ମନ୍ତ୍ରୀଶୂନ୍ୟ ‘ମନ୍ତ୍ରୀପଡା’ ଉପରେ ପଡିବ କି ନବୀନଙ୍କ ନଜର ? ନିଜ କ୍ୟାବିନେଟରେ କାହାକୁ କରିବେ ସାମିଲ ?

286

କନକ ବ୍ୟୁରୋ: ପରୀକ୍ଷା ସରିଲା, ଫଳାଫଳ ବି ବାହାରିଲା । ଏବେ ଖାଲି ପୁରସ୍କାରକୁ ଅପେକ୍ଷା । ପରୀକ୍ଷାରେ ପାସ୍ କରିବାକୁ ଯିଏ ଯେମିତି ପରିଶ୍ରମ କରିଥିବ ତାକୁ ସେମିତି ପୁରସ୍କାର ମିଳିବ । ପାଟକୁରା ଦଖଲ ପାଇଁ ଯିଏ ଦିନରାତି ଏକ କରିଥିବ, ଯିଏ ଅକ୍ଳାନ୍ତ ପରିଶ୍ରମ କରିଥିବ ତାକୁ ବଡ ପୁରସ୍କାର ଦେବେ କି ବିଜେଡି ସୁପ୍ରିମୋ ? କାରଣ ବିଜେଡିର ପାଟକୁରା ବିଜୟ ହିଁ ଏକ ପ୍ରକାର ସମ୍ମାନର କଥା ଥିଲା । ଆଉ ଯେକୌଣସି ନିର୍ବାଚନମଣ୍ଡଳୀରେ ହାରିଥିଲେ ଫରକ ପଡି ନଥାନ୍ତା ମାତ୍ର ପାଟକୁରା ବିଜୟ ଥିଲା ନବୀନଙ୍କ ପାଇଁ ଇଜ୍ଜତ ଆଉ ସମ୍ମାନର ପ୍ରଶ୍ନ । ବୋଧେ ସେଇଥି ପାଇଁ ପୂରା ବିଜେଡି ପାଟକୁରା ସାରା ବିଛେଇ ହୋଇପଡିଥିଲା ।

ପାଟକୁରା ବିଜୟ ପାଇଁ ନବୀନ ଯେଉଁ ନେତାଙ୍କ କାନ୍ଧରେ ଏତେ ବଡ ଭାର ଦେଇଥିଲେ ସେମାନେ ସଠିକ ଭାବେ ନିଜ ନିଜର ଦାୟିତ୍ୱ ତୁଲାଇଛନ୍ତି । ରାତିଦିନ ଏକ କରି, ଗାଁଗାଁରେ ଡେରା ପକାଇ ବିଜେଡିର ସମ୍ମାନ ରକ୍ଷା କରିଛନ୍ତି । ତେଣୁ ପଞ୍ଚାୟତ ଜଗିଥିବା ନେତା ଆଉ ତାଙ୍କ ନେତୃତ୍ୱ ନେଇଥିବା ହେଭିୱେଟଙ୍କୁ ବଡ ଉପହାର ଦେଇପାରନ୍ତି ସୁପ୍ରିମୋ । ଆଉ ସେ ବଡ ଉପହାର ହେଉଛି ମନ୍ତ୍ରୀ ପଦ । ଯେଉଁ ନେତାମାନେ ପାଟକୁରା ଅଭିଯାନର ମଙ୍ଗ ଧରିଥିଲେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ମନ୍ତ୍ରୀ ପଦ ପୁରସ୍କାର ଦେବେ ସୁପ୍ରିମୋ । ସରପ୍ରାଇଜ ଗିଫ୍ଟରେ ନବୀନ ମନ୍ତ୍ରୀ ପଦ ଦେଉଥିବାରୁ କାହାକି ମିଳିବ ସେ ମୂଲ୍ୟବାନ ଉପହାର ତାକୁ ନେଇ ଏବେ ନେତାମାନଙ୍କ ମଧ୍ୟରେ ଜୋରଦାର ଚର୍ଚ୍ଚା ଚାଲିଛି ।

