ବେଦପ୍ରକାଶଙ୍କ ବିୟୋଗ ପରେ ବଦଳିଲା ପାଟକୁରା ସମୀକରଣ । ଝୁଲିଲା ବିଜୟଙ୍କ ଭାଗ୍ୟ, ସରଗରମ ହେଲା ରାଜନୀତି ।

1,039

କନକ ବ୍ୟୁରୋ : ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗ ପରେ ବଦଳିଯାଇଛି ପାଟକୁରା ନିର୍ବାଚନ ମଣ୍ଡଳୀର ରାଜନୈତିକ ସମୀକରଣ । ବିଜେଡି ପ୍ରାର୍ଥୀ ଥିବା ବେଦପ୍ରକାଶଙ୍କ ଦେହାନ୍ତ ଯୋଗୁଁ ବର୍ତମାନ ପାଇଁ ଅଟକିଛି ପାଟକୁରା ବିଧାନସଭା ନିର୍ବାଚନ । ଏହି ନିର୍ବାଚନମଣ୍ଡଳୀରେ କେବେ ନିର୍ବାଚନ ତାରିଖ ଘୋଷଣା ହେବ, ଆଉ ଏହି ଆସନ ପାଇଁ କେଉଁ ଦଳ କିଭଳି ରଣନୀତି ପ୍ରସ୍ତୁତ କରିବ, ଏହା ଉପରେ ଏବେ ସମସ୍ତଙ୍କ ନଜର । ଆଉ ଏସବୁ ଭିତରେ ଝୁଲି ରହିଲା ବିଜୟଙ୍କ ଭାଗ୍ୟ ।

ଦଳୀୟ କାର୍ଯ୍ୟାଳୟରେ ବେଦପ୍ରକାଶଙ୍କ ଶୋକସନ୍ତପ୍ତ ପରିବାରକୁ ଶାନ୍ତ୍ୱନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦିବ୍ୟଂଗତ ନେତାଙ୍କ ପୁଅ-ଝିଅଙ୍କ ସହ କିଛି ସମୟ କଥା ହୋଇଛନ୍ତି ବିଜେଡି ସୁପ୍ରିମୋ । ଏହା ସହ ପାଟକୁରାରେ ପରବର୍ତ୍ତୀ ରାଜନୈତିକ ସମୀକରଣ ନେଇ ମଧ୍ୟ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ବେଦପ୍ରକାଶଙ୍କ ପୁଅ ସଂଜୟ ଅଗ୍ରୱାଲ କହିଛନ୍ତି, ବାପାଙ୍କ ଅଧୁରା କାମକୁ ସଂପୂର୍ଣ୍ଣ କରିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି ।

ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗ ପରେ ରାଜନୈତିକ ମହଲରେ ଯେତିକି ଶୋକର ଛାୟା ଦେଖିବାକୁ ମିଳିଛି, ସେତିକି ସରଗରମ ହୋଇଛି ରାଜ୍ୟ ରାଜନୀତି । କାରଣ ତାଙ୍କର ପରଲୋକ ସହ ବଦଳି ଯାଇଛି ପାଟକୁରାର ରାଜନୈତିକ ସମୀକରଣ । ବେଦପ୍ରକାଶଙ୍କ ସହ ତାଙ୍କର ପୁରୁଣା ସଂପର୍କ ରହିଥିବା କହିଛନ୍ତି ପାଟକୁରାରେ ତାଙ୍କର ପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚନ ଲଢ଼ୁଥିବା ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ତେବେ ବିଜୟ କହିଛନ୍ତି, ତାଙ୍କୁ ପ୍ରାର୍ଥୀ କରି ବେଦପ୍ରକାଶଙ୍କ ପ୍ରତି ନ୍ୟାୟ କରିନାହିଁ ବିଜେଡି । ବିଜୟଙ୍କ ମନ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସମର୍ଥନ କରିବା ବେଳେ ଏହା ସଂକୀର୍ଣ୍ଣ ମନୋଭାବ ବୋଲି କହିଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ।

ନିର୍ବାଚନ ପ୍ରକ୍ରିିୟା ଭିତରେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଥିବାରୁ ଅଟକି ଯାଇଛି ପାଟକୁରା ବିଧାନସଭା ନିର୍ବାଚନ । ଆଇନ ଅନୁସାରେ ୬ ମାସ ମଧ୍ୟରେ ପୁଣିଥରେ ନିର୍ବାଚନ ତାରିଖ ଘୋଷଣା କରିବା ନିର୍ବାଚନ କମିସନଙ୍କ ଦାୟିତ୍ୱ । ତେବେ ଏହାରି ଭିତରେ କଥା କଟାକଟି ଆରମ୍ଭ ହୋଇଥିବାରୁ ସରଗରମ ହୋଇଛି ପାଟକୁରା ରାଜନୀତି । ତେବେ ପାଟକୁରା ପାଇଁ ଆଗାମୀଦିନରେ ରାଜନୈତିକ ଦଳଗୁଡିକର ରଣନୀତି କ’ଣ ରହିବ, ତା ଉପରେ ରହିଛି ସମସ୍ତଙ୍କ ନଜର ।