ବିହାରରେ ତାଣ୍ଡବ ରଚିଛି ପ୍ରକୃତି । ସାରା ସହରରେ ଜଳ ପ୍ରଳୟ । ପାଣିରେ ବୁଡି ରହିଛି ପାଟନା

187

କନକ ବ୍ୟୁରୋ: ପ୍ରକୃତି ତାଣ୍ଡବ ରଚିଛି ବିହାରରେ । ସାରା ସହରରେ ଜଳ ପ୍ରଳୟ । ପାଣିରେ ବୁଡି ରହିଛି ପାଟନା । ତିନି ଦିନର ଲଗାଣ ବର୍ଷା ବିହାରରେ ପ୍ରଳୟ ଆଣିଛି । ଶନିବାର ୨୫୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆହୁରି ବର୍ଷା ଜାରି ରହିଥିିବା ବେଳେ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି । ଏପଟେ ଗଙ୍ଗା ନଦୀ ଫୁଲୁିବାରେ ଲାଗିଛି । ବିହାର ବନ୍ୟାରେ ଏଯାଏ ୨୫ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି । ସେପଟେ ବନ୍ୟା ଘେରରୁ ଲୋକଙ୍କୁ ଉଦ୍ଧାର କରିବାକୁ ଅଂଟା ଭିଡିଛି ଏନଡିଆରଏଫ୍ ।

ତିନି ଦିନର ଲଗାଣ ବର୍ଷାରେ ଭାସୁଛି ବିହାର । ରାସ୍ତା ଘାଟ ନଦୀ ପାଲଟିଯାଇଛି । ଆଉ ଜାତୀୟ ରାଜପଥରେ ଡଙ୍ଗା ଚାଲିଛି । ଲୋକ ବେକେ ପାଣିରେ ବୁଡି ରହିଛନ୍ତି । ସ୍ଥିତି ସାଂଘାତିକ । ଦୁର ଦୂର ଯାଏ ଖାଲି ପାଣି ଆଉ ପାଣି । ତଳିଆ ଅଂଚଳ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । କେଉଁଠି ପାହାଡ ଧସିଛି । ତ ଆଉ କେଉଁଠି ରାସ୍ତା ଧୋଇଯାଇଛି । ରେଳ ଧାରଣ ବୁଡିରହିଛି । ଯୋଗା ଯୋଗ ଠପ୍ ହୋଇଯାଇଛି । ପାଣିରେ ବୁଡି ରହିଛି ଅଧା ବିହାର ।

ରାଜ୍ୟର ବାଘଲପୁର, ଗୟା, ପାଟନା. ବେଗୁସରାଇ, ଜାମୁଇ, ସୀତାମାଢି, ସମସ୍ତିପୁର, ଚମ୍ପାରନ , ଦରଭଂଗା ଭଳି ଜିଲ୍ଲାରେ ବନ୍ୟା ସ୍ଥିତି ସଂଗୀନ ।
ତେବେ ବନ୍ୟା ସ୍ଥିତି ଏଭଳି ସାଂଘାତିକ ଯେ, ଶହ ଶହ ଟ୍ରେନ୍ ବାତିଲ ହୋଇଯାଇଛି । କିଛି ବିମାନ ଚଳାଚଳ ବି ବନ୍ଦ ରହିଛି । ଏନଡିଆରଏଫର ୧୮ଟି ଟିମ୍ ଉଦ୍ଧାର କାମରେ ଲାଗିଛନ୍ତି । ପ୍ରକୃତି ବିହାରରେ ତାଣ୍ଡବ ରଚିଛି । ତିନି ଦିନରେ ୨୫୦ ମିଲିମିଟର ବର୍ଷାରେ ବେହାଲ ହୋଇଯାଇଛି ବିହାର । ମାସକ ମଧ୍ୟରେ ବିହାରରେ ଦୁଇ ଦୁଇ ଥର ବନ୍ୟା ଆସିଛି ।