ଆଜି ବିଜେଡି ବିଧାୟକ ଦଳ ବୈଠକ। ନେତା ଭାବେ ନିର୍ବାଚିତ ହେବେ ନବୀନ। ରାଜଭବନ ଯାଇ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ ବିଜେଡି ସୁପ୍ରିମୋ

114

କନକ ବ୍ୟୁରୋ: ଆଜି ବସିବ ବିଜେଡି ବିଧାୟକ ଦଳର ବୈଠକ । ନବନିର୍ବାଚିତ ୧୧୨ ବିଧାୟକଙ୍କ ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦଳର ନେତା ପାଇଁ ପ୍ରସ୍ତାବ ପାରିତ କରାଯିବ । ଏହାପରେ ନବୀନ ରାଜଭବନ ଯାଇ ସରକାର ଗଠନ ପାଇଁ ଆବଶ୍ୟକ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଦାବି ଉପସ୍ଥାପନ କରିବେ । ପୂର୍ବାହ୍ନ ୧୧ଟାରେ ବିଜେଡିର ନବନିର୍ବାଚିତ ୧୨ ଜଣ ଯାକ ନବନିର୍ବାଚିତ ଲୋକସଭା ସାଂସଦ ନବୀନଙ୍କୁ ଭେଟି ସମ୍ବର୍ଦ୍ଧନା ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏପଟେ ଆସନ୍ତା ୨୯ ତାରିଖରେ ନୂଆ ସରକାର ଶପଥ ନେବ । ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଏହି ଶପଥ ସମାରୋହ ହେବା ନେଇ ସୂଚନା ମିଳିଛି ।

ସେପଟେ, କାହାକୁ ମିଳିବ କ୍ୟାବିନେଟ୍ ପାହ୍ୟା, କାହାକୁ ମିଳିବ ରାଷ୍ଟ୍ରମନ୍ତ୍ରୀ ପଦ ଏ ନେଇ ଚର୍ଚ୍ଚା ଜୋରଧରିଥିବା ବେଳେ ଏବେ ମାଳ ମାଳ ନେତାଙ୍କ ଆଖି ମନ୍ତ୍ରୀପଦ ଉପରେ । ଏନେଇ ନବୀନ ନିବାସରେ ଜୋରଦାର ଲବି ଆରମ୍ଭ କରି ଦେଇଛନ୍ତି ନବନିର୍ବାଚିତ ବିଜେଡି ବିଧାୟକ । ନବୀନ ନିବାସରେ ହେଭିୱେଟ୍ ନେତାଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀପଦ ପାଇଁ ଆଶାୟୀ ନେତାଙ୍କ ଭିଡ଼ ଦେଖିବାକୁ ମିଳିଛି ।