କନକ ବ୍ୟୁରୋ : ଦୀର୍ଘଦିନ ପରେ ଇଣ୍ଡିଆ ମେଣ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଛି । ହେଲେ ଏହି ବୈଠକରେ କୌଣସି ବଡ ନିଷ୍ପତ୍ତି ହୋଇପାରିନାହିଁ । ଅନୁମାନ କରାଯାଉଥିଲା କି, ଏହି ବୈଠକରେ ଇଣ୍ଡିଆ ମେଣ୍ଟର ସଂଯୋଜକ ଭାବେ ନୀତିଶ କୁମାରଙ୍କ ନାମ ଘୋଷଣା କରାଯାଇପାରେ । ହେଲେ ସେଭଳି କଛି ହୋଇନାହିଁ । ବୈଠକରେ ନୀତିଶ କୁମାରଙ୍କୁ ସଂଯୋଜକ କରିବାକୁ ପ୍ରସ୍ତାବ ଆସିଥିଲେ ବି ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ନୀତିଶ କୁମାର ।
ବୈଠକର ଉର୍ଦ୍ଦେଶ୍ୟ ଥିଲା କି ମେଣ୍ଟ ଦଳଗୁଡିକ ବିଭିନ୍ନ ସମୟରେ କରୁଥିବା ବୟାନବାଜୀକୁ ରୋକିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହାସହ ଆସନ୍ତାକାଲି ଠାରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହେବାକୁ ଯାଉଥିବା ଭାରତ ଯୋଡ ନ୍ୟାୟଯାତ୍ରାରେ ମେଣ୍ଟଦଳମାନେ ସହଯୋଗ କରିବାକୁ କଂଗ୍ରେସ ତରଫରୁ ଅନୁରୋଧ କରାଯାଇଛି ।
ସୂଚନା ଥାଉ କି, ଏହି ବୈଠକରେ ମମତା ବାନାର୍ଜୀ ଓ ଉଦ୍ଧବ ଠାକରେ ଉପସ୍ଥିତ ନଥିଲେ । ପୂର୍ବରୁ ସେମାନଙ୍କର ଅଲଗା କାର୍ଯ୍ୟକ୍ରମ ସ୍ଥିର ହୋଇଥିବାରୁ ଏହି ବୈଠକରେ ସେମାନେ ଯୋଗ ଦେଇ ନଥିବା କୁହାଯାଉଛି । ହେଲେ ବୈଠକରେ ନୀତିଶ କୁମାର, ଲାଲୁ ଯାଦବ, ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ, ଷ୍ଟାଲିନଙ୍କ ସମେତ ଅନେକ ବଡ ନେତା ଯୋଗ ଦେଇଥିଲେ ।