କନକ ବ୍ୟୁରୋ : ବିହାରର ବେଗୁସରାଇରେ ଦୁଇଜଣ ବାଇକ ଆରୋହୀଙ୍କ ଉନ୍ମତକାଣ୍ଡ । ଦୁଇ ଦୁର୍ବୃତ ରାସ୍ତା ଉପରେ ଚାଲୁଥିବା ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇ ଆତଙ୍କ ଖେଳାଇଛନ୍ତି । ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି । ୬ ଜିଲ୍ଲାର ସୀମା ସିଲ କରି ସାଇକୋ କିଲରଙ୍କୁ ଖୋଜୁଛି ପୋଲିସ ।

Advertisment

ସ୍ଥାନୀୟ ପୋଲିସ୍ ଏସପିଙ୍କ କହିବା ଅନୁସାରେ, ଦୁଇ ଦୁର୍ବୃତ ଜାତୀୟ ରାଜପଥ ୩୧ ଓ ୨୮ରେ ପ୍ରାୟ ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । ତେଘରା ଉପଖଣ୍ଡର ୨୮ ନମ୍ବର ଜାତୀୟ ରାଜପଥର ୩ଟି ସ୍ଥାନରେ ଗୁଳିମାଡ଼ ହୋଇଛି । ଦୁର୍ବୃତମାନେ ଗୋଟିଏ ପରେ ଗୋଟିଏ କରି ପ୍ରାୟ ୪ଟି ଘଟଣା ଘଟାଇଛନ୍ତି । ୨୮ ନମ୍ବର ଜାତୀୟ ରାଜପଥରେ ଚନ୍ଦନ କୁମାର ନାମକ ଜଣେ ଯୁବକଙ୍କ ଏହି ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ।

ଘଟଣା ପରେ ବିହାରକୁ ଜଙ୍ଗଲରାଜ ଫେରିଥିବା କହି ନୀତିଶ ସରକାରକୁ ବିଜେପି ଫେରିଛି  । ବିଜେପି ରାଜ୍ୟସଭା ସାଂସଦ ଓ ବରିଷ୍ଠ ନେତା ସୁଶୀଲ ମୋଦୀ କହିଛନ୍ତି, ବିହାର ଇତିହାସରେ ପ୍ରଥମଥର ପାଇଁ ଏଭଳି ଘଟଣା ଘଟିଛି । ସେହିପରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଟ୍ୱିଟ୍ କରି ଲେଖିଛନ୍ତି, ବିଚ୍ ରାସ୍ତାରେ ୧୦ ଜଣଙ୍କ ଉପରକୁ ଗୁଳିମାଡ଼ କରାଯାଉଛି । ଏହା ଦର୍ଶାଉଛି ଯେ ରାଜ୍ୟର ଆଇନ ବ୍ୟବସ୍ଥା କିପରି ଅଛି । ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ବିହାର ସରକାର ଉପରେ ବର୍ଷିଛନ୍ତି ।