରୁଛି । ଏପରିକି ଟି-୨୦ ବିଶ୍ୱକପର ଫାଇନାଲ ଖେଳିଛି । ସମସ୍ତଙ୍କର ନଜର ପାକିସ୍ତାନ ଉପରେ ରହିଛି । ତେଣୁ ଏସିଆ କପ୍ ଆୟୋଜନରୁ ପାକିସ୍ତାନ ପଛକୁ ହଟିବାର ପ୍ରଶ୍ନ ଉଠୁନି ।
ରାଜନୈତିକ ବିବାଦ ଓ ସୁରକ୍ଷା ସମ୍ବନ୍ଧୀୟ କାରଣରୁ ଭାରତ-ପାକିସ୍ତାନ ମଧ୍ୟରେ ଗତ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ହେବ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳାଯାଇନାହିଁ । କେବଳ ଆଇସିସି ଟ୍ରୁ୍ଣ୍ଣାମେଣ୍ଟରେ ପରସ୍ପରକୁ ଭେଟିଥାନ୍ତି ଉଭୟ ଦଳ । ଶେଷଥର ପାଇଁ ୨୦୧୨ରେ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ ଖେଳାଯାଇଥିଲା । ସେତେବେଳେ ଭାରତ ଗସ୍ତରେ ଆସିଥିଲା ପାକିସ୍ତାନ । ସେହିଭଳି ଭାରତ ଶେଷଥର ପାଇଁ ୨୦୦୮ରେ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଗସ୍ତ କରିଥିଲା । ଏହାପରଠାରୁ ଦୀର୍ଘ ୧୪ ବର୍ଷ ହେବ ପାକିସ୍ତାନ ଗସ୍ତରେ ଯାଇନାହିଁ ଟିମ୍ ଇଣ୍ଡିଆ ।