ମାଆ କୋଳକୁ ଫେରିଲା ପିଲା ! ପାଟଣାଗଡ ପିଲା ଚୋରି ଘଟଣାରେ ପୁଲିସକୁ ବଡ ସଫଳତା, ଉଦ୍ଧାର ହେଲା ୪ ଦିନର ଶିଶୁ, ୨ ଅଭିଯୁକ୍ତ ଗିରଫ ।

142

କନକ ବ୍ୟୁରୋ : ପାଟଣାଗଡରେ ଚୋରି ହୋଇଥିବା ୪ଦିନର ଶିଶୁ ଶେଷରେ ଉଦ୍ଧାର ହେଲା । ନୂଆପଡା-କଳାହାଣ୍ଡି ସୀମାବର୍ତୀ ସିନ୍ଦେକେଲା ବୋରଡି ଅଂଚଳରୁ ଶିଶୁକୁ ଉଦ୍ଧାର କରିଛି ପୋଲିସ । ସିସିଟିଭି ଆଧାରରେ ତଦନ୍ତ କରି ଚୋରି କରିଥିବା ମହିଳାକୁ ପୋଲିସ ଗିରଫ କରିଛି । ତେବେ ହସ୍ପିଟାଲରୁ ଶିଶୁ ଚୋରି ଘଟଣା ପରେ ଅନ୍ୟ ନବଜାତକଙ୍କୁ ଚୋରି ଭୟରେ ଏବେ ରାତିଅନିଦ୍ରା ହୋଇ ଜଗୁଛନ୍ତି ଲୋକେ ।

ପାଟଣାଗଡ ପିଲା ଚୋରି ଘଟଣାରେ ପୁଲିସକୁ ମିଳିଛି ବଡ ସଫଳତା । ୪ ଦିନର ନିଖୋଜ ଶିଶୁ ଶେଷରେ ଉଦ୍ଧାର ହୋଇଛି । ନୂଆପଡା-କଳାହାଣ୍ଡି ସୀମାବର୍ତୀ ସିନ୍ଦେକେଲା ବୋରଡି ଅଂଚଳରୁ ଶିଶୁଟିକୁ ଉଦ୍ଧାର କରାଯାଇଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଚୋରି କରିଥିବା ମହିଳାଙ୍କୁ କବଜାକୁ ନେଇଛି । ମାତ୍ର ୪ଦିନର ଶିଶୁ ଚୋରିର ଏ କାହାଣୀ ବି ବେଶ ରୋମାଂଚକର ।

ମାର୍ଚ୍ଚ ୬ ତାରିଖ । ପାଟଣାଗଡ ଉପଖଣ୍ଡ ଡାକ୍ତରଖାନା ଶିଶୁ କକ୍ଷ ୭୬ ନମ୍ବର କ୍ୟାବିନ । ଏହି କ୍ୟାବିନରେ ଜଣେ ଅଜଣା ମହିଳା ସର୍ମ୍ପକୀୟ ବୋଲି ପରିଚୟ ଦେଇ ପହଂଚିଯାଇଥିଲେ । ପିଲାଟିକୁ ଧରି ଗେଲ କରିବା ସହ ହାତରେ ଦେଇଥିଲେ ୧୦୦ ଟଙ୍କା । ଆଉ କିଛି ସମୟ ମଧ୍ୟରେ ଚେଷ୍ଟା କରିଥିଲେ ପରିବାର ଲୋକଙ୍କ ବିଶ୍ୱାସଭାଜନ ହେବା ପାଇଁ । ପିଲାଟିକୁ ଖେଳାଇବାର ବାହାନା କରି ଚୋରି କରି ନେଇଯାଇଥିଲେ ଶିଶୁକୁ । ଅଭିଯୋଗ ଅନୁସାରେ, ଆଶାକର୍ମୀ ବେଶରେ ଆସିଥିଲେ ମହିଳା । ବାହାରେ ଏକ ବାଇକରେ ଅପେକ୍ଷା କରିଥିଲା ତାର ସହଯୋଗୀ । ଆଉ ଶିଶୁଟିକୁ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ମହିଳା । ପିଲା ଚୋରି ଘଟଣାପରେ ଏହି ଡାକ୍ତରଖାନାରେ କୋକୁଆ ଭୟ ଦେଖିବାକୁ ମିଳୁଛି । ରାତି ରାତି ଅନିଦ୍ରା ରହି ଶିଶୁମାନଙ୍କୁ ଜଗି ରହୁଛନ୍ତି ଲୋକେ । ପିଲା ଚୋରିର ଏହି ଘଟଣା ପାଟଣାଗଡ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।