କନକ ବ୍ୟୁରୋ : ଏନସିପି ଦଖଲ ନେଇ ଅଜିତ ପାୱାର ଓ ଶରଦ ପାୱାରଙ୍କ ମଧ୍ୟରେ ଲଢେଇ ଜୋରଦାର ହୋଇଛି । ଅଜିତ ପାୱାରଙ୍କ ଆକ୍ରମଣ ଓ ଶରଦଙ୍କ ପାଲଟା ଜବାବକୁ ନେଇ ସରଗରମ ହୋଇଛି ମହାରାଷ୍ଟ୍ର ରାଜନୀତି । ସଂଖ୍ୟା ଖେଳରେ ଅଜିତ ପାୱାରଙ୍କ ଠାରୁ ବୁଧବାର ମାତ୍ ଖାଇବା ପରେ ଆଜି ଦିଲ୍ଲୀରେ ଏନସିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି ଶରଦ ପାୱାର । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଶରଦ ପାଓକ୍ୱାର ବହୁ ଗୁରୁତ୍ୱପ୍ରୂ୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Advertisment

ଆଜି ଦିନ ଦ୍ୱିପ୍ରହରରେ ୱାର୍କିଂ କମିଟି ବୈଠକ ଅନୁଷ୍ଠିତ ହେବ । ନିର୍ବାଚନ କମିସନଙ୍କ ପାଖରେ ଅଜିତ ପାୱାର ଗୋଷ୍ଠୀଙ୍କ ପକ୍ଷରୁ ଦିଆଯାଇଥିବା ପିଟିସନରେ ଅଜିତ ପାୱାରଙ୍କୁ ଦଳର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦର୍ଶାଯାଇଛି । ସବୁ ବିଧାୟକଙ୍କ ସହମତିରେ ଅଜିତ ପାୱାର ଦଳର ଅଧ୍ୟକ୍ଷ ହୋଇଥିବା ଉଲ୍ଲେଖ ରହିଛି । ତେଣୁ ଆଜିର ଦିଲ୍ଲୀ ବୈଠକରେ ଶରଦ ପାୱାର ଏହି ନିଷ୍ପତ୍ତିକୁ ଖାରଜ କରିବେ ନା ନାହିଁ, ଏହାର ମୁକାବିଲା ପାଇଁ କି ରଣନୀତି ପ୍ରସ୍ତୁତ କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି । ବୁଧବାର ମହାରାଷ୍ଟ୍ରରେ ହୋଇଥିବା ଏନସିପିର ହାଇପ୍ରୋଫାଇଲ ଶକ୍ତି ପ୍ରଦର୍ଶନ ମ୍ୟାଚରେ ଅଜିତ ପାୱାର ଗୋଷ୍ଠୀ, ଶରଦ ପାୱାରଙ୍କୁ ପଛରେ ପକାଇ ଦେଇଛନ୍ତି । ନା କେବଳ ସଂଖ୍ୟା ଖେଳରେ ଅଜିତ ଆଗରେ ଅଛନ୍ତି ବରଂ ଦଳର ସର୍ବେସର୍ବା ଥିବା ଶରଦ ପାୱାରଙ୍କୁ ହଟାଇ ନିଜକୁ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ଘୋଷଣା କରିଛନ୍ତି ।

ଗତକାଲି ଉଭୟ ଦାଦା ପୁତୁରା ଏନସିପିର ପଦାଧିକାରୀ ବୈଠକ ଡାକିଥିଲେ । ମୁମ୍ବାଇର ବାନ୍ଦ୍ରା ଭୁଜବଲ ନଲେଜ ସିଟିରେ ବିଧାୟକଙ୍କ ବୈଠକ ଡକାଇଥିଲେ ଶରଦ ପୱାର ଓ ନରିମନ ପଏଂଟସ୍ଥିତ ଯଶୱନ୍ତ ଚୌହାନ ପ୍ରତିଷ୍ଠାନରେ ଅଜିତ ପାୱାର ବୈଠକ କରିଥିଲେ । ଅଜିତଙ୍କ ବୈଠକରେ ଏନସିପିର ମୋଟ ୫୪ ବିଧାୟକଙ୍କୁ ମଧ୍ୟରୁ ୩୧ ଜଣ ପହଞ୍ଚିଥିଲେ । ଆଉ ଶରଦ ପାଓକବାରଙ୍କ ବୈଠକରେ ସାମିଲ ହୋଇଥିଲେ ୧୪ଜଣ ବିଧାୟକ, ୩ଜଣ ଏମଏଲସି ଓ ୫ଜଣ ସାଂସଦ । ସଂଖ୍ୟା ଗଣିତରେ ପଛକେ ପଡିବାରୁ ଏବେ ଶରଦ ପାଓକ୍ୱାର ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଦିଲ୍ଲୀରେ ଡାକିଥିବା ଚର୍ଚ୍ଚା ହେଉଛି ।