ସାବିତ୍ରୀଙ୍କର ୧୬, ବିଜୟଙ୍କ ଝୋଲିରେ ୨: ମୋଟ୍ ୧୮ଟି ରାଉଣ୍ଡରୁ ୧୬ଟି ରାଉଣ୍ଡରେ ଆଗୁଆ ରହି ପାଟକୁରା ଜିତିନେଲେ ସାବିତ୍ରୀ ଅଗ୍ରୱାଲ; ପୁଣି ନିରାଶ ବିଜୟ

ପୋଷ୍ଟାଲ ଭୋଟରେ ଆଗରେ ଇଭିଏମରେ ପଛରେ

324

କନକ ବ୍ୟୁରୋ: ଶେଷ ହେଲା ବହୁ ଚର୍ଚ୍ଚିତ ପାଟକୁରା ଲଢେଇ । ଗତ ୨୦ ତାରିଖରେ ଅନୁଷ୍ଠିତ ହୋଇଥିବା ପାଟକୁରା ବିଧାନସଭା ନିର୍ବାଚନର ଆଜି ବାହାରିଛି ଫଳାଫଳ । ତେବେ ବିରୋଧୀଙ୍କ ବହୁ ପଛରେ ପକାଇ ବିଜେଡି ପୁଣି ଥରେ ହାତେଇଛି ପାଟକୁରା ଗଡ । ବିଜେପିର ଭେଟରାନ ନେତା ବିଜୟ ମହାପାତ୍ରଙ୍କୁ ପ୍ରାୟ ୧୭ ହଜାର ୬ ଶହରୁ ଅଧିକ ଭୋଟରେ ହରାଇ ସାବିତ୍ରୀ ଅଗ୍ରୱାଲ ପିନ୍ଧିଛନ୍ତି ବିଜୟ ଶିରିପା । ବଡ କଥା ହେଉଛି ବିଜୟଙ୍କ ଭଳି ଜଣେ ପୋଖତ ତଥା ଟାଣୁଆ ନେତାଙ୍କୁ ବିପୁଳ ଭୋଟ୍ ବ୍ୟବଧାନରେ ହରାଇ ପାଟକୁରାରେ ବିଜେଡିର ମାନ ରଖିଛନ୍ତି ସାବିତ୍ରୀ ଅଗ୍ରୱାଲ ।

ତେବେ ୧୮ ରାଉଣ୍ଡ ଗଣତିରୁ ବିଜୟ ମହାପାତ୍ର ମାତ୍ର ଦୁଇଟି ରାଉଣ୍ଡରେ ଆଗୁଆ ରହିଥିବା ବେଳେ ୧୬ଟି ରାଉଣ୍ଡରେ ଆଗୁଆ ରହିଥିଲେ ସାବିତ୍ରୀ ଅଗ୍ରୱାଲ ।

• ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ୬୭୩୫ ଖଣ୍ଡ ଭୋଟ୍ ମିଳିଥିଲା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସପକ୍ଷରେ ଆସିଥିଲା ମାତ୍ର ୩୮୦୮ଟି ଭୋଟ୍ । ତେବେ ବିଜୟଙ୍କଠାରୁ ୨୯୨୭ଟି ଭୋଟରେ ଆଗୁଆ ଥିଲେ ସାବିତ୍ରୀ ।

• ସେହିଭଳି ଦ୍ୱିତୀୟ ରାଉଣ୍ଡରେ ବି ବିଜେଡି ମାରିଥିଲା ବାଜି । ଦ୍ୱିତୀୟ ରାଉଣ୍ଡରେ ୧୨୨୨ ଖଣ୍ଡ ଭୋଟରେ ବିଜେଡି ଆଗୁଆ । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ୬୨୪୫ ଖଣ୍ଡ ଭୋଟ ମିଳିଥିଲା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ମିଳିଥିଲା ୫୦୩୪ଟି ଭୋଟ ।

