ଶାଢ଼ୀରେ ପଟ୍ଟଚିତ୍ର, ଓଡ଼ିଶାର ଐତିହ୍ୟ ଓ ପରମ୍ପରାର ନିଦର୍ଶନ। କଣାସ ହସ୍ତକଳାକେନ୍ଦ୍ର ସ୍ଥାନୀୟ ଯୁବତୀଙ୍କୁ ଦେଉଛି ରୋଜଗାର।

73

କନକ ବ୍ୟୁରୋ: ଶାଢ଼ିରେ ସୁନ୍ଦର ସୁନ୍ଦର ହସ୍ତକଳାର ନିଦର୍ଶନ । ରଙ୍ଗତୁଳିରେ ହାତୀ, ଘୋଡା ଓ କଣ୍ଢେଇ ଆଙ୍କୁଛନ୍ତି କଳାକାର । ଗାଁ ଗହଳିରେ ରହୁଥିବା ଯୁବତୀମାନଙ୍କୁ ଏହି ହସ୍ତଶିଳ୍ପ କେନ୍ଦ୍ର କିଛି କଳା ଶିକ୍ଷିବାର ସୁଯୋଗ ଦେଉଛି । ପାଟ୍ଟଶାଢ଼ୀରେ ରଙ୍ଗବେରଙ୍ଗର ପଟ୍ଟଚିତ୍ର କରି ଏହାର ଅଧିକ ଶୋଭା ବର୍ଦ୍ଧନ କରୁଛନ୍ତି ଚିତ୍ରଶିଳ୍ପୀ । ଏ ଦୃଶ୍ୟ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଟିପୁରି ଗାଁରେ ଥିବା ଗୁରୁ ଶ୍ରୀ ନିରଞ୍ଜନ ମହାପାତ୍ରଙ୍କ କଳା ଏବଂ ହସ୍ତଶିଳ୍ପ କେନ୍ଦ୍ରର । ପାଖାପାଖି ୨୦ ବର୍ଷ ହେଲା ଗ୍ରାମାଂଚଳର ଝିଅ ମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଓଡ଼ିଶାର ଐତିହ୍ୟ, ପରମ୍ପରା ଓ କଳା ସଂସ୍କୃତିକୁ ଶାଢ଼ୀରେ ଚିତ୍ରିତ କରୁଛନ୍ତି ଗୁରୁ ଶ୍ରୀ ନିରଞ୍ଜନ । ନିଜର ସୁନ୍ଦର କଳାକୃତି ପାଇଁ ରାଜ୍ୟ ସରକାରଙ୍କୁ ପକ୍ଷରୁ ତାଙ୍କୁ ଅନେକ ଥର ପୁରସ୍କୃତ କରାଯାଇଛି ।

ପଟିରେ ପଟ୍ଟଚିତ୍ର, ଶାଢ଼ିରେ ପଟ୍ଟଚିତ୍ର, କାଠ କଣ୍ଢେଇରେ ଚିତ୍ର ଆଙ୍କି କଲିକତା, ଦିଲ୍ଲୀକୁ ବିକ୍ରି ପାଇଁ ପଠାଯାଉଛି । ଏହାର ଚାହିଦା ଅଧିକା ରହିଥିବା ବେଳେ ଏଠାରୁ ପ୍ରସ୍ତୁତ ହେଉଥିବା ଶାଢ଼ୀ ରାଜ୍ୟ ତଥା ରାଜ୍ୟ ବାହାରେ ବିକ୍ରି କରାଯାଉଛି । କାଠରେ ଜଗନ୍ନାଥଙ୍କ ପ୍ରତିମୂର୍ତି, କଣ୍ଢେଇ, ଠେକୁଆ, ଫୁଲଦାନୀ, ସୁନ୍ଦର ସୁନ୍ଦର ଚଢ଼େଇ ତିଆରି କରିଛନ୍ତି ଚିତ୍ରଶିଳ୍ପୀ । ସ୍ଥାନୀୟ ଅଞ୍ଚଳର ପାଖାପାଖି ୫୦ରୁ ୬୦ ଜଣ ଝିଅ ପ୍ରତିଦିନ ଏହି ହସ୍ତଶିଳ୍ପ ତାଲିମ ନେଉଛନ୍ତି । ଏଠାରୁ ତାଲିମ ନେବା ଦ୍ୱାରା ସେମାନେ ଉପକୃତ ହେଉଥିବା କହିଛନ୍ତିା

ବିଶେଷକରି ଗ୍ରାମାଞ୍ଚଳର ଝିଅମାନେ ପାଠପଢ଼ା ସାରିବା ପରେ କିଛି କରିବାର ସୁଯୋଗ ନମିଳିବାରୁ ଘରେ ବସି ରହୁଥିଲେ । କିନ୍ତୁ କଣାସ ଅଞ୍ଚଳରେ ଏହି ହସ୍ତକଳା କେନ୍ଦ୍ର ଅନେକ ଯୁବତୀଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଛି ।