ପାଖରେ ଗାଡି କାଗଜପତ୍ର ନଥିଲେ ବି ଚାଲାଣ କଟିଛି କି? ତେବେ ୧୫ ଦିନ ମଧ୍ୟରେ ଗାଡି କାଗଜପତ୍ର ଦାଖଲ କରି ରଦ୍ଦ କରିପାରିବେ ଚାଲାଣ । ଜାଣନ୍ତୁ ନିୟମ

1,089

କନକ ବ୍ୟୁରୋ: ନୂଆ ମୋଟର ଭେଇକିଲ୍(ସଂଶୋଧିତ) ଆକ୍ଟ ୨୦୧୯ ଅଧୀନରେ ଅନେକ ଗାଡ଼ି ଚାଳକ ମୋଟା ଅଙ୍କର ଜରିମାନା ଦେଇ ସାରିଛନ୍ତି। କିଏ ଜାଣେ, ଆପଣ ବି କେତେବେଳେ ସେ ସମସ୍ୟାର ସମ୍ମୁଖୀନ ନହେବେ? ମାତ୍ର ଏହି ସମସ୍ୟାରୁ ମୁକୁଳିବା ପାଇଁ ଏକ ସୁବିଧା ବାଟ ରହିଛି। ମାତ୍ର ୧୦୦ ଟଙ୍କା ଜରିମାନା ଦେଇ ଆପଣ ଟ୍ରାଫିକ୍ ପୁଲିସ୍ କବଳରୁ ସହଜରେ ମୁକୁଳି ପାରିବେ। ସବୁ ଲୋକ ଏହି ନିୟମ ବିଷୟରେ ଜାଣନ୍ତି ନାହିଁ ଯେଉଁଥିପାଇଁ ସେମାନଙ୍କୁ ଜରିମାନା ଆକାରରେ ମୋଟା ରକମର ପୈଠ କରିବାକୁ ପଡ଼ିଥାଏ।

ଗାଡିର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର( ଡ୍ରାଇଭିଂ ଲାଇସେନ୍ସ, ଆରସି, ବୀମା କାଗଜପତ୍ର, ପ୍ରଦୂଷଣ ପ୍ରମାଣପତ୍ର) ବାବଦକୁ ଚାଲାଣ କଟାଯାଉଛି ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଯଦି ଆପଣଙ୍କ ନିକଟରେ ଏହି ସବୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଅଛି ଓ ଆପଣ ତାହାକୁ ଘରେ ଛାଡ଼ି ଦେଇ ଆସିଛନ୍ତି ତେବେ ଏପରି ପରିସ୍ଥିତିରେ ମାତ୍ର ୧୦୦ ଟଙ୍କା ଖର୍ଚ କରି ଟ୍ରାଫିକ୍ ପୁଲିସ୍ କବଳରୁ ନିଜକୁ ବଞ୍ଚାଇ ପାରିବେ।

ଯଦି ଘରେ ଏହି କାଗଜପତ୍ର ରହିଛି ତେବେ ଚାଲାଣ ବାବଦକୁ ଆଦୌ ଜରିମାନା ଦିଅନ୍ତୁ ନାହିଁ । କାରଣ ଏହି କାଗଜପତ୍ର ଦାଖଲ କରିବା ପାଇଁ ଗାଡି ଚାଳକଙ୍କ ନିକଟରେ ୧୫ ଦିନ ପର୍ଯ୍ୟନ୍ତ ସମୟ ରହିଛି । ଏହି ସମୟସୀମା ମଧ୍ୟରେ କାଗଜପତ୍ର ଦାଖଲ କରିପାରିଲେ ଆପଣଙ୍କୁ ଜରିମାନା ବାବଦକୁ ଟଙ୍କାଟିଏ ଦେବାକୁ ପଡିବ ନାହିଁ । କିନ୍ତୁ ଯେଉଁ କାଗଜପତ୍ର ଗାଡି ଚାଳକ ଦେଖାଇବେ ତାହା ଚାଲାଣ କଟିବା ତାରିଖ ପୂର୍ବରୁ ଇସ୍ୟୁ ହୋଇଥିବା ଆବଶ୍ୟକ ।ତେବେ ଚାଲାଣ ରଦ୍ଦ କରିବା ପାଇଁ ଆପଣଙ୍କୁ ୧୦୦ ଟଙ୍କା ଜମା କରିବାକୁ ପଡିବ । ଏହାଦ୍ୱାରା ଗାଡି ଚାଳକଙ୍କ ନାଁରେ କଟାଯାଇଥିବା ଚାଲାଣ ରଦ୍ଦ ହୋଇଯିବ ।

ତେବେ ହେଲମେଟ ନ ପିନ୍ଧିବା, ସିଟ୍ ବେଲ୍ଟ ନ ଲଗାଇବା, ରଙ୍ଗ୍ ରୁଟରେ ଗାଡି ନେବା, ମଦ୍ୟପାନ କରି ଗାଡି ଚଳାଇବା, ବାଇକରେ ତିନି ଜଣିଆ ଯିବା ପାଇଁ ଯେଉଁ ଚାଲାଣ କଟାଯାଇଥାଏ ସେ ବାବଦକୁ ଚାଳକଙ୍କୁ ଜରିମାନା ଦେବାକୁ ପଡିବ ।