ଭାରତରେ ପେମେଣ୍ଟ୍ ସେବା ଆରମ୍ଭ କରିବାରେ ଗୁଗୁଲ୍ ଠାରୁ ପଛୁଆ ରହିଥିବା ହ୍ବାଟସ୍ଆପ୍ ଖୁବ୍ଶୀଘ୍ର ଏହାର ବ୍ୟବହାରକାରୀଙ୍କୁ ପେମେଣ୍ଟ୍ ସୁବିଧା ପ୍ରଦାନ କରିବ। ଏଥିପାଇଁ କଂପାନି ଜୋରଦୋର ଉଦ୍ୟମ ଜାରି ରହିଛି। ପେମେଣ୍ଟ୍ ସେବା ଆରମ୍ଭ କରିବା ପାଇଁ ଅନୁମତି ଦେବାକୁ ହ୍ବାଟସ୍ଆପ୍ର ମୁଖ୍ୟ କ୍ରିସ୍ ଡାନିଏଲ୍ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖିଛନ୍ତି। ପେମେଣ୍ଟ୍ ସେବା ଆରମ୍ଭ କରିବା ପାଇଁ ଫେସବୁକ୍ ଅଧିନରେ ଥିବା ହ୍ବାଟସ୍ଆପ୍ ଦୁଇ ବର୍ଷ ହେଲାଣି ଉଦ୍ୟମ କରୁଛି। ଏକ ନିୟୁତ ଗ୍ରାହକଙ୍କୁ ନେଇ ଏହା ନିଜ ପେମେଣ୍ଟ୍ ସେବାର ସଫଳତାର ସହ ପରୀକ୍ଷଣ ମଧ୍ୟ କରିସାରିଛି।

Advertisment

publive-image

କିନ୍ତୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳୁନଥିବାରୁ କଂପାନି ଏହାର ସେବା ଆରମ୍ଭ କରିପାରୁନାହିଁ। ଗତ ନଭେମ୍ବର ୫ରେ ଡାନିଏଲ୍ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କୁ ଚିଠି ଲେଖିଥିଲେ। ଚିଠିରେ ସେ ଜଣାଇଛନ୍ତି ଯେ, ଆମେ ହ୍ବାଟସ୍ଆପ୍ର ଭିମ୍ ୟୁପିଆଇ ସୁବିଧାକୁ ଭାରତରେ ଥିବା ସମସ୍ତ ବ୍ୟବହାରକାରୀଙ୍କ ପାଖରେ ତୁରନ୍ତ ପହଞ୍ଚାଇବାକୁ ଚାହୁଁଛୁ। ଏହି ବ୍ୟବହାର ଉପଯୋଗୀ ଓ ସୁରକ୍ଷିତ ସେବା ଜରିଆରେ ଲୋକମାନଙ୍କ ଜୀବନରେ ପରିବର୍ତନ ଆଣିବା ସହ ଆର୍ଥିକ ଅନ୍ତଭୁର୍କ୍ତୀକରଣକୁ ବଢ଼ାଇବା ପାଇଁ ଆମକୁ ସୁଯୋଗ ଦିଅନ୍ତୁ ବୋଲି ରିଜର୍ଭ ବ୍ୟାଙ୍କକୁ ଡାନିଏଲ୍ ଅନୁରୋଧ କରିଛନ୍ତି। ପେମେଣ୍ଟ୍ ସେବା ପାଇଁ ହ୍ବାଟସ୍ଆପ୍ର ସହଯୋଗୀ ହୋଇଥିବା ବ୍ୟାଙ୍କଗୁଡ଼ିକ ମଧ୍ୟ ମଞ୍ଜୁରି ପାଇଁ ରିଜର୍ଭ ବ୍ୟାଙ୍କ ନିକଟରେ ଆବେଦନ କରିଛନ୍ତି। ପେମେଣ୍ଟ୍ ସେବା ପାଇଁ ହ୍ବାଟସ୍ଆପ୍ ବିଭିନ୍ନ ବ୍ୟାଙ୍କ ଓ ଭାରତୀୟ ଜାତୀୟ ପେମେଣ୍ଟ୍ କର୍ପୋରେସନ୍ (ଏନ୍ପିସିଆଇ) ସହ ମିଶି କାମ କରୁଛି। ହ୍ବାଟସ୍ଆପ୍ ଏଭଳି ଏକ ସମୟରେ ରିଜର୍ଭ ବ୍ୟାଙ୍କର ଅନୁମତି ଲୋଡ଼ିଛି, ଯେତେବେଳେ ମିଥ୍ୟା ଖବରକୁ ନେଇ କଂପାନି ଉପରେ ସରକାର କ୍ଷୁବ୍ଧ ଅଛନ୍ତି। ମିଥ୍ୟା ଖବରକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ କଂପାନି ଉପରେ ସରକାର ଚାପ ପକାଉଛନ୍ତି।