ପୁଣି ଲାଲ କରିଡରରେ ଆତଙ୍କର ଜାଲ ବିଛାଇଲେ ମାଓବାଦୀ : ମାଲକାନଗିରି ବିଛିନ୍ନାଂଚଳକୁ ସାମଗ୍ରୀ ପରିବହନ ପାଇଁ ପୋଲିସ ବ୍ୟବହାର କଲା ହେଲିକପ୍ଟର

59

କନକ ବ୍ୟୁରୋ : ମାଲକାନଗିରି ବିଚ୍ଛିନ୍ନାଂଚଳରେ ପୁଣିଥରେ ଆତଙ୍କର ଜାଲ ବିଛାଉଛନ୍ତି ଲାଲବାହିନୀ । ଗତ ସପ୍ତାହରେ ଯବାନଙ୍କ ନିକଟକୁ ଖାଦ୍ୟ ସାମଗ୍ରୀ ଧରି ଯାଉଥିବା ଦୁଇଟି ଲଂଚକୁ ଅଧାବାଟରୁ ଲୁଟି ନେଇଥିଲେ ମାଓବାଦୀ । ଏହାପରେ ଆଜିଠାରୁ ଆକାଶମାର୍ଗରୁ ପବନହଂସ ଜରିଆରେ ବିଚ୍ଛିନ୍ନାଂଚଳରେ ଥିବା ଯବାନଙ୍କ କ୍ୟାମ୍ପକୁ ପଠାଯାଇଛି ରାସନ । କେଶବ ରାଓ ନୂଆ ମୁଖିଆ ହେବା ପରେ ସକ୍ରୀୟ ହୋଇଉଠିଛି ଲାଲବାହିନୀ । ଗୋଟିଏ ପଟେ ମାଓବାଦୀମାନେ ନିଜ ଉପସ୍ଥିତି ଜାହିର କରିବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ଏହାର ମୁକାବିଲା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛି ସୁରକ୍ଷା ବଳ ।

ମାଲକାନଗିରି ବିଚ୍ଛିନ୍ନାଂଚଳରେ ମାଓବାଦୀଙ୍କ ଉତ୍ପାତକୁ ପ୍ରତିହତ କରିବା ପାଇଁ ସୁରକ୍ଷା ବଳର ନୂଆ ବ୍ୟବସ୍ଥା । ଆରମ୍ଭ ହୋଇଛି ଆକାଶମାର୍ଗରେ ବିଚ୍ଛନ୍ନାଂଚଳରେ ଥିବା ଇଣ୍ଡିଆନ୍ ରିଜର୍ଭ ବାଟାଲିୟନ କ୍ୟାମ୍ପକୁ ରାସନ ଯୋଗାଇବା କାର୍ଯ୍ୟ । କାରଣ ବାଲିମେଳା ଜଳଭଣ୍ଡାର ଅଂଚଳରେ ପୁଣିଥରେ ବଢିଯାଇଛି ମାଓବାଦୀଙ୍କ ଗତିବିଧି । ତେଣୁ ଜଳଭଣ୍ଡାର ଦେଇ ବିଚ୍ଛିନ୍ନାଂଚଳରେ କ୍ୟାମ୍ପ କରି ରହିଥିବା ଯବାନଙ୍କ ନିକଟକୁ ସମାଗ୍ରୀ ପଠାଇବା ବିପଦପୂର୍ଣ୍ଣ ହୋଇପଡିଛି । ମାଲକାନଗିରି ସଦର ମହକୁମାରୁ ରାସନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପବନହଂସ ହେଲିକଫ୍ଟର ଜରିଆରେ ଚିତ୍ରକୋଣ୍ଡା ବ୍ଳକ କୁନ୍ତୁରୁପଦର ଆଇଆରବି କ୍ୟାମ୍ପକୁ ପହଁଚାଯାଇଛି । ଡ୍ୟାମର ଗୋଟିଏ ପଟେ ବିଚ୍ଛନ୍ନାଂଚଳରେ କୁମ୍ବିଂ ଅପରେସନ କରିବା ପାଇଁ ଆଇଆରବି ବାଟାଲିୟନକୁ ମୁତୟନ କରାଯାଇଛି । ଏପଟେ ମାଲକାନଗିରି ହେଡକ୍ୱାଟରରୁ ସେମାନଙ୍କ ନିକଟକୁ ଖାଦ୍ୟ ସମାଗ୍ରୀ ପଠାଯାଉଛି ।

ସ୍ପିଲ ୱେ ଲଂଚ ଘାଟରୁ ଦୁଇଟି ମୋଟର ବୋଟ ଜରିଆରେ କୁନ୍ତୁରୁପଦର କ୍ୟାମ୍ପକୁ ରାସନ ଯାଉଥିବା ବେଳେ ଅଧା ବାଟରେ ଆକ୍ରମଣ କରିଥିଲେ ମାଓବାଦୀ । ଲଂଚ ଡ୍ରାଇଭରକୁ ମାଡ଼ ମାରିବା ସହ ଲଂଚ ସହ ରାସନ ସାମଗ୍ରୀକୁ ଲୁଟିନେଇଥିଲା ଲାଲବାହିନୀ । ଏହା ପରେ ଆଉ କୌଣସି ରିସ୍କ ନନେଇ ଆକାଶମାର୍ଗରୁ ଆରମ୍ଭ ହୋଇଛି ରାସନ ପଠାଇବା ବ୍ୟବସ୍ଥା ।

ଦୁର୍ଦ୍ଦାନ୍ତ କମାଣ୍ଡର କେଶବ ରାଓ ନୂଆ ମୁଖିଆ ହେବା ପରେ ସଂଗଠନକୁ ମଜବୁତ କରିବା ପାଇଁ ଲାଲବାହିନୀ ବନାଇଛି ନୂଆ ରଣନୀତି । ବିଚ୍ଛିନ୍ନାଂଚଳରେ ପୁଣି ଥରେ ସକ୍ରୀୟ ହୋଇ ଉଠିଛନ୍ତି ଛତିଶଗଡ଼ି ମାଓବାଦୀ । ତେବେ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମଧ୍ୟ ପରିବର୍ତିତ ସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛି । ଏହାରି ଭିତରେ ଆକାଶମାର୍ଗରୁ ବିଚ୍ଛିନ୍ନାଂଚଳରେ ସୁରକ୍ଷାବାହନୀର କ୍ୟାମ୍ପକୁ ରାସନ ଓ ଅନ୍ୟାନ୍ୟ ସମାଗ୍ରୀ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି । ସଦର ମହକୁମାରୁ ବିଚ୍ଛିନ୍ନାଂଚଳକୁ ହେଲିକଫ୍ଟର ଯୋଗେ ପହଁଚିବାକୁ ଲାଗିଛି ୧୫ ମିନିଟରୁ କମ୍ , ଯାହା ମୋଟର ଲଂଚ ଜରିଆରେ ଅଢେଇରୁ ତିନିଘଂଟା ଲାଗୁଥିଲା । ଏହି ବ୍ୟବସ୍ଥା ଫଳରେ ଖୁବ କମ ସମୟରେ ଯବାନଙ୍କୁ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ସହାୟତା ପହଁଚାଇବା ସମ୍ଭବ ହୋଇପାରିବ ।