ସାନବାବୁଙ୍କ ‘ପିସି’କାରବାର! ଦୁର୍ନୀତି ଭାଗରେ କିଏ ପାଆନ୍ତି କେତେ? ପିସି ଭାଗବବଣ୍ଟାର ହିସାବ ଦେଲେ ସରକାରୀ ବାବୁ, କ୍ୟାମେରାରେ ଧରାପଡ଼ିଲା ପୂରା ସତ…

340
କନକ ବ୍ୟୁରୋ: ପିସି ବା ସରକାରୀ କାମରେ ଦୁର୍ନୀତିର ଭାଗ । ଦୁର୍ନୀତିର ଏହି ଭାଗରେ କାହା ପାଖକୁ ଯାଏ କେତେ ପ୍ରତିଶତ । ମୋଟ୍ ୧୧ ପ୍ରତିଶତ ପିସିରୁ କିଏ କେତେ ପାଆନ୍ତି, ତାର ହିସାବ ଦେଉଛନ୍ତି ସରକାରୀ ବାବୁ । ଆଉ ପିସିର ମୂଳଚାଲ ଏବଂ ଭାଗବଂଟା ପୁରା ଚିତ୍ର କ୍ୟାମେରାରେ କଏଦ ହୋଇଛି । ୪ ଲକ୍ଷ ଟଙ୍କାର ଗୋଟିଏ କାମ ପାଇଁ କେତେ ଦୁର୍ନୀତିରେ ଚାଲିଯାଏ, ତାର ଏକ ରିପୋର୍ଟ ଦେଖନ୍ତୁ ଜଗତସିଂହପୁର ଜିଲ୍ଲା ପାଟେଣୀ ପଂଚାୟତରୁ ।
କ୍ୟାମେରାରେ କଏଦ ହେଲା ‘ପିସି’ ମୂଲଚାଲ୍
କାହାର କେତେ ଭାଗ ହିିସାବ ଦେଉଛନ୍ତି ବାବୁ
ଭିଡିଓରେ ନଜର ଆସୁଥିବା ଏହି ସରକାରୀ ବାବୁ ଜଣକ ହେଉଛନ୍ତି- ଜଗତସିଂହପୁର ବ୍ଳକ୍ ପାଟେଣି ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଶିମରନ ନାରାୟଣ ଦାସ । ବାବୁ ଜଣଙ୍କ ଅଫିସ ଛାଡ଼ି ଜଣେ ନେତାଙ୍କ ଘରେ ବସି ପିସିରେ କାହାର କେତେ ଭାଗ ତାର ହିସାବ ଦେଉଛନ୍ତି ।
ସରକାରୀ ବାବୁ- ଇଏଟା ହେଉଛି… ପିସି ପଳେଇଲା ଜେଇର, ତା’ ପରେ ଚେୟାରମ୍ୟାନ୍ ୩, ଜିପି ଏକ୍ ।
ମଠ କର୍ମଚାରୀ-୧୧ ପରସେଂଟ୍ ହୋଇଗଲା
ସରକାରୀ ବାବୁ- ନା ନା’ ୯ ପରସେଂଟ୍, ସେୟାଡୁ ଗୋଟେ କମିଲା
ମଠ କର୍ମଚାରୀ- ଲାଗୁଛି ଆହୁରୀ ଲକ୍ଷେ ଟଙ୍କା ଖଣ୍ଡେ ହାତରୁ ଯିବ
ମଠ କର୍ମଚାରୀ-ମୋର କହିବା କଥା ସାର୍…ପୁଣି ପରବର୍ତ୍ତୀ ବିଲ୍ରେ…ଟୋଟାଲ୍ ୪ ଲକ୍ଷ ପାଇଁ ଇଟା ନାଁ ଆହୁରୀ ଦେବାକୁ ପଡ଼ିବ?
