କନକ ବ୍ୟୁରୋ: ୬ ବର୍ଷ ହେଲା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ବିଭିନ୍ନ ଆଳ ଦେଖାଇ ଏହାକୁ ବନ୍ଦ କରିଦେଇଥିଲେ ତତକାଳୀନ ସରକାର । କିନ୍ତୁ ଏବେ ନୂଆ ସରକାର ଯୁବ ନେତୃତ୍ୱ ସୃଷ୍ଟି କରିବା ସପକ୍ଷରେ ମତଦେଇ ଆଶା ଦେଖାଇଛନ୍ତି । ନିର୍ବାଚନ ପାଇଁ ବିଚାର କରୁଛନ୍ତି ବୋଲି କହିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

Advertisment

ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଏହି ବୟାନ ବୟାନ୍ ହୁଏତ ସେହି ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କରିଥିବ, ଯେଉଁମାନେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଶାୟୀ ଅଛନ୍ତି । ୬ ବର୍ଷ ହେବ ରାଜ୍ୟରେ ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ । କେତେବେଳେ ମହାମାରୀ ତ’ ଆଉ କେତେ ବେଳେ କ୍ୟାମ୍ପସ୍ କମିଟି ଆଳରେ କଲେଜ୍ ନିର୍ବାଚନ ବନ୍ଦ ରହିଛି । ଛାତ୍ର ସଂସଦ ନିର୍ବାଚନ ଦାବିରେ କେତେ ଆଳୋଳନ ହୋଇଛି, ତକ୍ରାଳୀନ ମନ୍ତ୍ରୀଙ୍କ ବାସଭବନ ଘେରାଉ ହୋଇଛି । ହେଲେ ନିର୍ବାଚନ ହୋଇନି । ଆଉ ନୂଆ ସରକାର ଆସିବା ପରେ ଉଚ୍ଚଶିକ୍ଷାମନ୍ତ୍ରୀ ନୂଆ ଯୁବ ନେତୃତ୍ୱ ସୃଷ୍ଟି କରିବା ସପକ୍ଷରେ ମତଦେଇ ଛାତ୍ର ସଂସଦ ନିର୍ବାଚନ ପ୍ରତି ଆଶା ଦେଖାଇଛନ୍ତି ।

ରାଜ୍ୟର ତିନି ଛାମୁଆ ଛାତ୍ର ସଂଗଠନ ମଧ୍ୟ ନିର୍ବାଚନ ପାଇଁ ଏକପ୍ରକାର ପ୍ରସ୍ତୁତି କଲେଣି । ନିଟ୍ ଏବଂ ୟୁଜିସି ନେଟ୍ ପ୍ରସଙ୍ଗରେ ଛାତ୍ର କଂଗ୍ରେସ ରାସ୍ତାକୁ ଓହ୍ଲାଇଥିବା ବେଳେ ବିଜେଡି ଏବଂ ବିଜେପିର ଛାତ୍ର ସଂଗଠନ ମଧ୍ୟ ତତ୍ପର ରହିଛି । ଆଉ ସମସ୍ତେ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ।

ଏପଟେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିବା ଘଟଣାକୁ ନାପସନ୍ଦ କରିଛନ୍ତି ସମୀକ୍ଷକ । ଛାତ୍ର ନେତୃତ୍ୱ ଏବଂ ଯୁବ ନେତୃତ୍ୱ ସୃଷ୍ଟି କରିବା ଦିଗରେ ଛାତ୍ର ସଂସଦ ନିର୍ବାଚନର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ତେବେ ଯେଉଁ ଦିଗ ପ୍ରତି ଉଚ୍ଚ ଶିକ୍ଷାମନ୍ତ୍ରୀ ଇସାରା ଦେଇଛନ୍ତି, ସେଇ ଛାତ୍ର ସଂସଦ ନିର୍ବାଚନ ନେଇ କେବେ ନିଷ୍ପତି ନେଉଛନ୍ତି ନୂଆ ସରକାର, ତାକୁ ଅପେକ୍ଷା ରହିଛି ।