ତେବେ ସଫଳତା ପଛର ସୌଦାଗରକୁ ହିଁ ଏ ସୁନ୍ଦର ଉପହାର ଦେବେ ସୁପ୍ରିମୋ । ହେଲେ ସେ ଉପହାର ପାଇବ କିଏ ? ଏ ପ୍ରଶ୍ନ ବିଜେଡି କ୍ୟାମ୍ପରେ ବୁଡିବୁଡି ପହଁରୁଥିବା ବେଳେ ୪ ଜଣଙ୍କ ନାଁ ପ୍ରବଳ ଉଡୁଛି । ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ମହାପାତ୍ର, ଆଳି ବିଧାୟକ ପ୍ରତାପ ଦେବ ଏବଂ ସଜସଜ ଜିତିଥିବ ପାଟକୁରା ବିଜୟିନୀ ସାବିତ୍ରୀ ଅଗ୍ରୱାଲଙ୍କ ନାମ ଚର୍ଚ୍ଚା ହେଉଛି । ମନ୍ତ୍ରୀ ଶୂନ୍ୟ ଥିବା କେନ୍ଦ୍ରାପଡାକୁ ପାଟକୁରା ବିଜୟ ପରେ ମନ୍ତ୍ରୀ ଉପହାର କେନ୍ଦ୍ରାପଡାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଖୁସି କରିବାକୁ ଯାଉଥିବା ବେଳେ କଣ ପାଇଁ ଏ ୪ ଜଣଙ୍କ ନାଁ ଚର୍ଚ୍ଚା ହେଉଛି ନଜର ପକାନ୍ତୁ…

ପ୍ରତାପ ଦେବ
ଆଳି ବିଧାୟକ ପ୍ରତାପ ଦେବ ପୁରସ୍କାର ପାଇବାର ବଡ ହକଦାର । ଦଳର ମୁଖପାତ୍ର ଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ଚାତୁରୀ ପ୍ରତିକ୍ରିୟା ଦେଇ ଦଳକୁ ବଡବଡ ବିପଦରୁ ରକ୍ଷା କରିଛନ୍ତି ସେ । ଏପରିକି ୨୦୧୪ରେ ନିର୍ବାଚନ ହାରିବା ପରେ ମଧ୍ୟ ତାଙ୍କୁ ରାଜ୍ୟ ଗୃହ ନିର୍ମାଣ ବୋର୍ଡ ଦାୟିତ୍ୱ ମିଳିଥିଲା, ଆଉ ପରେ ପରେ ତାଙ୍କୁ ରାଜ୍ୟସଭା ଟିକେଟ ଧରାଇଥିଲେ ନବୀନ । ଏପରିକି ରାଜ୍ୟସଭାରେ ତାଙ୍କ କାର୍ଯ୍ୟକାଳ ଆହୁରି ଥିଲେ ମଧ୍ୟ ଆଳିରୁ ଟିକେଟ ଦେଇ ତାଙ୍କୁ ବିଧାନସଭା ଆଣିଥିଲେ ନବୀନ । କୁହାଗଲା, ଏହାପଛରେ ରହିଛି ନବୀନଙ୍କ ସୁଚିନ୍ତିତ ରଣନୀତି ।

