କନକ ବ୍ୟୁରୋ: ଏଣିତି ବିହାର ରାଜ୍ୟପାଳଙ୍କ ପାଇଁ ବ୍ୟବହାର ହେବନି ‘ମହାମହିମ’ ନାମକ ସମ୍ବୋଧନ ସୂଚକ ଶବ୍ଦ । ଏନେଇ ରାଜ୍ୟପାଳଙ୍କ ପ୍ରମଖ ସଚିବ ରାଜ୍ୟର ମୁଖ୍ୟ ଶାସନ ସଚିବ ସମେତ ସମସ୍ତ ଅଧିକାରୀଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି । ଏଥିରେ କୁହାଯାଇଛି ଯେ, ‘ମହାମହିମ’ ବଦଳରେ ଏଣିକି ରାଜ୍ୟପାଳଙ୍କୁ କେବଳ ମାନନୀୟ ସମ୍ବୋଧନ କରନ୍ତୁ ।

Advertisment

ବିହାର ରାଜ୍ୟପାଳଙ୍କ ପ୍ରଧାନ ସଚିବ ଚିଠି ଲେଖି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଯେଉଁଥିରେ ରାଜ୍ୟପାଳଙ୍କୁ ମାନନୀୟ ଭାବେ ସମ୍ବୋଧନ କରିବାକୁ ସେ ସୂଚନା ଦେଇଛନ୍ତି । ଅନ୍ୟପଟେ କେବଳ ବିଶେଷ ପରିସ୍ଥିତିରେ ରାଜ୍ୟପାଳଙ୍କୁ ମହାମହିମ ସମ୍ବୋଧନ କରାଯାଇପାରିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।

ଏହା ପୂର୍ବରୁ ଉତ୍ତର ପ୍ରଦେଶ ରାଜ୍ୟପାଳ ମଧ୍ୟ ମହାମହିମ ଶବ୍ଦର ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବଦଳରେ ମାନନୀୟ ରାଜ୍ୟପାଳ ନଚେତ୍ ରାଜ୍ୟପାଳ ମହୋଦୟ ଶବ୍ଦ ବ୍ୟବହାର କରିବାକୁ ସେତେବେଳେ ନିର୍ଦ୍ଦେଶ ଦିଆଯାଇଥିଲା । ୟୁପିର ତକ୍ରାଳୀନ ରାଜ୍ୟପାଳ ରାମ ନାୟକ ଏହି ପ୍ରୋଟୋକଲ ବ୍ୟବସ୍ଥାରେ ସଂଶୋଧନ କରିବାକୁ କହିଥିଲେ । ଆଉ ଏବେ ବିହାର ରାଜ୍ୟପାଳ ମଧ୍ୟ ସେପରି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟର ସାମ୍ବିଧାନିକ ମୁଖ୍ୟ ହେଉଛନ୍ତି ରାଜ୍ୟପାଳ । ରାଷ୍ଟ୍ରପତିଙ୍କ ଭଳି ରାଜ୍ୟପାଳଙ୍କ କ୍ଷେତ୍ରରେ ମଧ୍ୟ ମହାମହିମ ଶବ୍ଦର ବ୍ୟବହାର କରାଯାଇଥାଏ । ହେଲେ ଉତ୍ତରପ୍ରଦେଶ ପରେ ଏବେ ବିହାର ରାଜ୍ୟପାଳ ଏହି ଶବ୍ଦର ବ୍ୟବହାର କରିବାକୁ ମନା କରିଛନ୍ତି ।