ବଲାଙ୍ଗୀର ଦାଦନଙ୍କ ଦୁଃଖ କାହାଣୀ । ହାଇଦ୍ରାବାଦରେ ଇଟାଭାଟିରେ କାମ କରୁଥିବା ଦାଦନଙ୍କୁ ଅକଥନୀୟ ନିର୍ଯାତନା । କାମ ନକଲେ ମିଳୁଛି ମାଡ, ଉଦ୍ଧାର ପାଇଁ ଗୁହାରି କଲେ ଶ୍ରମିକ ।

301

କନକ ବ୍ୟୁରୋ : ଦାଦନ ପ୍ରବଣ ଜିଲ୍ଲା ବଲାଙ୍ଗୀରରୁ ପୁଣି ଆସିଛି ଏକ ଅତ୍ୟାଚାରର କାହାଣୀ । ଆଜି ଆମ ପାଖକୁ କିଛି ଭିଡିଓ ପଠାଇଥିଲେ ସେଠାକାର କିଛି ଶ୍ରମିକ । ଭିଡିଓରେ କାହାର ହାତ ତ ଆଉ କାହାର ଗୋଡ ଭାଙ୍ଗି ଯାଇଥିଲା । ଏମିତି କି ୬ଟି ପରିବାରର ପ୍ରାୟ ସବୁ ସଦସ୍ୟ ମାଡ ଖାଇଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଉଥିଲା । ଏହାପରେ ଫୋନରେ ସେଠାକାର ଜଣେ ଶ୍ରମିକ ଆମକୁ ନିର୍ଯାତନାର କାହାଣୀ ଶୁଣାଇ ଥିଲେ ।

ସମସ୍ତ ଦାଦନ ବେଲପଡା ବ୍ଲକର କୁଦୋଭଟା ଏବଂ ବେରବେରା ଗାଁର । ସେମାନଙ୍କୁ ନିକଟସ୍ତ ଘାଗୁଲ୍ଲି ଗାଁର ସର୍ଦ୍ଦାର ଛିନୁ ବାଗ ହାଇଦ୍ରାବାଦକୁ ଇଟା ଭାଟିରେ କାମ କରାଇବାକୁ ନେଇଥିଲେ । ଇଟା ଭାଟିର ମାଲିକ ଚିନ୍ନା ରାଜା ଦିନରାତି କାମ କରିବାକୁ ବାଧ୍ୟ କରୁଥିଲେ ଏବଂ କାମ ନ କଲେ ଅମାନୁଷିକ ଭାବେ ମାଡ ମାରିବା ସହ ଲହୁ ଲୁହାଣ କରୁଥିବା ଶ୍ରମିକ ଅଭିଯୋଗ କରିଛନ୍ତି । ଏପରିକି ସେଠାରୁ ଉଦ୍ଧାର କରିବା ପାଇଁ ଗୁହାରି କରିଛନ୍ତି । ବଡ କଥା ହେଉଛି ମହିଳା ମାନଙ୍କୁ ମଧ୍ୟ ଅମାନୁଷିକ ଭାବେ ମାଡ ମରାଯାଇଥିବା ଦେଖିବାକୁ ମିଳିଛି ।