• ତୃତୀୟ ରାଉଣ୍ଡରେ ବି ଆଗୁଆ ରହିଥିଲା ବିଜେଡି । ୨୧୯୯ ଭୋଟରେ ଆଗୁଆ ଥିଲେ ସାବିତ୍ରୀ ଅଗ୍ରୱାଲ । ବିଜେଡି ପ୍ରାର୍ଥୀଙ୍କୁ ୬୦୭୦ ଭୋଟ ମିଳିଥିଲା ବେଳେ ବିଜେପି ପ୍ରାର୍ଥୀଙ୍କୁ ମିଳିଥିଲା ମାତ୍ର ୩୮୭୧ ଭୋଟ ।

• ୪ର୍ଥ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ୬୧୬୪ ଭୋଟ ମିଳିଥିଲା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ମିଳିଥିଲା ୫୦୭୦ ଭୋଟ ।

• ପଞ୍ଚମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ୫୩୮୬ଭୋଟ ମିଳିଥିଲା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ମିଳିଥିଲା ୪୧୪୪ ଖଣ୍ଡ ଭୋଟ ।

• ଷଷ୍ଠ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ୬୦୧୨ଭୋଟ ମିଳିଥିଲା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ମିଳିଥିଲା ୪୧୫୩ଟି ଭୋଟ ।

• ସପ୍ତମ ରାଉଣ୍ଡରେ ବି ଆଗରେ ରହିଥିଲା ବିଜେଡି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ୫୪୨୫ ଭୋଟ ମିଳିଥିଲା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ମିଳିଥିଲା ମାତ୍ର ୪୧୬୬ ଖଣ୍ଡ ଭୋଟ ।

• ଅଷ୍ଟମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ୫୯୪୭ ଖଣ୍ଡ ଭୋଟ୍ ମିଳିଥିଲା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସପକ୍ଷରେ ଆସିଥିଲା ୪୦୫୭ଟି ଭୋଟ୍ । ତେବେ ବିଜୟଙ୍କଠାରୁ ୧,୮୯୦ ଭୋଟରେ ଆଗୁଆ ଥିଲେ ସାବିତ୍ରୀ ।

• ନବମ ରାଉଣ୍ଡରେ ବି ବିଜେଡି ମାରିଥିଲା ବାଜି । ବିଜେଡି ପ୍ରାର୍ଥୀଙ୍କୁ ୫୭୪୮ ଖଣ୍ଡ ଭୋଟ ମିଳିଥିଲା ବେଳେ ବିଜୟଙ୍କ ମିଳିଥିଲା ୫୩୫୨ ଟି ଭୋଟ ।

• ଦଶମ ରାଉଣ୍ଡରେ ମଧ୍ୟ ୧୪୯୫୮ ଭୋଟରେ ଆଗୁଆ ରହିଥିଲା ବିଜେଡି । ଦଶମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଯେଉଁଠି ୫୮୯୧୯ ଖଣ୍ଡ ଭୋଟ ମିଳିଥିଲା ସେଇଠି ବିଜୟ ମହାପାତ୍ରଙ୍କୁ ମିଳିଥିଲା ୪୩୯୬୧ଟି ଭୋଟ୍ ।

• ତେବେ ଦଶମ ରାଉଣ୍ଡ ପରେ ୧୧ତମ ରାଉଣ୍ଡରେ ଆଗେଇଥିଲେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ୧୧ ତମ ରାଉଣ୍ଡରେ ୨୩୧ ଭୋଟରେ ଆଗୁଆ ଥିଲେ ବିଜୟ । ବିଜେଡି ପ୍ରାର୍ଥୀଙ୍କୁ ୪୮୬୮ ଖଣ୍ଡ ଭୋଟ ମିଳିଥିଲା ବେଳେ ବିଜୟଙ୍କ ମିଳିଥିଲା ୫୦୯୯ ଟି ଭୋଟ । କିନ୍ତୁ ତଥାପି ବିଜେପି ଠାରୁ ୧୪୭୨୭ ଭୋଟରେ ଆଗୁଆ ରହିଥିଲା ବିଜେଡି ।

