ଘୁଞ୍ଚିଲା ତାରିଖ, ତେଜିଲା ରାଜନୀତି । ପାଟକୁରାରେ ଡେରା ପକାଇଲେ ବିଜେଡିର ମାଳମାଳ ବିଧାୟକ, ବିଜୟ କହିଲେ ନିର୍ବାଚନ ଘୁଂଚାଇବାକୁ ଷଡଯନ୍ତ୍ର କରିଥିଲା ବିଜେଡି ।

737

କନକ ବ୍ୟୁରୋ : ବାତ୍ୟା ପରର ସ୍ଥିତିକୁ ନେଇ ସାରା ଓଡ଼ିଶା ଏବେ ଛନ୍ଦି ହୋଇଥିବା ବେଳେ ପୁର୍ନଗଠନ ଏବଂ ପୁନଃନିର୍ମାଣ ଏବେ ସବୁଠାରୁ ବଡ ଚ୍ୟାଲେଂଜ୍ । ଆଉ ବାତ୍ୟାର ଏହି ମୁକାବିଲା ଭିତରେ ପାଟକୁରା ରାଜନୀତି ପୁଣି ଥରେ ସରଗରମ ହୋଇଛି, ଯେତେବେଳେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ନିର୍ବାଚନ ଘୁଂଚିବା ସଂପର୍କରେ ବୟାନ ରଖିଛନ୍ତି । ବିଜୟ ମହାପାତ୍ର କହିଛନ୍ତି, ମିଥ୍ୟା ତଥ୍ୟ ଦେଇ ନିର୍ବାଚନ ଘୁଂଚାଯାଇଛି । ନିର୍ବାଚନ କମିଶନଙ୍କୁ ଦିଆଯାଇଥିବା ରିପୋର୍ଟକୁ ସାର୍ବଜନୀନ କରିବାକୁ ମଧ୍ୟ ସେ ଦାବି କରିଛନ୍ତି । ରାଜ୍ୟ ସରକାର ଜାଣିଶୁଣି ଷଡଯନ୍ତ୍ର କରିଛନ୍ତି ବୋଲି ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି । ଆଉ ବିଜୟଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି ।

ବିଜେଡି ବନାମ ବିଜୟ ମହାପାତ୍ର । ବିଜୟ କହିଲେ ବିଜେଡି କରୁଛି ଷଡଯନ୍ତ୍ର । ଫୋନି ଓ ରାଜନୀତିର ଅଡ଼ୁଆ ସୂତାରେ ଗୁଡାଇ ହୋଇଯାଇଛି ପାଟକୁରା ନିର୍ବାଚନ । ଆଉ ତା’ ଭିତରେ ଷଡ଼ଯନ୍ତ୍ର ଗନ୍ଧ ବାରିଛନ୍ତି ବିଜୟ ମହାପାତ୍ର । ବାତ୍ୟା ଯୋଗୁଁ ପାଟକୁରା ନିର୍ବାଚନ ତାରିଖକୁ ୨ ମାସ ଘୁଂଚାଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ତାରିଖ ଘୁଂଚାଇବାକୁ ନେଇ ବିଜେପି ଓ ବିଜୟ ମହାପାତ୍ର ଅନେକ ପ୍ରଶ୍ନ ଉଠାଇଛନ୍ତି । ଗତକାଲି ବିଜେପିର ଏକ ଟିମ ମଧ୍ୟ ନିର୍ବାଚନ କମିଶନକୁ ଭେଟି କାହିଁକ ବିଳମ୍ବ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ।

ବିଜୟ ମହାପାତ୍ରଙ୍କୁ ନିର୍ବାଚନ ହରାଇବା ପାଇଁ ସମରସଜ୍ଜା କରୁଛି ବିଜେଡି । କିନ୍ତୁ ଏହାରି ଭିତରେ ରାଜନିତିର ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି । ନିର୍ବାଚନ ଆଉ ୨ ମାସ ବାକି ଥିବା ବେଳେ ବିଜେଡି ଆରମ୍ଭ କରିଦେଇଛି ପାଟକୁରାର ବ୍ଲୁ ପ୍ରିଂଟ । ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ଫେସବୁକରେ କିଛି ଫଟୋ ପୋଷ୍ଟ କରିଛନ୍ତି । ଯେଉଁ ଫଟୋରେ ବିଜେଡିର କିଛି ବିଧାୟକ ପାଟକୁରାର ଏକ ହୋଟେଲର କିଛି ଗୁପ୍ତ ମନ୍ତ୍ରଣା କରୁଛନ୍ତି । ଫଟୋରେ ଅଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ, କ୍ୟାପଟେନ ଦିବ୍ୟ ଶଙ୍କର ମିଶ ଓ ପ୍ରଣବ ବଳବନ୍ତରାଏ ।

୨୦୦୦ ମସିହା ପରଠାରୁ ବିଜୟର ସ୍ୱାଦ ଚାଖି ପରିନାହାନ୍ତି ଭେଟରାନ ଲିଡର ବିଜୟ ମହାପାତ୍ର । ପ୍ରତ୍ୟେକ ନିର୍ବାଚନରେ ବିଜୟ ମହାପାତ୍ରଙ୍କୁ ହରେଇବା ପାଇଁ ନୂଆ ନୂଆ ପ୍ଲାନ କରିଛି ବିଜେଡି । ଏଥର ମଧ୍ୟ ବିଜୟଙ୍କୁ ପରାଜୟର ସ୍ୱାଦ ଚଖେଇବା ପାଇଁ ଫୁଲ ଜୋସରେ କାମ ଆରମ୍ଭ କଲାଣି ବିଜେଡି । ତେବେ ନିର୍ବାଚନ କେବେ ହେବେ ସେନେଇ ତାରିଖ ଧାର୍ଯ୍ୟ ହୋଇନଥିବା ବେଳେ ଏବେଠାରୁ ସରଗରମ ହେଲାଣି ପାଟକୁରା ନିର୍ବାଚନ । ଆଉ ଏହାରି ଭିତରେ ସମସ୍ତଙ୍କ ନଜର ରହିଛି ଆସନ୍ତା ୨୩ ତାରିଖକୁ । ଯେତେବେଳେ ସ୍ପଷ୍ଟ ହେବ ଓଡିଶାରେ କିଏ ଗଢିବ ସରକାର ।