କନକ ବ୍ୟୁରୋ: ବୁଧବାର ବାହାରିବ ବହୁ ପ୍ରତିକ୍ଷୀତ ପାଟକୁରା ରେଜଲ୍ଟ । ଆସନ୍ତାକାଲି ବାହାରିବ ପାଟକୁରା ଫଳାଫଳ । ଗତ ୨୦ ତାରିଖରେ ହୋଇଥିବା ପରୀକ୍ଷାର କାଲି ବାହାରିବ ଫଳ । ତେଣୁ ସବୁ ପ୍ରାର୍ଥୀଙ୍କ ମନରେ ଛନକା ପଶିଥିବା ବେଳେ ୩ ପ୍ରମୁଖ ଦଳମାନଙ୍କରେ ଭାଳେଣି ପଡିଛି । ଫଳ କାଲି ବାହାରୁ ଥିବା ବେଳେ ଆଜି ଠାରୁ ତିନିହେଁ ତିନିଙ୍କ ଉପରେ କାଦୁଅ ଫିଙ୍ଗା ଫିଙ୍ଗି ଆରମ୍ଭ କରିଦେଲେଣି ।
Kanak News is now on WhatsApp
Join and get latest news updates delivered to you via WhatsApp
ଚଳିତ ସାଧାରଣ ନିର୍ବାଚନରେ ଛକା ମାରିଥିବା ବିଜେଡି ପୁଣି ଥରେ ପାଟକୁରା ପଡିଆରେ ଛକା ମାରିବାକୁ ଦମ୍ ଦେଖାଇଥିବା ବେଳେ ବିଜେପି ମଧ୍ୟ ବିଜୟ ବାନା ଉଡାଇବ ବୋଲି କହୁଛି । ବିଜେଡି ପାଟକୁରାରେ ବହୁ ଭୋଟରେ ଜିତିବ ବୋଲି ଛାତି ବାଡେଇ କହୁଛି । ପାଟକୁରାବାସୀ ନବୀନଙ୍କ ନେତୃତ୍ୱ ଓ ବିକାଶକୁ ଗ୍ରହଣ କରିଛନ୍ତି ତେଣୁ ସାବିତ୍ରୀ ଅଗ୍ରୱାଲଙ୍କୁ ନିଶ୍ଚୟ ଜିତାଇ ଆଣିବେ ବୋଲି ବିଧାୟକ ଦେବୀ ମିଶ୍ର କହିଛନ୍ତି ।
ସେପଟେ ପାଟକୁରା ଫଳାଫଳ ନେଇ ନିଜେ ମୁହଁ ଖୋଲିଛନ୍ତି ପ୍ରାର୍ଥୀ ବିଜୟ ମହାପାତ୍ର । କାଲିର ଫଳାଫଳ ମୋ ପାଇଁ ସ୍ମରଣୀୟ ହୋଇ ରହିବ । ପ୍ରଲୋଭନ ଦେଖାଇଥିଲେ ବି ପାଟକୁରାବାସୀ ଉଚିତ ନିଷ୍ପତ୍ତି ନେଇଥିବେ ଆଉ ପାଟକୁରାବାସୀଙ୍କ ନିଶ୍ଚୟ ବିଜୟ ହେବ ବୋଲି ବିଜୟ ମହାପାତ୍ର କହିଛନ୍ତି । ପାଟକୁରା ନିର୍ବାଚନ ଏକ ଐତିହାସିକ ନିର୍ବାଚନ ଥିଲା । ପୂର୍ବରୁ ବହୁ ନିର୍ବାଚନ ଦେଖିଛି ହେଲେ ଚଳିତ ନିର୍ବାଚନ ପରି ନୁହେଁ । ଅତୀତରେ ଏପରି କେବେ ହୋଇ ନଥିଲା ବୋଲି ବିଜୟ ପ୍ରତିକ୍ରିୟା ରଖିଛନ୍ତି ।
ବିଜୟଙ୍କ ପ୍ରତିକ୍ରିୟା ପୂର୍ବରୁ ତାଙ୍କ ଭବିଷ୍ୟତ ଦେଖିଛି କଂଗ୍ରେସ । ବିଜୟ ପରାଜୟ ବରଣ କରୁଛନ୍ତି ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି । ସୁର କହିଛନ୍ତି ବିଜୟ ଜଣେ ଦକ୍ଷ ଆଉ ବିଜ୍ଞ ରାଜନେତା । ସେ ନିଜେ ବୁଲିଥିଲେ ହୁଏତ ଏଥର ଜିତି ପାରିଥାନ୍ତେ । ନିଜ ବ୍ୟକ୍ତିଗତ ଭୋଟରେ ବିଜୟ ପାଟକୁରା ଜୟ କରି ପାରିଥାନ୍ତେ । ହେଲେ ବିଜେପି ପାଇଁ ସେ ହାରିବେ । ବିଜେଡିର ପ୍ରବଳ ଟଙ୍କା ଆଗରେ ନା ବିଜେପି ନା ଆମେ କେହି ବି ଆଗେଇ ପାରିବୁନି । ବିଜେଡି ୧ ନମ୍ବର, ବିଜେପି ୨ ନମ୍ବର ଆଉ କଂଗ୍ରେସ ୩ ନମ୍ବରରେ ରହିବ ବୋଲି ଭବିଷ୍ୟତ ଦେଖିଲେ ସୁର ।