ବର୍ତ୍ତମାନର ସ୍ଥିତିରେ ମନ୍ତ୍ରିମଣ୍ଡଳରେ ରୋକଠୋକ ଜବାବ ତଥା ଉତ୍ତର ଦେଇ ପାରୁଥିବା ନେତାଙ୍କ ସଂଖ୍ୟା କମ ରହିଛି । ଯେଉଁଥିରେ ରହିଛି ପ୍ରତାପ ଦେବଙ୍କ ଦକ୍ଷତା । ବିରୋଧୀଙ୍କ ବାଣକୁ ସାମ୍ନା କରି ବିଭିନ୍ନ ସମୟରେ ତାଙ୍କୁ ମୁହତୋଡ ଜବାବ ଦେଇଥାନ୍ତି ପ୍ରତାପ । ସେପଟେ ବୈଜୟନ୍ତ ପଣ୍ଡାଙ୍କୁ ହରାଇ ଅନୁଭବଙ୍କୁ ଜିତାଇବା ପଛରେ ଆଳିର ଭୂମିକାକୁ ମଧ୍ୟ ଆଡେଇ ହେବନି । ଆଳିରୁ ସଂସଦୀୟ କ୍ଷେତ୍ରକୁ ଅଧିକ ଭୋଟ ପ୍ରତାପଙ୍କ ପାଇଁ ଯାଇଛି ତେଣୁ ସେହି ନ୍ୟାୟରେ ନବୀନ ପଦ ଯାଚି ପାରନ୍ତି । ଏମିତିରେ ମଧ୍ୟ ନବୀନଙ୍କ ଗୁଡ ବୁକରେ ଅଛନ୍ତି ପ୍ରତାପ । ଆଉ କୁହାଯାଏ, ନବୀନଙ୍କ ସହ ତାଙ୍କର ସିଧା ସଂପର୍କ ରହିଛି । ଯେଉଁଥିପାଇଁ ସେ ମନ୍ତ୍ରୀପଦ ରେସରେ ସବୁଠାରୁ ଆଗରେ ରହିଥିବା ଚର୍ଚ୍ଚା ହେଉଛି ।

ଅତନୁ ସବ୍ୟସାଚୀ ନାୟକ
ପାଟକୁରା ପୁରସ୍କାର ରେସରେ ମଧ୍ୟ ଆଗରେ ରହିଛନ୍ତି ଅତନୁ । ମହାକାଳପଡାର ବିଧାୟକ ଅତନୁ ସବ୍ୟସାଚୀଙ୍କୁ ନବୀନ ପୁଣି ଥରେ ମନ୍ତ୍ରୀପଦ ଦେଇପାରନ୍ତି । ପାଟକୁରା ଦଖଲରେ ଅତନୁ ଏକ ବଡ ଭୂମିକା ଗ୍ରହଣ କରିଥିବାରୁ ତାଙ୍କ ପରିଶ୍ରମ ପାଇଁ ପୁରସ୍କାର ବାବଦକୁ ମନ୍ତ୍ରୀପଦ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ତେବେ ଅତନୁ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ତେବେ ୨୦୧୯ ନିର୍ବାଚନ ସମୟରେ ତାଙ୍କ ନାଁରେ ଦଳ ବିରୋଧୀ କାର୍ଯ୍ୟର ଅଭିଯୋଗ ଆସିବା ପରେ ତାଙ୍କ ଛବି ମଳିନ ପଡିଥିଲା । ଆଉ ଏବେ ସେ ପାଟକୁରା ପାଇଁ ପରିଶ୍ରମ କରି ସେ ଛବିକୁ ପୁଣି ଥରେ ଉଜ୍ଜ୍ୱଳ କରିଛନ୍ତି । ଆଉ ଏହି ନ୍ୟାୟରେ ତାଙ୍କୁ ନବୀନ ମନ୍ତ୍ରୀ ପଦ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସାବିତ୍ରୀ ଅଗ୍ରୱାଲ
ମନ୍ତ୍ରୀପଦ ଚର୍ଚ୍ଚାରେ ସଜସଜ ଜିତିିଥିବା ସାବିତ୍ରୀଙ୍କ ନାଁ ମଧ୍ୟ ଆସୁଛି । ଦିବଙ୍ଗତ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ହୋଇଥିବାରୁ ବେଦଙ୍କ ସ୍ଥାନରେ ଟିକଟ ଦେଇ ବିଜୟୀ କରିଛି ବିଜେଡି । ପାଟକୁରାରେ ସମ୍ମାନ-ସ୍ୱାଭିମାନ ଲଢେଇରେ ସାବିତ୍ରୀ ବିଜୟୀ ହୋଇ ବିଜୟଙ୍କ ବିଧାନସଭା ସ୍ୱପ୍ନ ଭାଙ୍ଗିଥିବାରୁ ତାଙ୍କୁ ଏହି ମନ୍ତ୍ରୀ ମୁକୁଟ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ବିଜୟଙ୍କ ଭଳି ବଡ ଯୋଦ୍ଧାଙ୍କୁ ପରାସ୍ତ କରିଥିବାରୁ ଆଉ ନାରୀଶକ୍ତି ନବୀନ ସମ୍ମାନ ଦେଉଥିବାରୁ ମହିଳା କୋଟାରେ ମନ୍ତ୍ରୀ ପଦ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ପାଟକୁରାର ସବୁ ଦାୟିତ୍ୱ ନବୀନ ନେବେ ବୋଲି ପ୍ରତିଶୃତି ଦେଇଥିବାରୁ ପ୍ରତିଶ୍ରୁତିକୁ ପୁରସ୍କାରରେ ବଦଳାଇ ପାରନ୍ତି ନବୀନ । ତେଣୁ ସେହିସବୁ ହିସାବରେ ସାବିତ୍ରୀଙ୍କୁ ମିଳିପାରେ ମନ୍ତ୍ରୀ ପଦ ।