• ହେଲେ ଦ୍ୱାଦଶ ରାଉଣ୍ଡ ଗଣତିରେ କିନ୍ତୁ ଉଠିପାରିନଥିଲେ ବିଜୟ ମହାପାତ୍ର । କାରଣ ସବୁ ରାଉଣ୍ଡ ଭଳି ୧୨ ରାଉଣ୍ଡରେ ବି ଆଗୁଆ ହୋଇଥିଲା ବିଜେଡି । ସାବିତ୍ରୀ ଅଗ୍ରୱାଲ ୫୯୦୯ ଖଣ୍ଡ ଭୋଟ୍ ହାତେଇଥିଲା ବେଳେ ବିଜୟଙ୍କ ଭାଗରେ ପଡିଥିଲା ମାତ୍ର ୪୪୯୨ଟି ଭୋଟ୍ । ଅର୍ଥାତ୍ ବିଜୟଙ୍କଠାରୁ ପାଖାପାଖି ୧୪୧୭ ଖଣ୍ଡ ଭୋଟରେ ଆଗେଇ ଯାଇଥିଲେ ସାବିତ୍ରୀ ।

• ସେହିଭଳି ୧୩ ତମ ରାଉଣ୍ଡରେ ବି ଆଗୁଆ ରହିଥିଲା ବିଜେଡି । ସାବିତ୍ରୀ ଅଗ୍ରୱାଲ ଙ୍କୁ ୫୦୪୯ଟି ଭୋଟ ମିଳିଥିଲା ବେଳେ ବିଜୟଙ୍କ ଭାଗକୁ ଆସିଥିଲା ମାତ୍ର ୪୬୬୮ ଖଣ୍ଡ ଭୋଟ୍ । ତେବେ ବିଜୟଙ୍କଠାରୁ ୩୮୧ ଖଣ୍ଡ ଭୋଟରେ ଆଗୁଆ ରହିଥିଲେ ସାବିତ୍ରୀ ।

• ୧୪ତମ ରାଉଣ୍ଡରେ ବି ଦେଖିବାକୁ ମିଳିଥିଲା ସମାନ ଅବସ୍ଥା । ବାକି ରାଉଣ୍ଡ ଭଳି ୧୪ତମ ରାଉଣ୍ଡରେ ବିରୋଧୀଙ୍କଠାରୁ ଆଗରେ ରହିଥିଲା ବିଜେଡି । ଏହି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ୪୯୭୭ଟି ଭୋଟ୍ ମିଳିଥିଲା ବେଳେ ବିଜୟଙ୍କ ଖାତାକୁ ଆସିଥିଲା ମାତ୍ର ୪୧୬୮ ଖଣ୍ଡ ଭୋଟ୍ । ଅର୍ଥାତ୍ ପାଖାପାଖି ୮୦୯ ଖଣ୍ଡ ଭୋଟରେ ଆଗୁଆ ରହିଥିଲେ ସାବିତ୍ରୀ ରହିଥିଲେ ବିଜୟଙ୍କଠାରୁ ।

• କିନ୍ତୁ ୧୫ତମ ରାଉଣ୍ଡ ଗଣତିରେ ବିଜୟଙ୍କ ସାଥ୍ ଦେଇଥିଲା ଭାଗ୍ୟ । ଏହି ରାଉଣ୍ଡରେ ବିଜେଡିକୁ ପଛରେ ପକାଇ ଆଗୁକୁ ମାଡି ଯାଇଥିଲେ ବିଜେପି ଭେଟରାନ୍ ନେତା ବିଜୟ ମହାପାତ୍ର । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଏହି ରାଉଣ୍ଡରେ ମାତ୍ର ୪୬୪୯ଟି ଭୋଟ ମିଳିଥିଲା ବେଳେ ବିଜୟଙ୍କ ଭାଗରେ କିନ୍ତୁ ପଡିଥିଲା ୪୮୯୬ ଖଣ୍ଡ ଭୋଟ୍ । ଅର୍ଥାତ୍ ମାତ୍ର ୨୪୭ ଖଣ୍ଡ ଭୋଟରେ ସାବିତ୍ରୀଙ୍କଠାରୁ ଆଗେଇ ଯାଇଥିଲେ ବିଜୟ ।

• ହେଲେ ୧୬ ରାଉଣ୍ଡରେ ପଛାଇଥିଲା ବିଜେପି । ୧୬ ତମ ରାଉଣ୍ଡରେ ୧୪୭ ଭୋଟରେ ଆଗରେ ରହିଥିଲା ବିଜେଡି । ମୋଟ ୧୭୨୩୪ ଭୋଟରେ ଆଗରେ ରହିଥିଲେ ସାବିତ୍ରୀ ଅଗ୍ରୱାଲ । ଆଉ ଏହାପରେ ଗୋଟିଏ ପରେ ଗୋଟିଏ ବିଜୟର ସିଡି ମାଡି ଚାଲିଥିଲା ବିଜେଡି ।

• ୧୭ତମ ରାଉଣ୍ଡରେ ବିଜେପିଠାରୁ ବିପୁଳ ଭୋଟ ବ୍ୟବଧାନରେ ଆଗେଇ ଚାଲିଥିଲେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ । ଏହି ରାଉଣ୍ଡ ସାବିତ୍ରୀଙ୍କ ଖାତାକୁ ୪୮୮୭ ଖଣ୍ଡ ଆସିଥିଲା ବେଳେ ବିଜୟଙ୍କୁ ମିଳିଥିଲା ମାତ୍ର ୪୫ ହଜାର ୮୫ଟି ଭୋଟ । ତେବେ ସପ୍ତଦଶ ରାଉଣ୍ଡରେ ବିଜେପିଠାରୁ ପାଖାପାଖି ୩୦୨ ଖଣ୍ଡ ଭୋଟ ଆଗରେ ରହିଥିଲେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ।

ତେବେ ୧୮ ରାଉଣ୍ଡ ଅର୍ଥାତ ଶେଷ ରାଉଣ୍ଡରେ ସାବିତ୍ରୀ ବିଜୟଙ୍କ ଠାରୁ ୧୭ ହଜାର ୬୫୫ ଭୋଟରେ ଆଗରେ ରହି ବିଜୟୀ ହୋଇଛନ୍ତି । ସାବିତ୍ରୀ ଙ୍କୁ ମୋଟ ୯୫ ହଜାର ୧୬୨ ଖଣ୍ଡ ଭୋଟ ମିଳିଛି । ସେହିପରି ୭୭ ହଜାର ୫୦୭ ଖଣ୍ଡ ଭୋଟରେ ଅଟକିଛି ବିଜୟଙ୍କ ରଥ । ୭୭, ୫୦୭ ଖଣ୍ଡ ଭୋଟ ପାଇ ହାରିଛନ୍ତି ବିଜୟ । ପାଟକୁରାରୁ ଜିତି ବିଜୟ ବିଧାନସଭା ଆସିବାକୁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଧୂଳିସାତ ହୋଇଛି । ଏଥର ନିର୍ବାଚନ ଜିତି ଦୀର୍ଘ ୨୦ ବର୍ଷର ସ୍ୱପ୍ନକୁ ସାକାର କରିବାକୁ ଗୋଡ କାଢି ବସିଥିବା ବିଜୟ ରଥରେ ବ୍ରେକ ଲଗାଇଛନ୍ତି ସାବିତ୍ରୀ । ଶେଷରେ ବିଜୟଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡିଛି ।