ଫୋନି ପାଇଁ ୨ ମାସ ଘୁଞ୍ଚିଲା ପାଟକୁରା ନିର୍ବାଚନ । ସ୍ଥିତି ସୁଧୁରିବା ପରେ ଘୋଷଣା ହେବ ନିର୍ବାଚନ ତାରିଖ, ସୂଚନା ଦେଲେ ମୁଖ୍ୟ ନିର୍ବାଚନ କମିଶନ ।

598

କନକ ବ୍ୟୁରୋ : ଫୋନି ପାଇଁ ଘୁଞ୍ଚିଲା ପାଟକୁରା ବିଧାନସଭା ନିର୍ବାଚନ । ମୁଖ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତି ପରେ ପାଟକୁରା ବିଧାନସଭା ନିର୍ବାଚନକୁ ୬୦ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ଏନେଇ ରାଜ୍ୟ ନିର୍ବାର୍ଚନ ଅଧିକାରୀ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛନ୍ତି । ବାତ୍ୟା ଫୋନିର ପ୍ରଭାବ କେନ୍ଦ୍ରାପଡାରେ ପଡିଥିବାରୁ ଏଠାରେ ସ୍ଥିତି ସଙ୍ଗୀନ ରହିଛି । ତେଣୁ ସ୍ଥିତି ସୁଧୁରିଲେ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଆସନ୍ତା ୧୯ ତାରିଖରେ ପାଟକୁରାରେ ବିଧାନସଭା ନିର୍ବାଚନ ମତଦାନ ହୋଇଥାନ୍ତା । କିନ୍ତୁ ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ନିର୍ବାଚନ ତାରିଖକୁ ଘୁଞ୍ଚାଇବାକୁ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସବୁ ଭିତରେ ବାତ୍ୟା ଫୋନିର ପ୍ରକୋପ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଏପରିକି ପାଟକୁରାରେ ମଧ୍ୟ ଫୋନି ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେଣୁ ଏଭଳି ସଙ୍ଗୀନ ପରିସ୍ଥିତିରେ ନିର୍ବାଚନକୁ ୬୦ ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ ।

ପୂର୍ବରୁ ପାଟକୁରାରେ ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ ପରେ ଏଠାରେ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା । କେନ୍ଦ୍ରାପଡା ଲୋକସଭା ଅର୍ନ୍ତଗତ ଅନ୍ୟ ଆସନରେ ଗତ ୨୯ ତାରିଖରେ ଭୋଟଗ୍ରହଣ ହୋଇଥିବା ବେଳେ ପାଟକୁରା ବିଧାନସଭା ନିର୍ବାଚନକୁ ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା ।