କନକ ବ୍ୟୁରୋ : ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏନଡିଏ ମେଣ୍ଟ ଭିତରେ ଫାଟ ଏବେ ଗଭୀର ହେବାରେ ଲାଗିଛି । ବିହାର ଏନଡିଏର ମୁଖ୍ୟ ଅଶିଂଦାର ଦଳ ଜେଡିୟୁ ଓ ବିଜେପି ଭିତରେ ଆସନ ବୁଝାମଣା ହୋଇନଥିବା ବେଳେ ଏକ ଛୋଟ ଅଂଶିଦାର ଦଳ ଏଲଜେପି ପାଇଁ ଏବେ ଚିନ୍ତାରେ ପଡିଛି ମେଣ୍ଟା ସୂତ୍ର ମୁତାବକ ଜେଡିୟୁ ତା ଭାଗରୁ କିଛି ଆସନ ଜିତିନରାମ ମାଞ୍ଝୀଙ୍କୁ ଛାଡିବାକୁ ନିଷ୍ପତ୍ତି ହୋଇଥିବା ବେଳେ ବିଜେପି ତା ଭାଗରୁ କିଛି ଆସନ ରାମବିଳାଶ ପାଶୱାନଙ୍କୁ ଛାଡିବାକୁ ନିଷ୍ପତ୍ତି ହୋଇଥିଲା ।
ଏଭଳି ସ୍ଥଳେ ବିଜେପି ଏଲଜେପିକୁ ୨୦ ରୁ ୨୨ ଆସନ ଛାଡିବାକୁ ରାଜି ଥିବା ବେଳେ ଏଥିରେ କିନ୍ତୁ ସନ୍ତୁଷ୍ଟ ନାହାନ୍ତି ଏଲଜେପି ମୁଖ୍ୟ ଚିରାଗ ପାଶୱାନ । ହେଲେ ବିଜେପି ଯଦି ୨୫ ଟି ଆସନ ଛାଡିବ ତେବେ ବି ମେଣ୍ଟରେ ସାମିଲ ହେବାକୁ ଚିରାଗ ପ୍ରସ୍ତୁତ ନଥିବା ଭଳି ମନେ ହେଉଛି । ନିର୍ବାଚନରେ ଏନଡିଏର ହାତଛାଡି ଅନ୍ୟ ରାସ୍ତା ବାଛିପାରେ ବୋଲି ରାଜନୈତୀକ ବିଶେଷଜ୍ଞ ମାନେ ମତ ଦେଇଛନ୍ତିି ।
ବିଜେପି ପୂର୍ବରୁ ଏଲଜେପିକୁ ୨୦ ରୁ ୨୨ ଟି ଆସନ ଦେଇସାରିଥିଲା । କିନ୍ତୁ ବର୍ତମାନର ସ୍ଥିତିକୁ ଦେଖି ୨୫ ଟି ଆସନ ଦେବାକୁ ବି ପ୍ରସ୍ତୁତ ଅଛି । ହେଲେ ଆସନ ଭାଗବଣ୍ଟା ଏକ ଚୁକ୍ତି ଭିତିରେ କରାଯାଉ । ଏହାସହ ତାଙ୍କୁ ବିଜେପି ୩୦ ରୁ ଅଧିକ ଆସନ ଛାଡୁ । ଆସନ ସଂଖ୍ୟା ସହିତ କିଛି ନିର୍ଦ୍ଧିଷ୍ଟ ଆସନ ପାଇଁ ବି ଅଡି ବସିଛନ୍ତି ଚିରାଗ । ଅନ୍ୟପଟେ ଯଦି ଆସନ ବୁଝାମଣା ହୋଇନପାରେ ତାହେଲେ ଏଲଜେପି ୧୪୩ ଟି ଆସନରେ ପ୍ରାର୍ଥୀ ଦେବାକୁ ଯୋଜନା କରୁଥିବା ଜଣାପଡିଛି । ଯାହାକି ଚିରାଗ ପାଶୱାନ ପୂର୍ବରୁ ସୂଚନା ଦେଇସାରିଛନ୍ତି ।
ଚିରାଗ ନିଜେ ବିହାରରୁ ଜାମୁଇ ଆସନ କିମ୍ବା ସୀତାହାରୀ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବାକୁ ଚାହୁଁଛନ୍ତି । ଦଳର ନେତା ମାନେ କେବଳ ଚିରାଗଙ୍କ ସାମ୍ନାରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଦାବି କରିସାରିଛନ୍ତି । ଏଭଳି ସ୍ଥିତିରେ ଚିରାଗଙ୍କୁ ତୁରନ୍ତ ଚୁଡାନ୍ତ ନିଷ୍ପତ୍ତି ନେବାକୁ ହେବ ।
ଅନ୍ୟପଟେ ବିହାର ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଆସନ ବୁଝାମଣା ନେଇ କୌଣସି ଡ୍ରାଫ୍ଟ ପ୍ରକାଶ କରାଯାଇନାହିଁ । ସେପଟେ ଏଲଜେପି ଯଦି ବିହାର ନିର୍ବାଚନରେ ଏନଡିଏ ମେଣ୍ଟରୁ ବାହାରି ଯାଆନ୍ତି ତେବେ କେନ୍ଦ୍ରରେ ମନ୍ତ୍ରୀ ଥିବା ରାମବିଳାଶ ପାଶୱାନଙ୍କ ସ୍ଥିତି କଣ ହେବ । କାରଣ କେନ୍ଦ୍ରରେ ବିଜେପି ପାଖରେ ଏକାକି ବହୁମତ ରହିଥିବା ବେଳେ ରାଜ୍ୟମାନଙ୍କରେ କ୍ଷମତା ଦଖଲ ପାଇଁ ବିଜେପି କିଛି ଆଞ୍ଚଳିକ ଦଳମାନଙ୍କୁ ସାଥିରେ ରଖିଛି । ହେଲେ ସେହି ଆଞ୍ଚଳିକ ଦଳ ମାନେ ଯଦି ତାଙ୍କୁ ରାଜ୍ୟମାନଙ୍କରେ କ୍ଷମତା ଦଖଲ କରିବାରେ ସହାୟକ ନହେବେ ତେବେ ସେମାନଙ୍କୁ ସାଥିରେ ରଖି ମନ୍ତ୍ରୀପଦ ବିଜେପି କାହିଁକି ଦେବ ?
ସେପଟେ ଯଦି ବିହାରର ମହାମେଣ୍ଟ କଥା ଚିନ୍ତା କରାଯାଏ ତେବେ କଂଗ୍ରେସ, ଆରଜେଡି ଓ ବାମଦଳ ଭିତରେ ଏହି ମହାମେଣ୍ଟ ପ୍ରସ୍ତୁତ ହେଉଛି । ଯେଉଁଥିରେ କି ତେଜସ୍ୱୀ ଯାଦବ ଓ କହ୍ନେୟା କୁମାର ଭଳି ଯୁବନେତା ରହିଛନ୍ତି । ଏହା ସହ ଏମାନେ ଏକ ବିକଳ୍ପ ରାଜନୀତିର କଥା କହୁଛନ୍ତି । ତେବେ ଚିରାଗ ବିହାରର ଜଣେ ଯୁବ ଚେହେରା ହୋଇଥିବାରୁ ସେ ଏନଡିଏର ହାତ ଛାଡି ମହାମେଣ୍ଟରେ ଯୋଗ ଦେବାକୁ ପ୍ରସ୍ତୂୁତ ହେଉଛନ୍ତି ବୋଲି ବି ଅନୁମାନ କରାଯାଇପାରେ ।
ଏନଡିଏ ମେଣ୍ଟ ନିତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନିର୍ବାଚନ ମଇଦାନକୁ ଉହ୍ଲାଉଥିବା ବେଳେ ମହାମେଣ୍ଟ କମନ୍ ମିନିମମ୍ ପ୍ରୋଗ୍ରାମ ବା ସର୍ବନିମ୍ନ ସାଧାରଣ କର୍ମସୂଚୀକୁ ନେଇ ନିର୍ବାଚନ ମଇଦାନକୁ ଉହ୍ଲାଉଥିବା ସୂଚନା ମିଳିଛି ।