କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । ରାଜନୈତିକ ଦଳରେ ଟିକେଟ ଆଶାୟୀଙ୍କ ତାଲିକା ଲମ୍ବୁଛି । ଦଳିୟ ଟିକେଟ୍ ଆଶାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି ଆଶାୟୀ । ଏହାରି ଭିତରେ ଟଙ୍କା ଦିଅ କଂଗ୍ରେସ ଟିକେଟ ନିଅ ଖବର ଚର୍ଚ୍ଚାକୁ ଆସିବା ପରେ ସତର୍କ କରାଇଛି ପିସିିସି । ସବୁ ଜିଲ୍ଲା ସଭାପତି ଓ ରାଜ୍ୟ ସାମ୍ମୁଖ୍ୟଙ୍କୁ ଚିଠି ପଠାଯାଇଛି । କୌଣସି ନେତା ଏଭଳି ଖବରକୁ ବିଶ୍ୱାସ ନକରିବାକୁ ପିସିସି ପକ୍ଷରୁ ପରାମର୍ଶ ଦିଆଯାଇଛି ।

Advertisment

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଏକ ଫତ୍ୱା ଜାରି କରିଛି ରାଜ୍ୟ କଂଗ୍ରେସ, ଯାହାକୁ ନେଇ ରୋଚକ ହୋଇଛି ରାଜନୈତିକ ଚର୍ଚ୍ଚା । ଏଥିରେ କୁହାଯାଇଛି-ଆଶାୟୀଙ୍କୁ ଦଳୀୟ ପ୍ରାର୍ଥୀ କରିବାର ପ୍ରତିଶ୍ରୁତି ଦେଇ ଟଙ୍କା ଅଦାୟ କରୁଛନ୍ତି କିଛି ବ୍ୟକ୍ତି । ଏମିତି ଏଭଳି ମିଥ୍ୟା ପ୍ରତିଶ୍ରୁତିରେ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛି ଦଳ ।

ବିଧିବଦ୍ଧ ଭାବେ ଯେତେବେଳେ ପ୍ରଦେଶ କଂଗ୍ରେସ ପକ୍ଷରୁ ଚିଠି କରି ଯଦି କୁହାଯିବ, ଟିକେଟ୍ ନାଁରେ କିଛି ବ୍ୟକ୍ତି ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି, ତାକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ । ପିସିସି ନଜରକୁ ଏଭଳି କିଛି ଖବର୍ ଆସିବା ପରେ, ଏହାକୁ ବିଶ୍ୱାସ ନକରିବା ପାଇଁ ସତର୍କ କରାଯାଇଛି । ଉଭୟ ବିଧାନସଭା ଓ ଲୋକସଭା ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବାର ପ୍ରତିଶ୍ରୁତି ଦେଇ କିଛି ବ୍ୟକ୍ତ ବିଶେଷ ଟଙ୍କା ଆଦାୟ କରୁଥିବା ଚିଠିରେ ଉଲ୍ଲେଖ ରହିଛି । ଏଭଳି ଅଭିଯୋଗ ଆସିବା ପରେ ସବୁ ଜିଲ୍ଲା ସଭାପତି ଓ ରାଜ୍ୟ ସାମ୍ମୁଖ୍ୟଙ୍କୁ ପିସିସି ପକ୍ଷରୁ ଚିଠି ଦିଆଯାଇଛି ।

ତେବେ କଂଗ୍ରେସର ଏଭଳି ଦାବିକୁ କଟାକ୍ଷ କରିଛି ବିଜେପି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି-କଂଗ୍ରେସର ଏହା ପୁୁରୁଣା ରୋଗ । ପୂର୍ବରୁ ମଧ୍ୟ ଶାସକ ଦଳର ସହ ସନ୍ଧି କରି ୭୫ରୁ ୮୦ ସିଟର ଅମାନତ ହରାଇଛି କଂଗ୍ରେସ । ସେପଟେ, କଂଗ୍ରେସ ପକ୍ଷରୁ କରାଯାଇଥିବା ଚିଠିକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ବରିଷ୍ଠ ସାମ୍ବାଦିକ । ରାଜନୈତିକ ବିଶେଷଜ୍ଞଙ୍କ ମତରେ ଏହା କଂଗ୍ରେସର ଗେମ୍ ପ୍ଲାନ୍ ହୋଇପାରେ ।

ଆଗକୁ ଆସୁଛି ସାଧାରଣ ନିର୍ବାଚନ । ୨୪ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି ସବୁ ରାଜନୈତିକ ଦଳ । ଏହାରି ଭିତରେ ଦଳୀୟ କର୍ମକର୍ତାଙ୍କ ନିକଟକୁ ପିସିସିର ନୋଟିସ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।