ସରକାରୀ ବାବୁ- ୩ରେ ହିସାବ କରୁନ
ମଠ କର୍ମଚାରୀ- ୮୦ରେ ପୁଣି ନେବେ
ସରକାରୀ ବାବୁ-ସେଇଟା କୁହନି
ଭାଇରାଲ ହେଉଥିବା ଏହି ଭିଡିଓରେ ୧୧ ପ୍ରତିଶତ ପିସିର ପୁରା ହିସାବ ଦେଉଛନ୍ତି ସରକାରୀ ବାବୁ । ପାଟେଣି ଗାଁ ପଂଚାୟତ ବିଅଁଳ-ପ୍ରହରାଜପୁର ଗୋପାଳଜୀଉ ମଠ ପାଇଁ ଗତ ୨୦୧୯ ମସିହାରେ ଆମ ଗାଁ ଆମ ବିକାଶ ଯୋଜନାରେ ୪ ଲକ୍ଷ ଟଙ୍କା ଗୃହ ନିର୍ମାଣ ପାଇଁ ଆସିଥିଲା । କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ରହିଥିଲା । ଯନ୍ତ୍ରୀଙ୍କ ନାମରେ ଥିଲେ ବି ମଠର ମହନ୍ତ କେଶବ ଦାସ ମହାରାଜଙ୍କୁ କାର୍ଯ୍ୟ କରିବାକୁ ଜେଇ ଏକ ବୈଠକରେ ଆଲୋଚନା କରି କହିଥିଲେ । ଏହାପରେ ମହନ୍ତଙ୍କ ତତ୍ୱାବଧାନରେ କାର୍ଯ୍ୟ କରାଯାଇଥିଲା । ମହନ୍ତ ଅଟକଳ ମୂଲ୍ୟ ଠାରୁ ଅଧିକ ୫୭ ହଜାର ୬୦୦ ଟଙ୍କା ଖର୍ଚ୍ଚ କରିଛନ୍ତି । ଏବେ ରନିଂ ବିଲ୍ ୩ ଲକ୍ଷ ୩ ହଜାର ଟଙ୍କା କରାଯାଇଥିବା ବେଳେ ପିଇଓ ୨ ଲକ୍ଷ ୭୬ ହଜାର ଚେକ୍ ଦେଇଥିଲେ । ପ୍ରଶ୍ନ କରିବାରୁ ୩ ଲକ୍ଷ ୩ ହଜାର ଟଙ୍କା ବିଲ୍ରେ ୨୭ ହଜାର ଟଙ୍କା ପିସି କଟାଯାଇଛି ବୋଲି ପିଇଓ କହିଛନ୍ତି । ଅବଶିଷ୍ଟ ଟଙ୍କା ପାଇଁ ମଧ୍ୟ ପିସି ଦେବାକୁ ପଡ଼ିବ ବୋଲି କହିଥିଲେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
ପିସି କାରବାର ଭିଡ଼ିଓ ଭାଇରାଲ୍ ପରେ ପ୍ରଶାସନର ନିଦ ଭାଙ୍ଗିଛି । ଜିଲ୍ଲାପାଳ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପିଇଓଙ୍କୁ ନିଲମ୍ବନ କରିଛନ୍ତି । ପୂର୍ବରୁ ମଧ୍ୟ ତିର୍ତ୍ତୋଲ ବ୍ଳକ୍ ଗୋପାଳପୁର ପଂଚାୟତରେ ପିସି କାରବାର, ଭତ୍ତା ଦୁର୍ନୀତି, ରେସନକାର୍ଡ କେଳେଙ୍କାରୀରେ ଧରା ପଡ଼ି ପିଇଓ ହିମାଂଶୁ ଭୂଷଣ ନାକଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଥିଲେ । ଏଥିରେ ବିବାଦକୁ ଆସିଥିବା ତିର୍ତ୍ତୋଲ ବିଡ଼ିଓ ରଂଜନ ପରିଡ଼ାଙ୍କର ମଧ୍ୟ ବଦଳି ହୋଇଥିଲା । ଜଗତସିଂହପୁର ଜିଲ୍ଲାରେ ସରକାରୀ ହରିଲୁଟ୍ର ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିବା ପରେ, ପ୍ରଶାସନିକ ଅଧିକାରୀଙ୍କ ଭିତରେ କେତେ ସ୍ୱଚ୍ଛତା ରହିଛି ତାକୁ ନେଇ ପ୍ରଶ୍ନ ଉଠିଛି?