ଗଣମାଧ୍ୟମ କର୍ମୀଙ୍କୁ ପିଟିଲେ ତେଜପ୍ରତାପଙ୍କ ସୁରକ୍ଷାକର୍ମୀ ! ଗାଡି ତଳେ ଆସିଲା କ୍ୟାମେରାମ୍ୟାନ୍ ଙ୍କ ଗୋଡ଼ ।

218

ବିହାରର ପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଲାଲୁ ପ୍ରସାଦଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବଙ୍କ ସୁରକ୍ଷାକର୍ମୀ ଗଣମାଧ୍ୟମ କର୍ମୀଙ୍କୁ ବାଡେଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ଜଣେ ଦୈନିକ ଖବରକାଗଜର ଫଟୋଗ୍ରାଫର ଗଭୀର ଆଘାତ ହୋଇଛି । ଅନ୍ୟପକ୍ଷରେ ଜଣେ କ୍ୟାମେରାମ୍ୟାନ୍ ଙ୍କ ଗୋଡ଼ ଗାଡି ଚକା ତଳେ ଆସିଯାଇଛି । ତେଜପ୍ରତାପ ଯାଦବ ନିଜ ସମର୍ଥକଙ୍କ ସହ ଭୋଟ୍ ଦେବା ପାଇଁ ପାଟଣାର ବେଟନରୀ କଲେଜ୍ ମୈଦାନ ସ୍ଥିତ ମତଦାନ କେନ୍ଦ୍ର ପହଁଚିଥିଲେ ।ଯେଉଁଠାରେ ଏହି ଘଟଣା ଘଟିଥିଲା । ଏହି ମାମଲାରେ ଯେତେବେଳେ ତେଜପ୍ରତାପ ଯାଦବଙ୍କୁ ପ୍ରଶ୍ନ ପଚରାଗଲା ସେତେବେଳେ ସେ ସଫେଇ ଦେଇ କହିଥିଲେ ମୋ ଗାଡିର କାଚକୁ ଭାଙ୍ଗି ଦିଆଗଲା ।  ଆମ ଲୋକଙ୍କ ଉପରକୁ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରାଗଲା । ତେଜପ୍ରତାପ ସୁରକ୍ଷାକର୍ମୀଙ୍କ ଦ୍ୱାରା ମାରପିଟକୁ ମଧ୍ୟ ଖଣ୍ଡନ କରିଛନ୍ତି । 

ଗୁରୁତର ଗଣମାଧ୍ୟମ କର୍ମଚାରୀଙ୍କ କହିବାନୁସାରେ ତାଙ୍କ ଗୋଡ଼ ଉପରେ ତେଜପ୍ରତାପ ଗାଡ଼ି ଚଢାଇଛନ୍ତି । ଯାହାପରେ ସେ ନିଜ ହାତରେ ଗାଡିକୁ ଧକ୍କା ମାରିଥିଲେ । ତେବେ ତେଜପ୍ରତାପ ନିଜ ସୁରକ୍ଷା ପାଇଁ ସରକାରୀ ଗାର୍ଡସଙ୍କ ସହ ବାଉନ୍ସରଙ୍କୁ ମଧ୍ୟ ସାଙ୍ଗରେ ନେଇ ଚାଲିଥାନ୍ତି । ଏହାପୂର୍ବରୁ ବିହାର ବିଧାନସଭା ପରିସରରେ ମଧ୍ୟ ତାଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ଏବଂ ବାଉନ୍ସରଙ୍କ ଏଣ୍ଟ୍ରି ଉପରେ ପ୍ରଶ୍ନବାଚୀ ଠିଆ ହୋଇଥିଲା ।