କ୍ରିକେଟରୁ ଅବସର ନେବାର ୮ ବର୍ଷ ପରେ ମୈଦାନକୁ ଓହ୍ଳାଇଲେ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବାର ନଜର ଆସିଲେ ଏହି ଖେଳାଳୀ ।

652

ବିଶ୍ୱକପ ପୂର୍ବରୁ ୱାର୍ମଅପ ମ୍ୟାଚରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚରେ ଏମିତି କିଛି ଦେଖିବାକୁ ମିଳିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କ୍ରିକେଟରୁ ୮ ବର୍ଷ ପୂର୍ବେ ଅବସର ନେଇଥିବା ଖେଳାଳୀଙ୍କୁ ପୁଣିଥରେ ପଡିଆରେ ଫିଲ୍ଡିଂ କରୁଥିବାର ଦେଖିବାକୁ ମିଳିଥିଲା । ଇଂଲଣ୍ଡର ପୂର୍ବତନ ଅଧିନାୟକ ପଲ କଲିଙ୍ଗଉଡ ମ୍ୟାଚ୍ ସମୟରେ ଫିଲ୍ଡି କରୁଥିବାର ନଜର ଆସିଥିଲେ । ଯିଏ ଶେଷଥର ପାଇଁ ୨୦୧୧ରେ ଦିନିକିଆ ମ୍ୟାଚ୍ ଖେଳିବା ସହ କ୍ରିକେଟକୁ ବାଏ ବାଏ କରିଥିଲେ । ତେବେ ହଠାତ ଏମିତି କଣ ହେଲା ଯେ କଲିଙ୍ଗଉଡଙ୍କୁ ପୁଣିଥରେ ମୈଦାନକୁ ଓହ୍ଲାଇବାକୁ ପଡିଲା । ତାହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଇଂଲଣ୍ଡ କ୍ରିିକେଟ ଟିମର ଏବେ ସହାୟକ କୋଚ ରହିଛନ୍ତି ପଲ କଲିଙ୍ଗଉଡ । ତେବେ ବିଶ୍ୱକପରେ ଇଂଲଣ୍ଡ ଖେଳାଳୀଙ୍କୁ ଆହତ ସମସ୍ୟାରୁ ବଞ୍ଚାଇବା ପାଇଁ କଲିଙ୍ଗଉଡ ଏଭଳି ପଦକ୍ଷେପ ଉଠାଇଛନ୍ତି । ଗତକାଲି ଖେଳାଯାଇଥିବା ଅଭ୍ୟାସ ମ୍ୟାଚରେ ଇଂଲଣ୍ଡର ବୋଲର ମାର୍କ ଉଡ ବୋଲିଂ କରୁଥିବା ବେଳେ ଆହତ ହୋଇଥିଲେ । ତାଙ୍କ ସ୍ଥାନରେ ଜୋଫ୍ରା ଆର୍ଚର ପଡିଆକୁ ଓହ୍ଲାଇଥିଲେ । ସେ ମଧ୍ୟ ଫିଲ୍ଡିଂ କରୁଥିବା ବେଳେ ସାମାନ୍ୟ ଆହତ ହୋଇଥିଲେ । ତେଣୁ ଆଗକୁ ବିଶ୍ୱକପର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରହିଥିବାରୁ ଅନ୍ୟ କୌଣସି ଖେଳାଳୀ ଯେପରି ଆହତ ନ ହୁଅନ୍ତୁ ସେଥିପାଇଁ ନିଜେ କଲିଙ୍ଗଉଡ ମୈଦାନକୁ ଓହ୍ଲାଇଥିଲେ ।

ଅଭ୍ୟାସ ମ୍ୟାଚକୁ ଅଫିସିଆଲ ମ୍ୟାଚ୍ ଭାବେ ଧରାଯାଉନଥିବାରୁ ଏଥିରେ ଅର୍ନ୍ତରାଷ୍ଟ୍ରୀୟ ନିୟମ ଲାଗୁ ହୋଇନଥିଲା । ତେଣୁ କଲିଙ୍ଗଉଡ ବିନା କୌଣସି ବାଧାରେ ଫିଲ୍ଡିଂ କରିବାକୁ ମୈଦାନକୁ ଓହ୍ଳାଇଥିଲେ । କଲିଙ୍ଗଉଡ ଫିଲ୍ଡିଂ କରୁଥିବାର ଫଟୋ କ୍ରିକେଟ ଅଷ୍ଟ୍ରେଲିଆର ୱେବସାଇଟ କ୍ରିକେଟ ଡଟ କମ ଡଟ ୟୁ ନିଜର ଟ୍ୱିଟର ପେଜରେ ସେୟାର କରିଛି । ପଲ କଲିଙ୍ଗଉଡ ଇଂଲଣ୍ଡ ପାଇଁ ୧୦ ବର୍ଷ କ୍ରିକେଟ ଖେଳିଛନ୍ତି । ୨୦୦୧ରୁ ୨୦୧୧ ମଧ୍ୟରେ ୧୯୭ ଦିନିକିଆ,୬୮ ଟେଷ୍ଟ ଓ ୩୬ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଇଂଲଣ୍ଡର ଜଣାଶୁଣା ଅଲରାଉଣ୍ଡର ଭାବେ ପଲ କଲିଙ୍ଗଉଡ ଜଣାଶୁଣା ।