ଝାରପଡ଼ା ଜେଲ୍ ଯିବେ ପାଟଣାଗଡ଼ ବିଧାୟକ । ମିଳିଲାନି ଜାମିନ, ଆସନ୍ତା ୫ରେ ହେବ ପୁଣିଥରେ ଶୁଣାଣି ।

273

କନକ ବ୍ୟୁରୋ : ଝାରପଡ଼ା ଜେଲ୍ ଯିବେ ପାଟଣାଗଡ଼ ବିଧାୟକ ସରୋଜ ମେହେର । ଏଡିଜେ କୋର୍ଟରେ ପାଟଣାଗଡ ବିଧାୟକଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିବା ପରେ ଝାରପଡା ଜେଲ ପାଲଟିବ ସରୋଜଙ୍କ ନୂଆ ଠିକଣା । ଚିକିତ୍ସା ପାଇଁ ତାଙ୍କୁ ଜାମିନ ଦେବାକୁ ଏଡିଜେ କୋର୍ଟରେ ଆବେଦନ କରିଥିଲେ ସରୋଜ । ତେବେ ଏହି ଆବେଦନର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ଏପରିକି ବିଧାୟକ ଜେଲରେ ରହି ଚିକିତ୍ସିତ ହେବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ତେବେ ଜେଲ୍ କର୍ତ୍ତୃପକ୍ଷ ଚାହିଁଲେ ସରୋଜ ବାହାରେ ଚିକିତ୍ସିତ ହୋଇପାରିବେ ବୋଲି କହିଛନ୍ତି କୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୫ ତାରିଖରେ ହେବ ।

ଏହାପୂର୍ବରୁ ଜେଇଙ୍କୁ ସର୍ବସାଧାରଣରେ ଉଠବସ କରାଇବା ଓ ଦୁର୍ବ୍ୟବହାର କରିବା ମାମଲାରେ ପାଟଣାଗଡ ବିଧାୟକଙ୍କୁ ଗିରଫ କରିଥିଲା ସ୍ଥାନୀୟ ପୋଲିସ । ପରେ ତାଙ୍କୁ ପାଟଣାଗଡ କାରାଗାରକୁ ପଠାଯାଇଥିଲା । ତେବେ ଚିକିତ୍ସା ପାଇଁ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ସରୋଜ । କିନ୍ତୁ ଓକିଲଙ୍କ ଆନ୍ଦୋଳନ ଯୋଗୁଁ କୌଣସି ଓକିଲ କାର୍ଯ୍ୟରେ ଯୋଗ ଦେଇ ନଥିବା ବେଳେ ନିଜ ଜାମିନ ପାଇଁ ନିଜେ ଲଢିଥିଲେ ସରୋଜ । କୋର୍ଟ ରୁମରେ ନିଜ ପକ୍ଷ ଉପସ୍ଥାପନ କରିବା ସହ ଜାମିନ ଦେବାକୁ କହିଥିଲେ । ଜେଇ ଓ ତାଙ୍କ ପତ୍ନୀଙ୍କ ପକ୍ଷ ମଧ୍ୟ ଶୁଣିଥିଲେ ବିଚାରପତି । ଆଉ ଏହାପରେ ଏହି ମାମଲାର ଶୁଣାଣିକୁ ଆସନ୍ତା ୫ ତାରିଖକୁ ଘୁଞ୍ଚାଇ ଦେଇଥିଲେ କୋର୍ଟ । ଆଉ ଏହାସହ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ସରୋଜଙ୍କୁ ଝାରପଡା ଜେଲ ପଠାଇ ଦିଆଯାଇଛି ।