ଚାଷୀ ଆନ୍ଦୋଳନ ପରେ ମୁଣ୍ଡ ଟେକୁଛି ରେଲୱେ ଆଶାୟୀଙ୍କ ଆନ୍ଦୋଳନ, ବିହାରରେ ଅଖଚକ ବନ୍ଦ କରି ସରକାରଙ୍କୁ ଚେତାବନୀ

Advertisment
ଚାଷୀ ଆନ୍ଦୋଳନ ପରେ ମୁଣ୍ଡ ଟେକୁଛି ରେଲୱେ ଆଶାୟୀଙ୍କ ଆନ୍ଦୋଳନ, ବିହାରରେ ଅଖଚକ ବନ୍ଦ କରି ସରକାରଙ୍କୁ ଚେତାବନୀ

କନକ ବ୍ୟୁରୋ : ବର୍ଷକୁ ୨ କୋଟି ରୋଜଗାର, ଆତ୍ମ ନିର୍ଭର ଭାରତ, ମେକ ଇନ ଇଣ୍ଡିଆର ସ୍ୱପ୍ନ ତଳେ ଚାପି ହୋଇଯାଇଛି ଶିକ୍ଷିତ ବେରୋଜଗାରୀର ଭାଗ୍ୟ । ଠକ୍ ଠକ୍ ଶୁଭୁଥିବା ନେତାଙ୍କ ନିର୍ବାଚନୀ ପ୍ରତିଶୃତି, ଚିକ୍ ଚିକ୍ ମାରୁଥିବା ରାସ୍ତା କଡରେ ବିଜ୍ଞାପନ ଆଢୁଆଳରେ ବେରୋଜଗାରୀ ଜୀବନର ଅନ୍ଧାରୀ ଅମାବାସ୍ୟର ଚିତ୍ର ସତେ ଯେମିତି ଝାପସା ହୋଇଯାଉଛି । ତାହାରି ଭିତରେ ନିଜର ହକ୍ ଓ ଅଧିକାରକୁ ସାବ୍ୟସ୍ତ କରିବାକୁ ବେରୋଜଗାର ଛାତ୍ରମାନେ ଏବେ ଆପଣାଇଛନ୍ତି ଆନ୍ଦୋଳନର ରାସ୍ତା । ଏ ଆନ୍ଦୋଳନ ବ୍ୟବସ୍ଥା ବିରୋଧରେ, ଲୋକ ପ୍ରତିନିଧିଙ୍କ ପ୍ରରୋଚନାରେ ଶିକ୍ଷିତ ବେରୋଜଗାରଙ୍କ ଭବିଷ୍ୟତକୁ ନେଇ ସାପ ସିଡିର ଖେଳ ଖେଳୁଥିବା ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ।

ଚାକିରୀ କରି ସଭ୍ୟ ସମାଜରେ ସୁସ୍ଥ ଜୀବନ ନିର୍ବାହ କରିବାକୁ ଚାହୁଁଥିବା ଛାତ୍ର ଏବେ ରାଜରାସ୍ତାରେ ଟାୟାର ଜାଳୁଛି, ପୋଲିସର ଲାଠିମାଡକୁ ନଡରି ଗାଡିଘୋଡା ବନ୍ଦ କରୁଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ବିହାରରେ । ଆରଆରବି –ଏନଟିପିସି ପରୀକ୍ଷାରେ ଅନିୟମିତତା ଦର୍ଶାଇ ଏବେ ସାରା ଦେଶରେ ଆଶାୟୀମାନେ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ବିଶେଷ କରି ବିହାର ଓ ଉତ୍ତର ପ୍ରଦେଶରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ଏନେଇ ଆଜି ଆଶାୟୀମାନେ ବିହାର ବନ୍ଦ ଡାକରା ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଡା ସୁରକ୍ଷା ବ୍ୟବସ୍ଥା କରିଥିଲେ ବି ଏହା ଆନ୍ଦୋଳନରତ ଛାତ୍ରମାନଙ୍କ ପାଇଁ କିଛି ଫରକ ପଡି ନାହିଁ । ବିହାର ରାଜଧାନୀ ପାଟନାରେ ବିରୋଧୀ ଆରଜେଡିର ଛାତ୍ର ସଂଗଠନ ରାସ୍ତା ଘାଟ ବନ୍ଦ କରିଛି ।

ସେପଟେ ସମସ୍ତି ପୁର ଠାରେ ବାମଦଳମାନଙ୍କର ଛାତ୍ର ସଂଗଠନ ଅଲ ଇଣ୍ଡିଆ ଛାତ୍ର ସଂଗଠନ ତରଫରୁ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରାଯିବା ସହ ନାରାବାଜୀ କରାଯାଇଛି । କେବଳ ଛାତ୍ର ନୁହଁନ୍ତି ଆଜିର ଆନ୍ଦୋଳନକୁ ସିଧା ସଳଖ ଲମ୍ଫ ମାରିଛନ୍ତି ରାଜନୈତିକ ଦଳର ନେତାମାନେ । ବୈଶାଳୀ ଭଗବାନପୁର ଠାରେ ଆରଜେଡି ନେତ୍ରୀ ସଞ୍ଜୁ ସିଂଙ୍କ ନେତୃତ୍ୱରେ ରାସ୍ତା ଅବିରୋଧ କରାଯିବା ସହ ଛାତ୍ରଙ୍କ ଉପରେ ହୋଇଥିବା ଲାଠିଚାର୍ଜର ତଦନ୍ତ ପାଇଁ ଦାବି ହୋଇଛି । ଏହାସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ କୁଷପୂତଳିକା ଦାହ କରାଯାଇଛି ।

କହିରଖୁ କି ଆରଆରବି –ଏନଟିପିସି ପରୀକ୍ଷାରେ ଅନିୟମିତତା ଓ କେନ୍ଦ୍ର ରେଳ ମନ୍ତ୍ରଣାଳୟ ତରଫରୁ ଭୂଲ ଢଙ୍ଗରେ ପରୀକ୍ଷା ପରିଚାଳନା ସହ ପରୀକ୍ଷା ଫଳରେ ଭୂଲ ତଥ୍ୟ ଦେଇଥିବା ଅଭିଯୋଗ କରି ଛାତ୍ରମାନେ ଆନ୍ଦୋଳନ ଜାରୀ ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe