ଆଜି ବି ଏ ଆଖି ତୁମକ ଖୋଜୁଛି, ତମ ବିନା ମୁଁ ମରି ମରି ଜିଉଁଛି… ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣକୁ ପୂରିଛି ତିନି ବର୍ଷ ।

410

କନକ ବ୍ୟୁରୋ: ଆଜି ବି ଏ ଆଖି ତୁମକ ଖୋଜୁଛି… ଆଜି ବି ଏ ଛାତି ତୁମକୁ ଝୁରୁଛି । ତମକୁ ଭୁଲି ହେଉନି, ତୁମ ବିନା ବି ବଞ୍ଚି ହେଉନି । ଦିନ ଗଡୁଛି ସତ, ଦେହରୁ ଦାଗ ଲିଭିଛି ସତ । ହେଲେ ହୃଦୟରୁ ସେ ଦରଜ ଜମା ଯାଉନି । ନା ବଇଦ, ନା ବିଧାତା କେହି ବି କମେଇ ପାରିବେନି ମନ ତଳର ସେ ଅଦେଖା କଷ୍ଟ । ତମ ବିନା ତିନି ବର୍ଷ ବଞ୍ଚିଛି ସତ ହେଲେ ପ୍ରତି ମୂହୂର୍ତ୍ତରେ ଖାଲି ତମେ ମନେପଡୁଛ… ତମେ ମନେ ପଡୁଛ…

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ପରେ ଆଖି ସାମ୍ନାରେ ନିଜ ସ୍ୱାମୀଙ୍କୁ ହରାଇଥିବା ରୀମାଙ୍କର ହୁଏତ ଆଜି ଏ କଥା ମନେ ପଡୁଥାଇ ପାରେ  । ଆଜିକୁ ଠିକ ତିନି ବର୍ଷ ତଳେ ଅର୍ଥାତ ୨୩ ଫେବୃୟାରୀ ୨୦୧୮ରେ ରୀମାଙ୍କ ଜୀବନରେ ଘୋଟି ଆସିଥିଲା କଳା ବାଦଲ । ଆଉ ଆଜି ସେହି କଳା ଦିନକୁ ପୂରିଛି ୩ ବର୍ଷ । ବର୍ଷ ବିତି ଯାଇଛି ସିନା ହେଲେ ଏବେବି ସୌମ୍ୟ ଶେଖରଙ୍କୁ ମନେକପାଇ ମନେ ମନେ କାନ୍ଦୁଛନ୍ତି ରୀମା ।

ତିନି ବର୍ଷ ତଳେ ସୈତାନ ପୁଞ୍ଜିଲାଲ ପଠାଇଥିଲା ମୃତ୍ୟୁର ପାର୍ସଲ । ବିବାହରେ ମିଳିଥିବା ଉପହାରକୁ ଭାରି ଖୁସିରେ ଦେଖୁଥିଲା ପରିବାର ଲୋକେ । ରୀମା ସୌମ୍ୟ ଶେଖର ଓ ତାଙ୍କ ଜେଜେମା ଉପହାର ଦେଖୁଥିବା ବେଳେ ହଠାତ ଫାଟିଥିଲା ପାର୍ସଲ । ଆଉ ଭୟଙ୍କର ବିସ୍ଫୋରଣରେ ଚାଲିଯାଇଥିଲା ସୌମ୍ୟଙ୍କ ଜୀବନ । ନିଜ ଆଖି ସାମ୍ନାରେ ରୀମା ଦେଖିଥିଲେ ଜୀବନ ସାଥୀ ଜଳି ଯିବାର ଦୃଶ୍ୟ । ଯଦିଓ ବିସ୍ଫୋରଣରେ ଗୁରୁତର ହୋଇଥିଲେ ରୀମା କିନ୍ତୁ ଚିକିତ୍ସା ପରେ ଜୀବନ ଫେରିପାଇଥିଲେ ସତ ହେଲେ ଆଉ ଗୋଟିଏ ଜୀବନକୁ ହରାଇଥିଲେ । ପୁଞ୍ଜିଲାଲ ଯେମିତି ତାଙ୍କୁ ଯନ୍ତ୍ରଣା ଦେଇଛି ଠିକ ସେମିତି ନ୍ୟାୟ ବିଧାନ ତାଙ୍କୁ ଯନ୍ତ୍ରଣା ଦେଉ । ତାଙ୍କୁ ଫାଶୀ ଦିଆଯାଉ ବୋଲି ପ୍ରତିଶୋଧର ନିଆଁରେ ଜଳୁଥିବା ପରିବାର ଲୋକେ ଦାବି କରିଛନ୍ତି ।

ସେପଟେ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେର ଜେଲରେ ଅଛି ସତ କିନ୍ତୁ କୋର୍ଟରେ ପୁଞ୍ଜିଲାଲ ତାର ପକ୍ଷ ରଖୁ ନଥିବାରୁ ନ୍ୟାୟ ପ୍ରକ୍ରିୟାରେ ବିଳମ୍ବ ହେଉଛି । ଆଉ ଏପଟେ ନ୍ୟାୟ ନପାଇ ପ୍ରତିଶୋଧର ନିଆଁରେ ଜଳୁଛନ୍ତି ସୌମ୍ୟଙ୍କ ପରିବାର ଲୋକେ । ସେଦିନ ଛାତିଥରା ବିସ୍ଫୋରଣ ଖାଲି ରୀମାଙ୍କ ପାଖରୁ ତାଙ୍କ ସ୍ୱାମୀଙ୍କ ଛଡାଇ ନେଇଛି ବରଂ ଗୋଟେ ମାଆ ପାଖରୁ ତା ଗେହ୍ଲା ପୁଅକୁ ଛଡାଇ ନେଇ କୋଳ ଖାଲି କରିଛି, ଜଣେ ବାପାର ଦମ୍ଭକୁ ଦୋହଲାଇ ଦେଇଛି । ସତରେ ଏ ଘଟଣା ଯେବେ ବି ମନେ ପଡେ ଲୋମମୂଳ ଟାଙ୍କୁରି ଉଠେ । ଅଜଣା ଆବେଗରେ ଛାତି ଭାରି ଭାରି ଲାଗେ…