କନକ ବ୍ୟୁରୋ : ସେପ୍ଟେମ୍ବର ୭ । କଂଗ୍ରେସର ଭାରତ ଯୋଡ ଯାତ୍ରାକୁ ପୁରିଛି ଗୋଟିଏ ବର୍ଷ । ଭାରତ ଯୋଡ ଯାତ୍ରାର ବର୍ଷେ ପୂର୍ତ୍ତି ଉପଲକ୍ଷେ କଂଗ୍ରେସ ନେତା ପବନ ଖେଡା କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରା ଏବେ ଶେଷ ହୋଇନାହିଁ । ଏହି ଯାତ୍ରା କେତେବେଳେ ମଣିପୁରରେ ଦେଖିବାକୁ ମିଳୁଛି ତ ପୁଣି କେତେବେଳେ ଆଜାଦପୁରର ପରିବା ମଣ୍ଡି ତ ପୁଣି କେତେବେଳେ ଲଦାଖରେ ଦେଖିବାକୁ ମିଳୁଛି ।
ସେହିଭଳି ଭାରତ ଓ ଇଣ୍ଡିଆ ନାଁକୁ ନେଇ ଦେଖାଦେଇଥିବା ବିବାଦକୁ ନେଇ ପବନ କହିଛନ୍ତି, ଏଭଳି କିଛି ଶକ୍ତି ଅଛନ୍ତି ଯେଉଁମାନେ ଭାରତ ଓ ଇଣ୍ଡିଆ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଦେଶବାସୀ ଜାଣିଛନ୍ତି ଏହି ଶକ୍ତି କିଏ? ଏମାନେ ଭାରତକୁ ଇଣ୍ଡିଆ ସହ ଲଢାଇଛନ୍ତି । ସୁନା ହେଉ କି ଗୋଲ୍ଡ, ହିନ୍ଦୀରେ କୁହନ୍ତୁ କି ଇଂରାଜୀରେ ଏହାର ମୂଲ୍ୟ କେବେ କମ ହେବନି ।

Advertisment

ଏହାସହ ପବନ କହିଛନ୍ତି, ଭାରତ ଯୋଡ ଯାତ୍ରାକୁ ନେଇ ବଡ ଷଡଯନ୍ତ୍ର ହେଉଥିଲା । ଏହି ଯାତ୍ରାକୁ ବିଫଳ କରିବାକୁ ଅନେକ ବାର ପ୍ରୟାସ କରାଯାଇଛି । ଗଣମାଧ୍ୟମରେ ଏହାକୁ ପ୍ରସାରିତ ନ କରିବାକୁ ଷଡଯନ୍ତ୍ର ହୋଇଥିଲା । କିନ୍ତୁ କିଛି ମିଡ଼ିଆ ଏହି ଯାତ୍ରାକୁ ଦେଖାଇଥିଲା । ଏହି ଲୋକ ମାନେ ଯାତ୍ରାକୁ ନା ବିଫଳ କରିପାରିଲେ ନା ରୋକିପାରିଲେ । କାରଣ ଭାରତ ଯୋଡ ଯାତ୍ରା ଏକ ତୀର୍ଥ ଯାତ୍ରା ଥିଲା ଏବଂ ତୀର୍ଥ ଯାତ୍ରାର କେବେ ଶେଷ ହୋଇନଥାଏ ।

ସେହିଭଳି ସନାତନ ଧର୍ମକୁ ନେଇ ଉପୁଜିଥିବା ବିବାଦକୁ ନେଇ ପବନ ଖେଡା କହିଛନ୍ତି, ଏଭଳି ବୟାନ ସହ କଂଗ୍ରେସ କେବେ ବି ସହମତ ନୁହେଁ । କଂଗ୍ରେସ ସବୁ ଧର୍ମକୁ ନେଇ ଆଗକୁ ବଢିଥାଏ । କୌଣସି ଧର୍ମକୁ ନୀଚା ଦେଖାଏ ନାହିଁ କଂଗ୍ରେସ । ଇଣ୍ଡିଆ ମେଣ୍ଟ ମଧ୍ୟ ସବୁ ଧର୍ମକୁ ସମ୍ମାନ କରୁଛି ।