କନକ ବ୍ୟୁରୋ: ପାଟିରେ ଚମକ୍ରାର ଚିତ୍ରକଳା । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତ ଗୋଡ଼ ହରାଇବା ପରେ ଜୀବନ ଯୁଦ୍ଧରେ ହାର ମାନିନାହାନ୍ତି ବଲାଙ୍ଗିରର ପାୟଲ ନାଗ । ପାଟିରେ ସୁନ୍ଦର ସୁନ୍ଦର ଚିତ୍ରାଙ୍କନ କରି ସେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପାୟଲଙ୍କୁ ପ୍ରଶଂସା କରିଛନ୍ତି । ଟୁଇଟ କରି ପାୟଲଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ପାୟଲଙ୍କ ଏହି ସଫଳତା ପଛରେ ଜିଲ୍ଲାପାଳ ଚଞ୍ଚଲ ରଣାଙ୍କ ସହଯୋଗ ରହିଛି ।
ସୂଚନା ଅନୁସାରେ ପାୟଲଙ୍କ ବାପା ମା’ କାମ ଧନ୍ଦା ପାଇଁ ଦାଦନ ଖଟିବାକୁ ରାୟପୁର ଯାଇଥିଲେ । ସେଠାରେ ପାୟଲ ତାଙ୍କ ଭାଇ ସହ ଖେଳିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ । ଏହି ଦୁର୍ଘଟଣାରେ ତାଙ୍କ ଜୀବନ ସିନା ବଞ୍ଚିଯାଇଥିଲା ହେଲେ ହରାଇବାକୁ ପଡ଼ିଥିଲା ତାଙ୍କର ଦୁଇ ହାତ ଗୋଡ଼ । ଯାହା ଥିଲା ତାଙ୍କ ଜୀବନର ସବୁଠାରୁ ଦୁଃଖର ସମୟ । ଦେହ ଭଲ ହେବା ପରେ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ପାୟଲ । ପାୟଲଙ୍କ ପାଠ ପଢିବାର ଆଗ୍ରହ ଦେଖି ଜିଲ୍ଲାପାଳ ସହଯୋଗର ହାତ ବଢାଇଥିଲେ । ଏବେ ପାୟଲ ବଲାଙ୍ଗିର ସହରର ପଥରଚେପା ଠାରେ ଥିବା ପାର୍ବତୀଗିରି ଆଶ୍ରମରେ ରହିବା ସହ ପଲ୍ଲିଶ୍ରୀ ଉଚ୍ଚବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି । ଏହାସହ ଭଲ ଚିତ୍ର ମଧ୍ୟ ଆଙ୍କୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/FhIOvoaUcAAg9TY.jpg)