କନକ ବ୍ୟୁରୋ : ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ସୂତ୍ରଧର ପୁଞ୍ଜିଲାଲ ମେହେରଙ୍କ ଅନ୍ତରୀଣ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଅନ୍ତରୀଣ ଆବେଦନ ଖାରଜ କରିଛନ୍ତି। ପତ୍ନୀଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଚିକିତ୍ସା ସଂପର୍କିତ କାରଣ ଦର୍ଶାଇ ପୁଞ୍ଜିଲାଲ୍ ତିନିମାସ ଅନ୍ତରୀଣ ଜାମିନ ଲୋଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୁଞ୍ଜିଲାଲଙ୍କ ଆବେଦନକୁ ସରକାରଙ୍କ ପକ୍ଷରୁ ଏଏସ୍‌ସି ପ୍ରିୟବ୍ରତ ତ୍ରିପାଠୀ ବିରୋଧ କରିବା ସହିତ ଖାରଜ ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ।

Advertisment

୨୦୧୯ ମାର୍ଚ୍ଚ ୨୫ରେ ହାଇକୋର୍ଟ ପୁଞ୍ଜିଲାଲଙ୍କ ନିୟମିତ ଜାମିନ ଆବେଦନ ଖାରଜ କରିଥିଲେ। ଏହାପରେ ପୁଞ୍ଜିଲାଲଙ୍କ ମା’ଙ୍କ ପରଲୋକ ପରେ ଶୁଦ୍ଧିକ୍ରିୟା ତଥା‌ ଏ ସଂପର୍କିତ କର୍ମ କରିବାକୁ ତାଙ୍କୁ ୨୨ ଜାନୁଆରି ୨୦୨୦ରେ ହାଇକୋର୍ଟ ଅନ୍ତରୀଣ ଜାମିନ ମଞ୍ଜୁର କରିଥିଲେ। ଅବଧି ଶେଷ ପରେ ପୁଞ୍ଜିଲାଲ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରି ଜେଲକୁ ଫେରିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୮ ଫେବ୍ରୁଆରି ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ସୌମ୍ୟଶେଖରଙ୍କ ଜେଜେମାଙ୍କ ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗୀର ଜିଲ୍ଲା ଚିକିତ୍ସାଳୟରେ ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଇଁଷା କଲେଜର ଇ˚ରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ରେ କ୍ରଇମବ୍ରାଞ୍ଚ ଗିରଫ କରିଥିଲା।