ପାଟକୁରାରେ ମାଟି କାମୁଡି ପଡିଲା ହାତ: କଂଗ୍ରେସ ପ୍ରାର୍ଥୀ ଜୟନ୍ତଙ୍କ ଝୁଲାରେ ପଡିଲା ମାତ୍ରା ୨୦୯୦ ଭୋଟ

ଜୟନ୍ତ ପାଟକୁରାରେ ହାରୁଛନ୍ତି ଏ କଥା ସମସ୍ତଙ୍କୁ ଜଣାଥିଲା ସେଇଥିପାଇଁ ପାଟକୁରାରେ ପାଣିଚିଆ ପ୍ରଚାର କରିଥିଲା କଂଗ୍ରେସ

250

କନକ ବ୍ୟୁରୋ: ପାଟକୁରା ମାଟିରେ ହଜିଗଲା ହାତ । ସବୁଜ ଗଡର ଶଙ୍ଖ ଶବ୍ଦରେ ପାଟକୁରା ପବନରେ ଉଡିଗଲା ହାତ । ପାଟକୁରା ମୈଦାନରେ ବିଜେଡି ନିଜର ବିଜୟ ବାନା ଉଡାଇଥିବା ବେଳେ ମାଟି କାମୁଡି ପଡିଛି କଂଗ୍ରେସ । ବିଜେଡିକୁ ଟକ୍କର ଦେଇ ବିଜେପି ଆଗଉଥିବା ବେଳେ ସବୁ ରାଉଣ୍ଡରେ ପଛରେ ରହିଥିଲା କଂଗ୍ରେସ ।

ପ୍ରଥମ ରାଉଣ୍ଡରୁ ହିଁ କଂଗ୍ରେସ ପରାସ୍ତର ସଙ୍କେତ ଦେଇଥିଲା । ପ୍ରଥମ ରାଉଣ୍ଡରେ ବିଜେଡି ୬ ହଜାର ଓ ବିଜେପି ୩ ହଜାର ଉପରେ ଭୋଟ ପାଇଥିବା ବେଳେ କଂଗ୍ରେସ ପାର୍ଥୀ ଜୟନ୍ତ ମହାନ୍ତିଙ୍କୁ ମିଳିଥିଲା ମାତ୍ର ୨୨୭ ଖଣ୍ଡ ଭୋଟ । ଆଉ ଏହି ପ୍ରଥମ ରାଉଣ୍ଡ ହିଁ ଜୟନ୍ତଙ୍କ ପରାଜୟର ପରିଭାଷା କହୁଥିଲା ।
ପ୍ରଥମ ରାଉଣ୍ଡରେ ୨୨୭, ଦ୍ୱିତୀୟ ରାଉଣ୍ଡରେ ୨୦୨୧, ତୃତୀୟ ରାଉଣ୍ଡରେ ୧୩୯ ପରେ ଆଉ ଦୁଇ ଶହ ଅଙ୍କ ଡେଇଁ ନଥିଲେ ଜୟନ୍ତ । ଅଷ୍ଟମ ଓ ଦଶମ ରାଉଣ୍ଡକୁ ଛାଡିଦେଲେ ଆଉ କୌଣସି ରାଉଣ୍ଡରେ ଶହେ ଅଙ୍କ ପାର କରିପାରି ନଥିଲେ ଜୟନ୍ତ । ତେବେ ସବୁଠାରୁ ବଡ କଥା ହେଉଛି ୧୮ ତମ ରାଉଣ୍ଡ କଂଗ୍ରେସ ଖାତାରେ ପଡିଥିଲା ମାତ୍ର ୭ଟି ଭୋଟ । ଯାହା କଂଗ୍ରେସର ସତ୍ତାକୁ ମାଟିରେ ମିଶାଇ ଦେଇଥିଲା ।

ତେବେ ପାଟକୁରାରେ ପ୍ରେଜେଣ୍ଟ ପକାଇ ପାରିଲେନି ଜୟନ୍ତ କି ହାତ ଉଠାଇ ପାରିଲାନି କଂଗ୍ରେସ । ବିଜେଡି ଗଡରେ ଲୋକେ ବିଜେପିକୁ କିଛି ମାତ୍ରାରେ ଭରସି ଥିବା ବେଳେ କଂଗ୍ରେସକୁ ପାଖ ପୂରାଇ ନାହାନ୍ତି । ଯାହାର ବଡ ଉଦାହରଣ ହେଉଛି ଜୟନ୍ତଙ୍କ ବ୍ୟାଗରେ ପଡିଥିବା ୨୦୯୦ଟି ଭୋଟ
ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ସ୍ୱଚନୀୟ ପରାଜୟ ବରଣ କରିଥିବା ବେଳେ ମାତ୍ର ୯ ଜଣ ବିଧାୟକ ଜିତି ବିଧାନସଭା ଆସିଥିଲେ । ଆଉ ଆଜି ପାଟକୁରାରେ ପରାଜୟ ପରେ କଂଗ୍ରେସ ନିଜର ଅସ୍ତିତ୍ୱ ହରାଇଛି । ପାଟକୁରାରେ କଂଗ୍ରେସ ପରାଜୟ ବରଣ କରିବ ଏ କଥା କଂଗ୍ରେସକୁ ଜଣାଥିଲା । କାରଣ ପାଟକୁରା ପାଇଁ ଯେବେଠୁ ତାରିଖ ଘୋଷଣା ହୋଇଛି ସେବେଠୁ ଉଭୟ ବିଜେପି ଆଉ ବିଜେଡି ନିଜର ଘମାଘୋଟ ପ୍ରଚାର ଆରମ୍ଭ କରିଥିଲେ । ହେଲେ ପ୍ରଚାରରୁ ବହୁ ଦୂରରେ ଥିଲା କଂଗ୍ରେସ । ନିର୍ବାଚନର ୪ରୁ ୫ ଦିନ ଆଗରୁ କଂଗ୍ରେସ ସେଠାରେ ପ୍ରଚାର ଆରମ୍ଭ କରିଥିବା ବେଳେ ଜୟନ୍ତଙ୍କ ଜିତକୁ ଗୁରୁତ୍ୱ ଦେଇନଥିଲା । ଜୟନ୍ତ ପାଟକୁରାରେ ହାରୁଛନ୍ତି ଏ କଥା ସମସ୍ତଙ୍କୁ ଜଣାଥିଲା ତେଣୁ ସେଇଥିପାଇଁ ପାଟକୁରାରେ ପାଣିଚିଆ ପ୍ରଚାର କରିଥିଲା କଂଗ୍ରେସ ।

ପାଟକୁରାରେ କଂଗ୍ରେସ ବିପଦରେ ଅଛି, ଦୁର୍ବଳ ଅଛି ଆଉ ବିଜେଡି ଆଗରେ କଂଗ୍ରେସ ହାରୁଛି ବୋଲି କାଲି ହାତ ଟେକି ଦେଇଥିଲା କଂଗ୍ରେସ । କଂଗ୍ରେସର ଦୁୁଇ ବଡ ନେତା ସୁର,ତାରା ପାଟକୁରା ପରାଜୟ ନେଇ କାଲି ସ୍ପଷ୍ଟ କରିଥିଲେ । ତେବେ ଆଜି ତାହାର ପ୍ରମାଣ ମିଳିଛି । ପାଟକୁରାରେ କଂଗ୍ରେସ ନିଜର ଅସ୍ତିତ୍ୱ ହରାଇଥିବା ବେଳେ ଜୟନ୍ତ ଅମାନତ ହରାଇଛନ୍ତି ।