ଅନଲାଇନ ଠକେଇ ରୋକିବାକୁ ପେଟିଏମର ବଡ ପଦକ୍ଷେପ । ଗ୍ରାହକଙ୍କ ପାଇଁ ଆରମ୍ଭ କଲା ନୂଆ ସେବା, ଠକେଇ ସମ୍ଭାବନା ଥିଲେ ଆଗୁଆ ମିଳିବ ସିକ୍ୟୁରିଟି ଆଲର୍ଟ । 

393

ସରକାର ଗୋଟିଏ ପଟେ ଡିଜିଟାଲ ଇଣ୍ଡିଆକୁ ପୋତ୍ସାହିତ କରିବାକୁ ଅନଲାଇନ ଟ୍ରାଞ୍ଜାକସନ ଉପରେ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ଅନ୍ୟପଟେ ଦିନକୁ ଦିନ ବଢି ଚାଲିଛି ଅନଲାଇନ ଠକେଇ । ଯାହାକୁ ରୋକିବା ଦିଗରେ ସେଭଳି ବିଶେଷ ତତ୍ପରତା ଦେଖାଯାଉନାହିଁ । ଯେଉଁଥିପାଇଁ ଅନଲାଇନ ଠକେଇ ଗ୍ୟାଙ୍ଗ ଏବେ ସକ୍ରିୟ ହୋଇ ଉଠିଛନ୍ତି । ପ୍ରତ୍ୟେକ ଦିନ ଲକ୍ଷାଧିକ ଟଙ୍କାର ଅନଲାଇନ ଠକେଇ ଖବର ସାମ୍ନାକୁ ଆସୁଛି । ଭାରତରେ ପ୍ରତି ଦଶ ମିନିଟରେ ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଥାନ୍ତି ।

ଏପରିକି କିଛି ଆପ୍ ଦ୍ୱାରା ମଧ୍ୟ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ଖାଲି ହୋଇ ଯାଉଛି ।ତେବେ ନିଜ ଗ୍ରାହକଙ୍କୁ ଏଭଳି ଠକଙ୍କ ଠାରୁ ବଞ୍ଚାଇବାକୁ ପେଟିଏମ ବଡ ପଦକ୍ଷେପ ନେଇଛି । ପେଟିଏମ ପେମେଣ୍ଟ ବ୍ୟାଙ୍କ୍ ତରଫରୁ ଗୃହ ମନ୍ତ୍ରଣାଳୟ, ଟ୍ରାଇ ଓ ‘ସିଇଆରଟି-ଇନ’କୁ ୩୫୦୦ ଫୋନ ନମ୍ବର ଦେଇଛି । ଯେଉଁ ଫୋନ୍ ନମ୍ବରରୁ ଗ୍ରାହକଙ୍କୁ କଲ୍ କରି ଠକୁଛନ୍ତି କିଛି ଅନଲାଇନ୍ ଠକ ।

ଏହାଛଡା ପେଟିଏମ ପେମେଣ୍ଟ ବ୍ୟାଙ୍କ୍ ଏକ ନୂଆ ଫିଚର ମଧ୍ୟ ଲଞ୍ଚ କରିଛି । ଯେଉଁ ଫିଚର ସାହାଯ୍ୟରେ ୟୁଜର୍ସ ଏଭଳି କିଛି ଆପକୁ ଚିହ୍ନଟ କରିପାରିବେ ଯାହାଦ୍ୱାରା ଠକେଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଏହି ସିକ୍ୟୁରିଟି ଫିଚର ୟୁଜର୍ସଙ୍କ ମୋବାଇଲ ଫୋନରେ ଥିବା ଆପକୁ ସ୍କାନ କରିବ । ଯଦି କୌଣସି ଏଭଳି ଆପ ମିଳେ ଯାହାଦ୍ୱାରା ୟୁଜର୍ସଙ୍କ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଯିବାର ସମ୍ଭାବନା ରହିଥିବ ତେବେ ଏହି ସିକ୍ୟୁରିଟି ଆଲର୍ଟ ମିଳିବ । ସିକ୍ୟୁରିଟ୍ ଆଲର୍ଟ ମିଳିବା ମାତ୍ରେ ଏହି ଆପକୁ ୟୁଜର୍ସଙ୍କୁ ଅନ୍ ଇନଷ୍ଟଲ କରିବାକୁ ପଡିବ । ନଚେତ୍ ପେମେଣ୍ଟ ବ୍ୟାଙ୍କରୁ କୌଣସି ଟ୍ରାଞ୍ଜାକସନ କରିପାରିବେ ନାହିଁ ୟୁଜର୍ସ । ଯଦି ଏହାସତ୍ତେ୍ୱ ମଧ୍ୟ ୟୁଜର୍ସ ଟ୍ରାଞ୍ଜାକସନ କରିବାକୁ ଚାହିଁବେ ତେବେ ଏହା ପୂରା ହେବା ପୂର୍ବରୁ ଆପଣାଛାଏଁ ବ୍ଲକ ହୋଇଯିବ ।

ପେଟିଏମ ପେମେଣ୍ଟ ବ୍ୟାଙ୍କ ଗୃହ ମନ୍ତ୍ରାଳୟ, ଟ୍ରାଇ ଓ ସିଇଆରଟିକୁ କେବଳ ୩୫୦୦ ମୋବାଇଲ ନମ୍ବର ଦେଇନାହିଁ ବରଂ ଏଭଳି ଅନଲାଇନ ଠକେଇକୁ ରୋକିବାକୁ ଏହି ନମ୍ବର ପଞ୍ଜିକୃତ ଥିବା ବ୍ୟକ୍ତିଙ୍କ ନାଁରେ ମଧ୍ୟ ସାଇବର ସେଲରେ ଅଭିଯୋଗ କରିଛି ।