କନକ ବ୍ୟୁରୋ : ବିହାର ସରକାରଙ୍କ ଶିକ୍ଷା ବିଭାଗ ଏବେ ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଏକ ଅଜବ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ମୁତାବକ ଏବେ ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ନିଜ ନିଜ ଅଞ୍ଚଳରେ ହେଉଥିବା ଚୋରାମଦ କାରବାର ଓ ମଦୁଆଙ୍କ ଉପରେ ନଜର ରଖିବେ ଓ ଏନେଇ ସ୍ଥାନୀୟ ପୋଲିସକୁ ସୂଚନା ଦେବେ ।

Advertisment

ସୂଚନା ମୁତାବକ ବିହାର ଶିକ୍ଷା ବିଭାଗର ମୁଖ୍ୟ ସଚିବ ସଂଜୟ କୁମାର ଏକ ଚିଠି ଲେଖି ଏଭଳି ଆଦେଶ ଦେଇଛନ୍ତି । ସେ ତାଙ୍କ ଚିଠିରେ ଲେଖିଛନ୍ତି କି ଉପରଲିଖିଲ ସମସ୍ତ ସ୍କୁଲର ଶିକ୍ଷକମାନେ ନିଜ ନିଜ ଅଞ୍ଚଳରେ ଲୋକମାନଙ୍କୁ ମଦର ଅପକାରିତା ନେଇ ସଚେତନ କରିବା ସହ ଶିକ୍ଷା ସମିତି ସହଯୋଗରେ ମଦ ମାଫିଆ ଓ ମଦୁଆଙ୍କ ଉପରେ କଡା ନଜର ରଖିବେ ।

ଏଭଳି ଚିଠି ପାଇବା ପରେ ଶିକ୍ଷକମାନେ ଅଭିଯୋଗ କରିଛନ୍ତି କି ସରକାର ସେମାନଙ୍କୁ ଅଣଶିକ୍ଷା ବିଭାଗର କାର୍ଯ୍ୟଭାର ଲଦି ଦେଉଛନ୍ତି । ଏହାସହ ସରକାର ଶିକ୍ଷକମାନଙ୍କୁ ସମାଜର ଶତୃ କରିବାକୁ ଚେଷ୍ଟା କରୁଛନ୍ତି । ଏହାସହ ଶିକ୍ଷକମାନେ କହିଛନ୍ତି କି, ସେମାନଙ୍କର କାମ ହେଉଛି ପିଲାଙ୍କୁ ଶିକ୍ଷାଦାନ କରିବା । ଏହାସହ ଶିକ୍ଷକମାନେ କହିଛନ୍ତି କି ରାଜ୍ୟ ସରକାର ରାଜ୍ୟରେ ମଦ ବିକ୍ରି ଉପରେ କଟକଣା ଲଗାଇଛନ୍ତି । ଅନ୍ୟପଟେ ଚୋରାମଦ କାରବାର ଉପରେ ପୋଲିସ ନଜର ରଖିଛି । ତେଣୁ ଶିକ୍ଷକମାନେ ଏନେଇ ଅଧିକ କିଛି କରିପାରିବେ ନାହିଁ । ଏହାସହ ଶିକ୍ଷକମାନେ କହିଛନ୍ତି କି ଏସବୁ କାମରେ ବିପଦ ରହିଛି ତେଣୁ ସରକାର ଏସବୁ କାମରେ ଯେଉଁ ଶିକ୍ଷକମାନଙ୍କୁ ନିୟୋଜିତ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଅଙ୍ଗରକ୍ଷୀର ବ୍ୟବସ୍ଥା କରନ୍ତୁ ।