ଶଶିଭୂଷଣ ବେହେରା
ପୂର୍ବତନ ଅର୍ଥମନ୍ତ୍ରୀ ଶଶି ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ପୁଣି ଥରେ ଦେବେ କି ସୁଯୋଗ ? ମନ୍ତ୍ରୀପଦ ମିଳିବା ନେଇ ଚର୍ଚ୍ଚା ଆଲୋଚନା ଭିତରେ ଶଶିଙ୍କ ନାମ ଆସୁଛି । କେନ୍ଦ୍ରାପଡାରେ ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀ ମରୁଡି ପଡିଥିବାରୁ ତାଙ୍କୁ ମିଳିପାରେ ବୋଲି ଅନୁମାନ କରାଯାଉଛି । ତେବେ ମନ୍ତ୍ରୀପଦ ଲବିରେ କିମ୍ବା ରେସରେ ସେ ନଥିବା ନିଜେ ସ୍ପଷ୍ଟ କରିଛନ୍ତି ଶଶି । ମନ୍ତ୍ରୀପଦ କଥା ନବୀନ ବିଚାର କରିବେ କହି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି ଶଶି । ତେବେ ମୁଁ କୌଣସି ଦୌଡରେ ନାହିଁ ମୋତେ ଯେଉଁ ଦାୟିତ୍ୱ ଦିଆଯାଇଛି ମୁଁ ତୁଲାଇଛି ଆଗକୁ ମିଳିଲେ ମଧ୍ୟ ତୁଲାଇବି ବୋଲି ଶଶି କହିଛନ୍ତି ।

ତେବେ ପାଟକୁରା ପୁରସ୍କାର ପଛରେ ମନ୍ତ୍ରୀପଦ ଥିବା କଥା ଚର୍ଚ୍ଚାର ପରିସରକୁ ଆସିବା ପରେ ଏବେ କାହା ବେକରେ ଝୁଲୁଛି ମନ୍ତ୍ରୀପଦ ମାଳ ତାକୁ ଅପେକ୍ଷା । ଆଉ ପୁରସ୍କାର ବାବଦକୁ ମନ୍ତ୍ରୀ ପଦ ଯିଏ ପାଇବ ସେ ହିଁ ପାଟକୁରା ବିଜୟର ବଡ ଭୂମିକା ନେଇଥିବା ସ୍ପଷ୍ଟ ହୋଇଯିବ ।