ପାଟକୁରାରେ ଲକ୍ଷ ଲକ୍ଷ ଟଙ୍କାର କାଜୁ ସ୍କାମ୍ । କାଗଜପତ୍ରରେ ଅଛି ବଗିଚା, ହେଲେ ନାହିଁ ପଡିଆରେ ଗଛ, ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ ନେଇ ତଦନ୍ତ ଆରମ୍ଭ କଲେ ଲୋକାୟୁକ୍ତ ।

161

କନକ ବ୍ୟୁରୋ: ବନୀକରଣ ଦାୟିତ୍ୱରେ ଥିବା ଆଇଏଫଏସ ଅଧିକାରୀ ଅଭୟ ପାଠକ ଦୁର୍ନୀତି କରି ଜେଲ ଯାଇଛନ୍ତିି । ଏଭଳି ସମୟରେ ଚାରା ରୋପଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟ କରାଯାଇଥିବା ଅଭିଯୋଗ ଆସିଛି କେନ୍ଦ୍ରାପଡା ଗରଦପୁର ବ୍ଲକରୁ । ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମଧୁଶାସନ ପଂଚାୟତର ୩ଟି ପ୍ଲଟରେ କାଜୁ ଚାରା ରୋପଣ ନାଁରେ ୪୨ ଲକ୍ଷ ଟଙ୍କା ଖାଇ ଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।

କାଗଜପତ୍ରରେ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ମଧୁଶାସନ ପଂଚାୟତରେ ତିନିଟି ପ୍ଲଟ୍ରେ କାଜୁ ଚାରା ରୋପଣ ହୋଇଛି । ବାସ୍ତବ ଚିତ୍ର ହେଉଛି ଏଠି ଚରୁଛନ୍ତି ଗାଇଗୋରୁ । ଗୋଟିଏ କାଜୁ ଗଛର ବି ଦେଖା ନାହିଁ । ପ୍ରାୟ ୫ ବର୍ଷ ତଳେ ଲଗାଯାଇଥିବା କାଜୁ ଗଛର ଚିହ୍ନବର୍ଣ୍ଣ ନାହିଁ । ଆଗରୁ ଲଗା ଯାଇଥିବା ଦୁଇ ଚାରୋଟି କାଜୁ ଗଛକୁ ଛାଡିଦେଲେ ବିସ୍ତିର୍ଣ୍ଣ ଜମି ପଡିଆ ପଡିଛି । ଚାରା ଲଗା ନଯାଇ କାଗଜ ପତ୍ରରେ ଲଗାଯାଇଥିବାର ଦେଖେଇ ପ୍ରାୟ ୪୨ ଲକ୍ଷ ଟଙ୍କା ହଡପ କରାଯାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ କାଜୁ ଚାରା ବାବଦରେ ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷରେ ଅରଖକୁଦ ଗ୍ରାମର ଗୋଟିଏ ପ୍ଲଟ ପାଇଁ ଦୁଇ ଦଫାରେ ୩୦ ଲକ୍ଷରୁ ଅଧିକ ଟଙ୍କା ଅନୁମୋଦନ କରାଯାଇଥିଲା । ସେହିପରି ବଡବେତରା ଗାଁର ଗୋଟିଏ ପ୍ଲଟ ପାଇଁ ୨୦୧୬-୧୭ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ୧୨ ଲକ୍ଷରୁ ଅଧିକ ଅର୍ଥ ବରାଦ କରାଯାଇଥିଲା । ଏଥିରେ ଦୁର୍ନିତି ହୋଇଥିବା ନେଇ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ ହୋଇଥିବା ବେଳେ ଏହାର ତଦନ୍ତ କରିଛନ୍ତି ସ୍ୱତନ୍ତ୍ର ଟିମ୍ ।

କାଜୁ ଗଛ ନଲଗାଇ ଲକ୍ଷ ଲକ୍ଷ ଟଙ୍କାର ଏଭଳି ହଡପ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ତଦନ୍ତ ହୋଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।