ପେଟିଏମ ୟୁଜର୍ସଙ୍କ ଦ୍ୱନ୍ଦ୍ୱ ଦୂର କଲେ କମ୍ପାନୀ ସିଇଓ । ବିଜୟ ଶେଖର ଶର୍ମା କହିଲେ କରନ୍ତୁନି ଚିନ୍ତା, ୨୯ ପରେ ବି ଚାଲିବ ପେଟିଏମ ଆପ୍

1,008

କନକ ବ୍ୟୁରୋ : ପେଟିଏମ୍ ପେମେଂଟସ୍ ବ୍ୟାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆରବିଆଇ । ଫେବୃଆରୀ ୨୯ ପରଠାରୁ ପେଟିଏମ୍ ଗ୍ରାହକଙ୍କ ଠାରୁ ଜମା ସଂଗ୍ରହ କରିପାରିବ ନାହିଁ କି ରଣ କାରବାର ମଧ୍ୟ କରିପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ପେଟିଏମ ବ୍ୟାଙ୍କରେ ଥିବା ଟଙ୍କାକୁ ମଧ୍ୟ ଉଠାଇ ନେବାକୁ ପରାମର୍ଶ ଦେଇଛି ଆରବିଆଇ । ଏଭଳି କାର୍ଯ୍ୟାନୁଷ୍ଠାନ ପରେ ୟୁଜର୍ସ ମାନଙ୍କ ମଧ୍ୟରେ ଚିନ୍ତା ବଢିଛି । ଆଗକୁ କଣ କରିବେ, କଣ ନାହିଁ; ଏନେଇ ପେଟିଏମ ୟୁଜର୍ସଙ୍କ ମଧ୍ୟରେ ଦ୍ୱନ୍ଦ ଉପୁଜିଛି । ତେବେ ଆପଣ ଯଦି ପେଟିଏମ ବ୍ୟବହାରକାରୀ, ଫେବୃଆରୀ ୨୯ ପରେ କଣ କରିବେ ନଜର ପକାନ୍ତୁ ଏସବୁ ତଥ୍ୟ ଉପରେ-

କଣ କରିବେ, କଣ ନାହିଁ?
• ଫେବ୍ରୃଆରୀ ୨୯ ପରେ ବି ପେଟିଏମ୍ ପେମେଣ୍ଟ ବ୍ୟାଙ୍କରୁ ଟଙ୍କା ଉଠାଇ ପାରିବେ ବ୍ୟବହାରକାରୀ
• ଏହି ଟଙ୍କାକୁ ଅନ୍ୟ ବ୍ୟାଙ୍କରେ ଥିବା ଜମାଖାତା, ପ୍ରିପେଡ୍ କାର୍ଡକୁ ମଧ୍ୟ ଟ୍ରାନ୍ସଫର କରିପାରିବେ
• ପେମେଣ୍ଟ ବ୍ୟାଙ୍କରେ ଥିବା ଟଙ୍କାରୁ ମୋବାଇଲ ରିଚାର୍ଜ ମଧ୍ୟ କରିହେବ
• ପ୍ରଥମରୁ ଜମା ଥିବା ଟଙ୍କା ଉଠାଣ କରିପାରିବେ
• ଫେବ୍ରୃଆରୀ ୨୯ ପରେ ପେମେଣ୍ଟ ବ୍ୟାଙ୍କରେ ଟଙ୍କା ଜମା କରିପାରିବେ ନାହିଁ ବ୍ୟବହାରକାରୀ
• ଆରବିଆଇ ଦେଇଥିବା ସମୟସୀମା ପରେ କାମ କରିବନାହିଁ ପେଟିଏମ୍ ବିଜନେସ୍ଣ୍ଟ ଆକାଉ

ଫେବ୍ରୃଆରୀ ୨୯ପରେ ବି ପେଟିଏମ ଆପ ପୂର୍ବ ପରି ଚାଲୁ ରହିବ ବୋଲି ଟ୍ୱିଟ୍ କରି ୟୁଜର୍ସମାନଙ୍କୁ ଆଶ୍ୱସ୍ତ କରିଛନ୍ତି ପେଟିଏମ୍ ସିଇଓ ବିଜୟ ଶଙ୍କର ଶର୍ମା । ରିଜର୍ଭ ବ୍ୟାଙ୍କଙ୍କ ନିର୍ଦ୍ଦେଶ ବ୍ୟବହାରକାରୀଙ୍କ ସେଭିଂ ଆକାଉଣ୍ଟ, ୱାଲେଟ୍, ଫାଷ୍ଟଟ୍ୟାଗ, ଏନସିଏମସି ଆକାଉଣ୍ଟକୁ ପ୍ରଭାବିତ କରିପାରିବ ନାହିଁ ବୋଲି ସେ କହିଛନ୍ତି । ଏଥି ସହିତ ଅତୁଟ ସମର୍ଥନ ପାଇଁ ବ୍ୟବହାରକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି କମ୍ପାନୀର ସିଇଓ ।

ନିୟମ ଉଲ୍ଲଂଘନ ଅଭିଯୋଗରେ ପେଟିଏମ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଆରବିଆଇ । ପେଟିଏମକୁ ସ୍ଥାପନ କରିଥିବା ସଂସ୍ଥା ୱାନ-୯୭ କମ୍ୟୁନିକେସନ ଲିମିଟେଡ଼ ଏବଂ ଏହାର ନୋଡାଲ ଆକାଉଣ୍ଟକୁ ଆରବିଆଇ ପକ୍ଷରୁ ରଦ୍ଦ କରାଯାଇଛି ।