କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ମୁଖ୍ୟ ଆୟୋଜକ ନୀତିଶ କୁମାରଙ୍କୁ ପୁଣି ଏନଡିଏ ମେଣ୍ଟରେ ସାମିଲ ହେବା ନେଇ ନିମନ୍ତ୍ରଣ ମିଳିଛି । କେନ୍ଦ୍ରୀୟ ରାଜ୍ୟମନ୍ତ୍ରୀ ରାମଦାଶ ଆଠୱଲେ ପାଟନା ପହଂଚି ନୀତିଶ କୁମାରଙ୍କୁ ନେଇ ଯେଭଳି ବୟାନ ଦେଇଛନ୍ତି ତାହାକୁ ନେଇ ବିହାର ରାଜନୀତି ପୁଣିଥରେ ସରଗରମ ହେବାରେ ଲାଗିଛି । ଶନିବାର ଦିନ ପାଟନା ଠାରେ ଆଠୱଲେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଆମେ ନୀତିଶ କୁମାରଙ୍କୁ ଏନଡିଏରେ ସାମିଲ ହେବା ନେଇ ଖୁଲା ନିମନ୍ତ୍ରଣ ଦେଉଛୁ । ଏହାସହ ନୀତିଶ କୁମାରଙ୍କ ସହ ଏନଡିଏର ଏବେ ବି ଭଲ ସଂପର୍କ ଥିବା କଥା ସେ କହିଛନ୍ତି । ଏଣୁ ନୀତିଶ କୁମାର ପୁଣିଥରେ ଏନଡିଏକୁ ପ୍ରତ୍ୟାବର୍ତ୍ତନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

Advertisment

କେବଳ ସେତିକି ନୁହେଁ ଆଠୱଲେ କହିଛନ୍ତ କି ବିରୋଧୀ ମେଣ୍ଟର ତୃତୀୟ ବୈଠକ ଯାହାକି ମୁମ୍ବାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ସେଠାକୁ ନୀତିଶ କୁମାର ଯିବା ଉଚିତ ନୁହେଁ । ଏହାସହ ବିରୋଧୀ ମେଣ୍ଟର ନାମ ଇଣ୍ଡିଆକୁ ନେଇ ନୀତିଶ କୁମାର ଖୁସି ନଥିବା କଥା ସେ କହିଛନ୍ତି । ଏଣୁ ଏତେ ଅସନ୍ତୋଷ ଭିତରେ ବିରୋଧୀ ମେଣ୍ଟରେ ରହିବା ଅପେକ୍ଷା ନୀତିଶ ପୁଣିଥରେ ଏନଡିଏରେ ସାମିଲ ହୁଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

ସେପଟେ ଆଠୱଲେ ରୋହିଣୀ କମିଟି ଉପରେ ନିଜ ମତ ରଖିଛନ୍ତି । ଏହି ରିପୋର୍ଟ ଉପରେ ସେ କହିଛନ୍ତି କି ବିହାରରେ ଜାତି ଆଧାରରେ ଜନଗଣନା ହେବାର ଆବଶ୍ୟକତା ରହିଛି । ଏଥିରେ ପଛୁଆବର୍ଗଙ୍କ ସହ ସାଧାରଣ ଜାତିର ଲୋକଙ୍କର ବି ଜନଗଣନା ହେବା ଦରକାର । ପଛୁଆବର୍ଗଙ୍କୁ ୩ ଟି ଭାଗରେ ବିଭକ୍ତ କରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି । ଏହାସହ ମହାରାଷ୍ଟ୍ରରେ ଯେଭଳି ସରକାର ପରିବର୍ତ୍ତନ ହେଲା ସେହିଭଳି ବିହାରରେ ମଧ୍ୟ ସରକାର ପରିବର୍ତ୍ତନ ହେବା ଦରକାର ବୋଲି ସେ କହିଛନ୍ତି ।