ବଡ ବ୍ୟବଧାନରେ ଜିତିଲା ବିଜେଡି: ଗଡ ରକ୍ଷା କଲା, ପାଟକୁରାରେ ବିଜୟ ବାନା ଉଡାଇଲା । ୧୭, ୬୫୫ ଭୋଟରେ ସାବିତ୍ରୀ ଆଗୁଆ

425

କନକ ବ୍ୟୁରୋ: ପାଟକୁରାରେ ପୁଣି ଶୁଭିଲା ଶଙ୍ଖଧ୍ୱନି । ପାଟକୁରା ପବନରେ ଖେଳିଲା ଶଙ୍ଖର ବିଜୟ ଧ୍ୱନି । ବିଜେଡି ଗଡରେ ପୁଣି ବିଜୟ ବାନା ଉଡାଇଲା ବିଜେଡି । ବିଜୟଙ୍କ ସ୍ୱପ୍ନକୁ ଧୂଳିସାତ କରି ବିଜୟଟୀକା ପିନ୍ଧିଲେ ସାବିତ୍ରୀ । ସ୍ୱାଭିମାନ-ସମ୍ମାନ ଲଢେଇରେ ସାବିତ୍ରୀ ପାଇଲେ ସଫଳତା । ବିଜୟ ମହାପାତ୍ରଙ୍କୁ ମାତ ଦେଇ ବିଜୟ ମୁକୁଟ ପିନ୍ଧିଲେ ସାବିତ୍ରୀ ।

ତେବେ ୧୮ ରାଉଣ୍ଡ ଅର୍ଥାତ ଶେଷ ରାଉଣ୍ଡରେ ସାବିତ୍ରୀ ବିଜୟଙ୍କ ଠାରୁ ୧୭ ହଜାର ୬୫୫ ଭୋଟରେ ଆଗରେ ରହି ବିଜୟୀ ହୋଇଛନ୍ତି । ସାବିତ୍ରୀ ଙ୍କୁ ମୋଟ ୯୫ ହଜାର ୧୬୨ ଖଣ୍ଡ ଭୋଟ ମିଳିଛି ।

ସେହିପରି ୭୭ ହଜାର ୫୦୭ ଖଣ୍ଡ ଭୋଟରେ ଅଟକିଛି ବିଜୟଙ୍କ ରଥ । ୭୭, ୫୦୭ ଖଣ୍ଡ ଭୋଟ ପାଇ ହାରିଛନ୍ତି ବିଜୟ । ପାଟକୁରାରୁ ଜିତି ବିଜୟ ବିଧାନସଭା ଆସିବାକୁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଧୂଳିସାତ ହୋଇଛି । ଏଥର ନିର୍ବାଚନ ଜିତି ଦୀର୍ଘ ୨୦ ବର୍ଷର ସ୍ୱପ୍ନକୁ ସାକାର କରିବାକୁ ଗୋଡ କାଢି ବସିଥିବା ବିଜୟ ରଥରେ ବ୍ରେକ ଲଗାଇଛନ୍ତି ସାବିତ୍ରୀ । ଶେଷରେ ବିଜୟଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡିଛି ।

ଅନ୍ୟପଟେ କଂଗ୍ରେସ ଅମାନତ ହରାଇଛି । ରେସର ବହୁ ପଛରେ ରହିଥିବା କଂଗ୍ରେସ ଶେଷରେ ମାଟି କାମୁଡି ପଡିଛି । କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ମିଳିଛି ମାତ୍ର ୨୦୯୦ ଖଣ୍ଡ ଭୋଟ । ତେବେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପାଟକୁରାରେ ବିଜେପି- ବିଜେଡି ମଧ୍ୟରେ ଫାଇଟ ହେଉଥିବା ସ୍ପଷ୍ଟ ବାରି ହୋଇ ପଡିଛି ।